ସୁନ୍ଦରଗଡ଼: ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ କଥାକୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। କ୍ରୋଧ ସମ୍ଭାଳି ନପାରି ୨ ଭାଇ ରକ୍ତମୁଖା ହୋଇଛନ୍ତି। ସେମାନେ ନାରକୀୟ କାଣ୍ଡ ଭିଆଇଛନ୍ତି। ସ୍ପଷ୍ଟ ଦିବାଲୋକରେ ରାସ୍ତା ଉପରେ ୨ ଭାଇ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରତନପୁର ଗାଁରେ ଏପରି ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ ମନୋଜ ସା।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କୌଣସି କଥାକୁ ନେଇ ମନୋଜଙ୍କର ସେହି ଗ୍ରାମର ବିଜୟ ମହାନନ୍ଦିଆ ଓ ଦୁଲାମଣି ମହାନନ୍ଦିଆଙ୍କ ସହ ଝଗଡା ହୋଇଥିଲା। ଏହି ଝଗଡା କ୍ରମଶଃ ଉଗ୍ରରୂପ ନେଥିଲା। ମହାନନ୍ଦିଆ ୨ ଭାଇ ପ୍ରଥମେ ମନୋଜଙ୍କୁ ମାଡ଼ ମାରିଥିଲେ। ମୁଥ ମାରି ନାକ ଫଟେଇ ଦେଇଥିଲେ। ପରେ ଏକ ଭୁଜାଲିରେ ଆକ୍ରମଣ କରିଥିଲେ। ମନୋଜ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ୨ ଭାଇ ତାଙ୍କୁ ଛାଡ଼ି ନଥିଲେ। ବରଂ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଵୀଭତ୍ସ ଭାବେ ହତ୍ୟା କରିଥିଲେ।
ରିପୋର୍ଟ ଲେଖାଯିବା ବେଳକୁ ଯୁବକଙ୍କ ମୃତଦେହ ରାସ୍ତା ଉପରେ ପଡ଼ିରହିଛି। ଦୁଇ ହତ୍ୟାକାରୀ ଭାଇଙ୍କ ମଧ୍ୟରୁ ବିଜୟ ମହାନନ୍ଦିଆଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି। ଦୁଲାମଣି ମହାନନ୍ଦିଆ ଫେରାର ଅଛି।
ଘଟଣା ପଛର କାରଣ ଅସ୍ପଷ୍ଟ ରହିଛି। କେଉଁ କାରଣରୁ ୨ ଭାଇ ଏପରି ନାରକୀୟ କାଣ୍ଡ ଭିଆଇଲେ ତାହା ଜଣା ପଡିନାହିଁ। ପୂର୍ବ ଶତ୍ରୁତା ଯୋଗୁଁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।