ମୁମ୍ବାଇ: ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ‘ସ୍ତ୍ରୀ ୨’ ଚଳିତ ବର୍ଷର ସବୁଠୁ ବଡ ଫିଲ୍ମ ସାବ୍ୟସ୍ତ ହୋଇଛି । ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ହରର କମେଡି ଫିଲ୍ମ ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଧମାଲ କରିଥିଲା ଏବଂ ବକ୍ସ ଅଫିସରେ ଜାରି ମରୁଡିର ଅନ୍ତ ଘଟାଇଥିଲା । ଏହି ଫିଲ୍ମ ଏ ପର୍ଯ୍ୟନ୍ତ ଦମଦାର ବ୍ୟବସାୟ କରି ଚାଲିଛି । ଫିଲ୍ମର ଗତି ଥମିବାର ନାଁ ନେଉ ନାହିଁ । ‘ସ୍ତ୍ରୀ ୨’ ରିଲିଜର ଚତୁର୍ଥ ଶୁକ୍ରବାର ଅର୍ଥାତ ୨୩ତମ ଦିନରେ ମଧ୍ୟ ଭଲ କାରବାର କରିଛି ।
୨୦୧୮ରେ ରିଲିଜ ହୋଇଥିବା ‘ସ୍ତ୍ରୀ’ର ସିକ୍ୱେଲ ‘ସ୍ତ୍ରୀ ୨’ ବକ୍ସଅଫିସରେ ନିଜର ଜଲୱା ଜାରି ରଖିଛି । ଫିଲ୍ମ ପ୍ରଥମ ଦିନରୁ ଧୂଆଁଧାର ଆୟ କରିଥିଲା ଯାହା ଚତୁର୍ଥ ଶୁକ୍ରବାରରେ ମଧ୍ୟ ଜାରି ରହିଛି । ଫିଲ୍ମକୁ ଦର୍ଶକଙ୍କ ତରଫରୁ ଜବରଦସ୍ତ ଭଲ ପାଇବା ମିଳିଛି, ଯେଉଁ କାରଣରୁ ‘ସ୍ତ୍ରୀ ୨’ ଦେଖିବା ପାଇଁ ସିନେମାଘରେ ଏବେ ମଧ୍ୟ ଖୁବ୍ ଭିଡ ଲାଗୁଛି । ଏହି ଫିଲ୍ମ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର କରି ୫୦୦ କୋଟିର କ୍ଲବରେ ସାମିଲ ହୋଇ ସାରିଛି । ଏହା ଏବେ ୫୫୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି ।
ସାକନିଲକର ରିପୋର୍ଟ ଅନୁଯାୟୀ, ଚତୁର୍ଥ ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର ୬ ତାରିଖ ଫିଲ୍ମ ୪.୨୫ କୋଟି ଟଙ୍କାର ବ୍ୟବସାୟ କରିଛି । ଏହାକୁ ମିଶାଇ ଫିଲ୍ମର ମୋଟ୍ ବକ୍ସଅଫିସ ନେଟ୍ କଲେକ୍ସନ ୫୦୭.୫୦ କୋଟି ଟଙ୍କାରେ ପହଞ୍ଚିଛି । ‘ସ୍ତ୍ରୀ ୨’ ରିଲିଜର ପ୍ରଥମ ସପ୍ତାହରେ ୨୯୧.୬୫ କୋଟି ଟଙ୍କାର କାରବାର କରିଥିଲା । ଦ୍ୱିତୀୟ ସପ୍ତାହରେ ୧୪୧.୪ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ‘ସ୍ତ୍ରୀ ୨’ ତୃତୀୟ ସପ୍ତାହରେ ୭୦.୨ କୋଟି କାରବାର କରିଥିଲା । ଏବେ ଏହି ହରର ଫିଲ୍ମ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି ।