ନୂଆଦିଲ୍ଲୀ:ଲଟିନ୍ ଆମେରିକୀୟ ଦେଶ କୋଲମ୍ବିଆରେ ଏକ ବଡ଼ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ସୋମବାର ଦିନ ୭.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ କୋଲମ୍ବିଆରେ କାୟା ବିସ୍ତାର କରିଛି, ଯାହାଫଳରେ ପ୍ରାୟ ୨୦ ଜଣଙ୍କର ପ୍ରାଣହାନି ହୋଇଥିବା ସୂଚନା ମିଳିଛି। ଏହି ପ୍ରଳୟଙ୍କରୀ କମ୍ପନ ଯୋଗୁଁ ଅନେକ କୋଠାବାଡ଼ି ଭୁଶୁଡ଼ି ପଡ଼ିଥିବାବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
କୋଲମ୍ବିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (UNGRD) ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ବୋଗୋଟାରୁ ପ୍ରାୟ ୪୦୦ କିଲୋମିଟର ପଶ୍ଚିମ ଦିଗରେ ଥିବା ସାନ୍ ଜୋସ୍ ଡେଲ୍ ପାଲ୍ମାର୍ ନିକଟରେ ରହିଥିଲା। ମାଟିଠାରୁ ପ୍ରାୟ ୭୯ କିଲୋମିଟର ଗଭୀରତାରେ ଏହାର ଉତ୍ପତ୍ତି ହୋଇଥିଲା। ହଠାତ୍ ଭୂମିକମ୍ପ ହେବାରୁ ଭୟଭୀତ ହୋଇ ପଡ଼ିଥିବା ସାଧାରଣ ଲୋକେ ପ୍ରାଣ ବିକଳରେ ନିଜ ନିଜ ଘର ଏବଂ କୋଠାରୁ ବାହାରକୁ ଦୌଡ଼ି ଆସିଥିଲେ।
ଏହି ପ୍ରକମ୍ପନର ପ୍ରଭାବ କେବଳ କୋଲମ୍ବିଆରେ ସୀମିତ ନଥିଲା, ବରଂ ପଡ଼ୋଶୀ ଦେଶ ଯଥା ଭେନେଜୁଏଲା ଏବଂ ଇକ୍ୱାଡ଼ରରେ ମଧ୍ୟ ଏହାର ଜୋରଦାର୍ ଝଟକା ଅନୁଭୂତ ହୋଇଥିଲା। ଚୋକୋ ପ୍ରଦେଶର ଗଭର୍ଣ୍ଣର ନୁବିଆ କାରୋଲିନା କୋର୍ଡୋବା କୁରିଙ୍କ ସୂଚନା ଅନୁଯାୟୀ, ଭୂକମ୍ପ କାରଣରୁ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ବିଶେଷକରି ପ୍ରାନ୍ତୀୟ ରାଜଧାନୀ କ୍ୱିବଡୋରେ ଅନେକ କୋଠା ଏବଂ ଗଠନମୂଳକ କାର୍ଯ୍ୟ ଗରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ଆଗକୁ ଆଫ୍ଟର୍ସକ୍ ବା ପରବର୍ତ୍ତୀ ଝଟକା ଆସିବାର ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଦଳ ପକ୍ଷରୁ କ୍ଷୟକ୍ଷତିର ଆକଳନ ସାଙ୍ଗକୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ରାଜଧାନୀ ବୋଗୋଟା ସମେତ ସମଗ୍ର ଅଞ୍ଚଳରେ ଏବେବି ଭୟର ବାତାବରଣ ଜାରି ରହିଛି।