ପୁଣିଥରେ ନେପାଳରେ ବଡ଼ ଦୁର୍ଘଟଣା ଘଟିଛି । ଆଜି ନେପାଳର ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଗୋଟିଏ ଯାତ୍ରୀବାହୀ ହେଲିକପ୍ଟର ଦୁର୍ଘଟଣା ଗସ୍ତ ହୋଇଛି । ଏୟା ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ହେଲିକପ୍ଟରଟି କାଠମାଣ୍ଡୁରୁ ରାସୁୱା ଯାଉଥିଲା। ତେବେ ନୂୱାକୋଟ ଜିଲ୍ଲାରେ ଥିବା ସୂର୍ଯ୍ୟ କୌର-୭ ନିକଟରେ ଏହା ଏକ ପାହାଡ଼ରେ ପିଟି ହୋଇ ଜଙ୍ଗଲ ଭିତରେ ଖସି ପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ ସେତେବେଳେକୁ ହେଲିକପ୍ଟରଟି ଜଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ସାରିଥିଲା । ସେହିପରି ଏଥିରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଉଦ୍ଧାରକାରୀ ଟିମ ପକ୍ଷରୁ ସୂଚନା ମିଳିଛି ।
ତ୍ରିଭୂବନ ଅନ୍ତର୍ଜାତୀୟ ଏୟାରପୋର୍ଟର ସୂଚନା ଅନୁଯାୟୀ, ହେଲିକପ୍ଟଟି କାଠମାଣ୍ଡୁରୁ ଦିନ ୧.୫୪ ମିନିଟରେ ଉଡ଼ାଣ ଭରିଥିଲା। କିନ୍ତୁ ସୂର୍ଯ୍ୟ ଚୌର ପାଖରେ ପହଞ୍ଚିବା ପରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉଡ଼ାଣ ଭରିବାର ୩ ମିନିଟ ପରେ ଏପରି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି ।
ସୂଚନା ଯୋଗ୍ୟ ଗତ କିଛିଦିନ ତଳେ ତ୍ରିଭୂବନ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟରେ ମଧ୍ୟ ଉଡାଣ ଭରିବା ପରେ ପରେ ଏକ ବିମାନ ଦୁର୍ଘଟଣା ଗସ୍ତ ହୋଇଥିଲା ଯେଉଁଥିରେ ୧୮ ଜଣଙ୍କ ପ୍ରାଣହାନୀ ଘଟିଥିଲା ।