ଖବର ଓଡିଶା : 24/05/2023
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ସହ ଏସ୍ଓଜି ଯବାନ ମୁହାଁମୁହିଁ ହେବା ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ୍ । ଗୁଇନ୍ଦା ସୂଚନା ଆଧାରରେ ସମ୍ପୃକ୍ତ ଅଞ୍ଚଳରେ ଏସଓଜି ଯବାନମାନେ କୁମ୍ବିଂ ଅପରେସନ୍ ଚଳାଇଥିଲେ । ତେବେ କୁମ୍ବିଂ ଅପରେସନ ସମୟରେ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ ।
ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏବେ ବି ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଯବାନଙ୍କ ଗୁଳିରେ କୌଣସି ମାଓବାଦୀ ନିହତ ହୋଇଥିବା ସୂଚନା ଆସିନାହିଁ । କିଛିଦିନର ନିରବତା ପରେ କନ୍ଧମାଳରେ ଲାଲ୍ ବାହିନୀ ପୁଣିଥରେ ନିଜର ସ୍ଥିତି ଜାହିର କରୁଥିବା ଏହି ଘଟଣାରୁ ସଂକେତ ମିଳିଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।