ଭୁବନେଶ୍ୱର: ନିଜ ପୂର୍ବତନ ପ୍ରେମିକ ଓ ତାଙ୍କ ସାଥିଙ୍କୁ ହତ୍ୟା କରିବା ଅଭିଯୋଗରେ ନର୍ଗିସ ଫକ୍ରିଙ୍କ ଭଉଣୀ ଆଲିୟା ଫକ୍ରିଙ୍କୁ ନ୍ୟୁୟର୍କ ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ୪୩ ବର୍ଷୀୟ ଆଲିୟା ଫକ୍ରି ଏକ ଦୁଇ ମହଲା ବିଶିଷ୍ଟ ଗ୍ୟାରେଜରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଓ ଧୂମରେ ଶ୍ୱାସଋଦ୍ଧ ହୋଇ ୩୫ ବର୍ଷୀୟ ଏଡ଼ୱାର୍ଡ଼ ଜ୍ୟାକବ ଓ ୩୩ ବର୍ଷୀୟ ଆନାଷ୍ଟାସିଆ ଏଟିଂ ମୃତ୍ୟୁବରଣ କରିଛନ୍ତି।
ସୂଚନାଯୋଗ୍ୟ ଆଲିୟା ଫକ୍ରି ଜ୍ୟାକବଙ୍କ ଘରକୁ ନଭେମ୍ବର ୨ ତାରିଖରେ ସକାଳୁ ପହଞ୍ଚିଥିଲେ। ସେ ସେହି ସମୟରେ ଜ୍ୟାକବଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାଟି ଘଟିବା ସମୟରେ ଜ୍ୟାକବ ଶୋଇଥିଲେ। ଆଲିୟାଙ୍କ ପାଟି ଶୁଣି ଆନାଷ୍ଟାସିଆ ଶୁଣି ଉଠିଥିଲେ ହେଁ ନିଆଁରୁ ବର୍ତ୍ତି ପାରିନଥିଲେ। ଫଳରେ ଦୁଇ ଜଣଙ୍କ ନିଆଁ ଓ ଧୁଆଁରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।
ଏନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଓ ପ୍ରମାଣ ଆଧାରରେ କୁଇନ୍ସ, ନ୍ୟୁୟର୍କ ପୋଲିସ ତାଙ୍କୁ ଗିରଫ କରିଛି। ଡିସେମ୍ବର ୯ ତାରିଖରେ ଏନେଇ ଶୁଣାଣି ଅନୁଷ୍ଠିତ ହେବ। ଯଦି ଆଲିୟା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଗମ୍ଭୀର ଶାସ୍ତି ମିଳିପାରେ ବୋଲି ବରିଷ୍ଠ ଆଇନଜୀବୀ ପ୍ରକାଶ କରିଛନ୍ତି।