ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ, କାନାଡ଼ା, ଆମେରିକା ଓ ଅଷ୍ଟ୍ରେଲିଆରେ ନିଜ ପ୍ରତିଭା ପ୍ରଦର୍ଶନ ପରେ ଭାରତୀୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାକୁ ବହୁ ଚର୍ଚ୍ଚିତ ସଙ୍ଗୀତକାର ଦିଲଜିତ ଦୋସାଞ୍ଝ ଭାରତରେ ତାଙ୍କର ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। "ଦିଲ-ଲୁମିନାଟି" ନାମକ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରିବେ ଦିଲଜିତ। ଏହି କାର୍ଯ୍ୟକ୍ରମ ଦିଲ୍ଲୀ ଓ ଜୟପୁରରୁ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ଏହାର ଟିକେଟ ବୁଧବାର ଠାରୁ ଅନଲାଇନ ମାଧ୍ୟମରେ ଉପଲବ୍ଧ ହୋଇଥିଲା। ମାତ୍ର ଟିକେଟ ଆସିବାର ମାତ୍ର ୯ ମିନିଟ ମଧ୍ୟରେ ଏହା ଶେଷ ହୋଇଯାଇଥିଲା।
ସୂଚନାଯୋଗ୍ୟ ଦିଲଜିତଙ୍କର ଅକ୍ଟୋବର ୨୬ ରେ ତାଙ୍କର ଭାରତରେ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଏହା ଡ଼ିସେମ୍ବର ୨୯ରେ ଗୌହାଟୀରେ ଶେଷ ହେବ। ସେ ନଭେମ୍ବର ୩ ତାରିଖରେ ଜୟପୁରରେ ସଂଗୀତ ପରିବେଷଣ କରିବାକୁ ଥିବା ବେଳେ ଅକ୍ଟୋବର ୨୭ ରେ ଦିଲ୍ଲୀ ସ୍ଥିତ ଜବାହାରଲାଲ ଷ୍ଟାଡ଼ିଅମରେ ତାଙ୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସୂଚୀରେ ଅକ୍ଟୋବର ୨୬ ରେ ଦିଲ୍ଲୀରେ ଆଉ ଏକ କାର୍ଯ୍ୟକ୍ରମ ଯୋଡ଼ିଥିଲେ ଦିଲଜିତ। ଦିଲ୍ଲୀରେ ଦୁଇଟି ଯାକ କାର୍ଯ୍ୟକ୍ରମର ଟିକେଟ ବୁଧବାର ଅନଲାଇନ ଉପଲବ୍ଧ ହୋଇଥିଲେ ହେଁ ଏହା ମାତ୍ର ୯ ମିନିଟ ମଧ୍ୟରେ ଶେଷ ହୋଇଯାଇଛି। ଏଥିନେଇ ଦର୍ଶକଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିବା ସୂଚନା ମିଳିଛି।