ନୂଆଦିଲ୍ଲୀ: ଝୁମୁଛି ଭାରତୀୟ ସେୟାର ବଜାର । ଘରୋଇ ବଜାର ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନ ନୂତନ ସର୍ବକାଳୀନ ସ୍ତର ଛୁଇଁଛି । କାରବାର ଆରମ୍ଭରୁ କିଛି ମନ୍ଥରତା ପରେ ବଜାରରେ ଉତ୍ସାହପୂର୍ବକ ରେକର୍ଡ ହୋଇଛି । ବିଏସଇ ସେନସେକ୍ସ ଇତିହାସରେ ପ୍ରଥମ ଥର ୮୪ ହଜାର ଅଙ୍କ ଅତିକ୍ରମ କରିଛି ।
ଘରୋଇ ବଜାରରେ ଆଜି କାରବାର ସାମାନ୍ୟ ମନ୍ଥରତା ସହିତ ଆରମ୍ଭ ହୋଇଥିଲା । ସକାଳ ୯ଟା ୧୫ ମିନିଟରେ ସେନସେକ୍ସ ୩୫୦ ଅଙ୍କ ଏବଂ ନିଫଟି ପ୍ରାୟ ୧୦୦ ଅଙ୍କ ବୃଦ୍ଧି ସହ ଖୋଲିଥିଲା । କିଛି ମିନିଟ ପରେ ସକାଳ ୯ଟା ୨୦ରେ ସେନସେକ୍ସର ବୃଦ୍ଧି ହ୍ରାସ ହୋଇ ୧୭୫ ଅଙ୍କକୁ ଖସି ୮୩ ହଜାର ୩୭୦ରେ ଟ୍ରେଣ୍ଡ କରୁଥିଲା । କିନ୍ତୁ ପରେ କାରବାର ସମୟରେ ବଜାରରେ ଦମଦାର ବୃଦ୍ଧି ଦେଖିବାକୁ ମିଳିଛି ।
ପୂର୍ବାହ୍ଣ ୧୧ଟାରେ ସେନସେକ୍ସ ୮୧୬ ଅଙ୍କର ଜବରସ୍ତ ବୃଦ୍ଧି ସହିତ ୮୪ ହଜାର ସ୍ତର ଅତିକ୍ରମ କରିଥିଲା । ସେନସେକ୍ସ ଇତିହାସେ ଏହା ପ୍ରଥମ ଦେଖିବାକୁ ମିଳିଛି । ଏହିପରି ନିଫଟି ୨୫ ହଜାର ୬୬୩.୪୫ର ଉଚ୍ଚସ୍ତର ଛୁଇଁବା ପରେ ୨୫ ହଜାର ୬୪୫ରେ ଟ୍ରେଣ୍ଡ କରୁଛି । ମୋଟାମୋଟି ଶୁକ୍ରବାର ଆରମ୍ଭରୁ ସେୟାର ବଜାରରେ ସକରାତ୍ମକ କାରବାର ଦେଖିବାକୁ ମିଳିଛି ।
ଏହା ପୂର୍ବରୁ ଗୁରୁବାର ଘରୋଇ ବଜାର ନୂତନ ସ୍ତର ଛୁଇଁଥିଲା । ଗତକାଲି କାରବାରର ସେନସେକ୍ସ ୮୩,୭୭୩.୬୧ ଅଙ୍କ ଏବଂ ନିଫଟି ୨୫,୬୧୧.୯୫ ଅଙ୍କର ସର୍ବକାଳୀନ ସ୍ତର ଛୁଇଁଥିଲା । କାରବାର ଶେଷ ବେଳକୁ ସେନସେକ୍ସ ୨୩୬ ପଏଣ୍ଟ ବୃଦ୍ଧି ସହ ୮୩ ହଜାର ୧୮୪.୮୦ ଅଙ୍କରେ ଏବଂ ନିଫଟି ୨୫,୪୧୫.୯୫ ଅଙ୍କରେ ବନ୍ଦ ହୋଇଥିଲା ।