ନୂଆଦିଲ୍ଲୀ, ମେ ୧୬ (ଖବର ଓଡ଼ିଶା): ଶିଳ୍ପପତି ଗୌତମ ଅଦାନୀ ଏବେ ଦେଶର ନୂଆ ସିମେଣ୍ଟ କିଙ୍ଗ୍ ହେବେ । ତାଙ୍କର ଅଦାନୀ ଗ୍ରୁପ ଦେଶର ୨ ବଡ ସିମେଣ୍ଟ କଂପାନୀ ଏସିସି ଲିମିଟେଡ ଓ ଅମ୍ବୁଜା ସିମେଣ୍ଟ କିଣିଛନ୍ତି ।
ଏସିଆ ମହାଦେଶର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଅଦାନୀ ପରିବାର ଏକ ସ୍ପେଶାଲ ଅଫଶୋର କଂପାନୀ (ଏସପିଏ) ଗଢ଼ି ଏସିସି ଓ ଅମ୍ବୁଜା ସିମେଣ୍ଟରେ ସୁଇଜରଲାଣ୍ଡର ସିମେଣ୍ଟ କଂପାନୀ ହୋଲସିମ୍ ଲିମିଟେଡର ଭାଗିଦାରୀ ହୋଇପାରିଛି । ଏଥି ପାଇଁ ଉଭୟ କଂପାନୀ ମଧ୍ୟରେ ବୁଝାମଣା ହୋଇଛି । ଏଥି ସହିତ ଅଦାନୀ ଗ୍ରୁପ ଏବେ ସିମେଣ୍ଟ ବ୍ୟବସାୟରେ ମଧ୍ୟ ପ୍ରବେଶ କରିଛି ।
ହୋଲସିମ ଓ ଏହାର ଶାଖା କଂପାନୀ ପାଖରେ ଅମ୍ବୁଜା ସିମେଣ୍ଟରେ ୬୩.୧୯ ଓ ଏସିସିରେ ୫୪.୫୩ ପ୍ରତିଶତ ଭାଗିଦାରୀ ରହିବ । ଏସିସି ସିମେଣ୍ଟ ୫୪.୩୩ ପ୍ରତିଶତ ସେୟାରରୁ ୫୦.୦୫ ପ୍ରତିଶତ ସେୟାର ଅମ୍ବୁଜା ସିମେଣ୍ଟ ମାଧ୍ୟମରେ କିଣାଯାଇଥିଲା । ଅଦାନୀ ଗ୍ରୁପ ଉଭୟ କଂପାନୀରେ ହୋଲସିମର ସେୟାର ପାଇଁ ପାଖାପାଖି ୮୧,୩୬୦ କୋଟି ଟଙ୍କା ଲଗାଇଛି । ଏହା ଦେଶର ଇତିହାସରେ ଇନଫ୍ରାଷ୍ଟକ୍ଚର ଓ ମେଟେରିଆଲ ସେକ୍ଟରରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବୁଝାମଣା ।