ଆର୍ଥିକ ପରାମର୍ଶଦାତା ଫାର୍ମ ଆର୍ଟନ କ୍ୟାପିଟାଲ ୨୦୨୪ ପ୍ରଥମ ତ୍ରୈମାସିକ ପାଇଁ ପାସପୋର୍ଟ ଇଣ୍ଡେକ୍ସ ଜାରି କରିଛନ୍ତି । ଜାରି ହୋଇଥିବା ଏହି ଇଣ୍ଡେକ୍ସରେ ୟୁନାଇଟେଡ ଆରବ ଏମିରେଟସ (ୟୁଏଇ) ପାସପୋର୍ଟକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ମିଳିଛି। ୟୁଏଇ ପାସପୋର୍ଟର ମୋବିଲିଟି ସ୍କୋର ୧୮୦ ରହିଥିବା ବେଳେ ଏହା ବର୍ତ୍ତମାନ ବିଶ୍ବର ସବୁଠୁ ଶକ୍ତିଶାଳୀ ଟ୍ରାଭେଲ ଡକ୍ୟୁମେଣ୍ଟରେ ପରିଣତ ହୋଇଛି ।
ୟୁଏଇ ପାସପୋର୍ଟଧାରୀ ପୂର୍ବ ଭିସା ବିନା ବିଶ୍ବର ୧୩୦ଟି ଦେଶକୁ ଯାତ୍ରା କରିପାରିବେ । ସେହିପରି ଭିସା ଅନ ଆରାଇଭଲରେ ୫୦ ଦେଶକୁ ଯାତ୍ରା କରିପାରୁଛନ୍ତି। ୟୁଏଇର ପାସପୋର୍ଟଏତେ ଶକ୍ତିଶାଳୀ ଯେ ନାଗରିକ ୧୩୦ ଦେଶଙ୍କୁ ବିନା ଭିସାରେ ଯାଇ ପାରୁଛନ୍ତି। ଗଲଫ ଟୁଡେ ରିପୋର୍ଟ ଅନୁଯାୟୀ ୟୁଏଇକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ସୂଚିତ କରି ଆର୍ଟନ କ୍ୟାପିଟାଲ କହିଛନ୍ତି ଯେ ୟୁଏଇ ସକରାତ୍ମକ କୂଟନୀତି ଆପଣେଇଛି, ଯାହା ଦ୍ବାରା ଏହାର ପାସପୋର୍ଟ ଏତେ ଶକ୍ତିଶାଳୀ ବା ମଜଭୁତ ହୋଇପାରିଛି।
ଏହି ସୂଚୀର ଦ୍ବିତୀୟ ସ୍ଥାନରେ ଜର୍ମାନୀ,ସ୍ପେନ, ଫ୍ରାନ୍ସ, ଇଟାଲୀ ଓ ନେଦରଲ୍ୟାଣ୍ଡ ସମେତ ଅନେକ ଦେଶ ଅଛନ୍ତି ଯେଉଁମାନଙ୍କ ମୋବିଲିଟି ସ୍କୋର ୧୭୮ ରହିଛି । ଅର୍ଥାତ ଏହି ଦେଶଙ୍କ ପାସପୋର୍ଟଧାରୀ ୧୭୮ ଦେଶକୁ ଯାତ୍ରା କରିପାରିବେ। ସେହିପରି ତୃତୀୟ ସ୍ଥାନରେ ସ୍ଵିଡେନ, ଫିନଲ୍ୟାଣ୍ଡ, ଲକଜମବର୍ଗ, ଅଷ୍ଟ୍ରିଆ ଓ ସ୍ଵିଜରଲ୍ୟାଣ୍ଡ ଅଛନ୍ତି। ଏହି ସବୁ ଦେଶଙ୍କ ମୋବିଲିଟି ସ୍କୋର ୧୭୭ ରହିଛି। ଆର୍ଟନ କ୍ୟାପିଟାଲ ପାସପୋର୍ଟ ଇଣ୍ଡେକ୍ଟ ଅନୁସାରେ ଭାରତୀୟ ପାସପୋର୍ଟକୁ ବିଶ୍ବସ୍ତର ରାଙ୍କିଙ୍ଗର ୬୬ତମ ସ୍ଥାନ ମିଳିଛି। ଭାରତୀୟ ପାସପୋର୍ଟର ମୋବିଲିଟି ସ୍କୋର ୭୭, ଅର୍ଥାତ ଭାରତୀୟ ପାସପୋର୍ଟଧାରୀ ୭୭ଟି ଦେଶକୁ ଯାତ୍ରା କରିପାରିବେ।
ଭାରତୀୟ ପାସପୋର୍ଟଧାରୀ ୨୪ ଦେଶଙ୍କୁ ଭିସା ମୁକ୍ତ ଯାତ୍ରା କରିପାରିବେ। ଏହି କ୍ରମ ଅନୁସାରେ ସୂଚୀରେ ପାକିସ୍ତାନ ସବୁଠୁ ତଳେ ରହିଛି। ପାକିସ୍ତାନ ପାସପୋର୍ଟକୁ ୪୭ ମୋବିଲିଟି ସ୍କୋର ମିଳିଛି ଓ ଏହା ବିଶ୍ବର ସବୁଠୁ କମ୍ ଶକ୍ତିଶାଳୀ ଟ୍ରାଭେଲ ଡକ୍ୟୁମେଣ୍ଟର ପଞ୍ଚମ ସ୍ଥାନରେ ରହିଛି। ପାକିସ୍ତାନ ପାସପୋର୍ଟଧାରୀ ବିଶ୍ବର ମାତ୍ର ୧୧ଟି ଦେଶକୁ ଭିସା ନେଇ ଫ୍ରି ଏଣ୍ଟ୍ରି ମିଳିପାରୁଛି।