ସୁନ୍ଦରଗଡ଼: ସୁନ୍ଦରଗଡ଼ ଯାଯାବର ଗଣ ହତ୍ୟା ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ସମସ୍ତ ଅଭିଯୁକ୍ତଙ୍କୁ ଓଡ଼ିଶା ଆଣିଛି ପୁଲିସ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୨୨ ଦିନ ପରେ ଅଭିଯୁକ୍ତ ଧରିବାରେ ସୁନ୍ଦରଗଡ଼ ପୁଲିସ ସଫଳ ହୋଇଛି । ଏଥିରେ ଜଣେ ମହିଳା ମାଷ୍ଟରମାଇଣ୍ଡ ଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ଼ ସହର ନିକଟସ୍ଥ କରମଡିହି ପଞ୍ଚାୟତ ସମ୍ମୁଖରେ ରହୁଥିବା ମହାରାଷ୍ଟ୍ର ଏକ ଯାଯାବର ଗୋଷ୍ଠୀ ଉପରେ ଆକ୍ରମଣ ହୋଇଥିଲା । କର୍ଣ୍ଣାଟକର ଏକ ଯାଯାବର ଗୋଷ୍ଠୀ ମହାରାଷ୍ଟ୍ରର ଯାଯାବର ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା । ପ୍ରାୟ ୨୦ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ସଦସ୍ୟଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା । ଏଥିରେ ୩ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଥିଲେ । ଅବିନାଶ ପାୱାର ନାମକ ଜଣେ ବ୍ୟକ୍ତିଙ୍କର ପୁରା ପରିବାରକୁ ମାଟିରେ ମିଶାଇ ଦିଆଯାଇଥିଲା ଛମା ଭୋସଲେ (୨୫), ସୁବାଷ ପାୱାର (୨୩), କୁଣ୍ଡି ପାୱାର, ଚରଣ କୁମାର (୪୫) ଓ କାଇଲା କୁମାର (୩୪ ) ।
ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ଅବିନାଶ ପାୱାର କର୍ଣ୍ଣାଟକ ଯାଯାବର ଗୋଷ୍ଠୀର ଜଣେ ବିବାହିତା ମହିଳାଙ୍କୁ ଅନୁଗୁଳରୁ ନେଇ ପଳାଇ ଆସିଥିବା ଜଣାପଡ଼ିଥିଲା । ଯେଉଁଥିପାଇଁ ଏହି ନରସଂହାର ହୋଇଥିଲା । ତେବେ ଏଥିରେ ଅବିନାଶଙ୍କ ଜୀବନ ବଞ୍ଚିଯାଇଥିଲା । ପୂର୍ବରୁ ଏହି ମାମଲାରେ ପୁଲିସ ୧୩ ଜଣଙ୍କୁ ଅଟକ ରଖିଥିଲା ପୁଲିସ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟମାନଙ୍କୁ ଛାଡ଼ି ଦିଆଯାଇଥିଲା ।