କାର ବିକ୍ରି ହ୍ରାସ ପାଇବା ପଛରେ ଓଲା, ଉବେର ଦାୟୀ: ଅର୍ଥ ମନ୍ତ୍ରୀ
Khabar Odisha:business-odisha-finance-minister-sitharaman-said-people-mindset-to-use-ola-uber-also-responsible-for-slowdown-in-auto-sector
ନୂଆଦିଲ୍ଲୀ,ସେପ୍ଟେମ୍ବର୧୦(ଖବର ଓଡ଼ିଶା):

ଅଟୋ ମୋବାଇଲ ସେକ୍ଟରରେ ଏବେ ମାନ୍ଦାବସ୍ଥା ଜାରି ରହିଛି। ଅନେକ କମ୍ପାନୀ କିଛି ଦିନ ପାଇଁ ନିଜର ଉତ୍ପାଦନ ବନ୍ଦ କରି ଦେଇଛନ୍ତି। ଫଳରେ ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଚାକିରି ବିପଦରେ ପଡ଼ିଛି। ଏହା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଟୋ ସେକ୍ଟରର ଏହି ମାନ୍ଦାବସ୍ଥା ପାଇଁ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଓ ବିଏସ-୬ ମୋଡେଲକୁ ଦାୟୀ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅଟୋ ମୋବାଇଲ ସେକ୍ଟରର ଅବସ୍ଥା ପାଇଁ ଅନେକ କାରକ ଦାୟୀ, ଯେଉଁଥିରେ ବିଏସ-୬ ସଂସ୍କାର, ପଞ୍ଜୀକରଣ ଶୁଳ୍କ ସମ୍ବନ୍ଧିତ ମାମଲା ଓ ଲୋକଙ୍କ ଚିନ୍ତାଧାରା ସାମିଲ।

ଇଏମଆଇଠୁ ଅଧିକ ପସନ୍ଦ ଓଲା, ଉବେର

ସୀତାରମଣ କହିଛନ୍ତି ଯେ ଆଜିକାଲି ଲୋକେ ଗାଡ଼ି କିଣି ଇଏମଆଇ ଭରିବା ପରିବର୍ତ୍ତେ ମେଟ୍ରୋରେ ଯାତ୍ରା କରିବା କିମ୍ବା ଓଲା-ଉବେରର ଉପଯୋଗ କରିବାକୁ ପସନ୍ଦ କରୁଛନ୍ତି। ସେ ସ୍ଵୀକାର କରିଛନ୍ତି ଏହି ସେକ୍ଟରରେ ମାନ୍ଦାବସ୍ଥା ଲାଗି ରହିବା ଏକ ଗୁରୁତର ସମସ୍ୟା, ଯାହାର ସମାଧାନର ରାସ୍ତା ବାହାର କରିବା ନିତାନ୍ତ ଆବଶ୍ୟକ। ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରା ହେବା ଅବସରରେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।  

ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଆମେ ସବୁ କ୍ଷେତ୍ରରେ ଥିବା ସମସ୍ୟାକୁ ନେଇ ଗମ୍ଭୀର ଅଛୁ ଏବଂ ଏହା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି ସରକାର ସମସ୍ତଙ୍କର କଥା ଶୁଣନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ଦୁଇଟି ବଡ଼ ଘୋଷଣା କରାଯାଇଛି, ତଥାପି ଆବଶ୍ୟକତା ଅନୁଯାୟୀ ଆହୁରି ଘୋଷଣା କରାଯାଇପାରେ, ଯେଉଁଥିରେ ମାନ୍ଦାବସ୍ଥାର ମୁକାବିଲା କରାଯାଇ ପାରିବ। 

ମାରୁତିର ଅଧ୍ୟକ୍ଷ ଆରସି ଭାର୍ଗବ ଏହି କଥାକୁ ମନା କରିଥିଲେ ଯେ ଓଲା, ଉବେର କାରଣରୁ କାର ବିକ୍ରି ଉପରେ ପ୍ରଭାବ ପଡ଼ିଛି। ଏହି ସ୍ଥିତି ପାଇଁ ସେ ସରକାରଙ୍କ ନୀତିକୁ ଦାୟୀ କରିଥିଲେ। ଭାର୍ଗବ କହିଛନ୍ତି ଯେ ପେଟ୍ରୋଲ-ଡିଜେଲ ଉପରେ ଅଧିକ ଟ୍ୟାକ୍ସ ଏବଂ ରୋଡ୍  ଟ୍ୟାକ୍ସ କାରଣରୁ ଲୋକେ କାର କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଜିଏସଟି ହ୍ରାସରେ ଏହା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

Subscribe

National International State Sports Entertainment