Home >
କନ୍ଧବାଦ୍ୟ ଓ ବାଘନୃତ୍ୟରେ କମ୍ପୁଛି ଭଞ୍ଜନଗର
Khabar Odisha:Thakurani-Jatra-in-BHanjanagar
ଭଞ୍ଜନଗର, ମେ ୧୫ (ଖବର ଓଡ଼ିଶା): ବ୍ରହ୍ମପୁରରେ ମା ସାଆନ୍ତାଣୀଙ୍କ ମାସାଧିକ ବ୍ୟାପୀ ଯାତ୍ରା ସରିବା ପରେ ଜିଲ୍ଲାର ଆଉ ଏକ ଖ୍ୟାତନାମା ସହର ଭଞ୍ଜନଗରରେ ଠାକୁରାଣୀ ଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବାଜାବାଜଣା ସାଙ୍ଗକୁ ବେଶ୍ ପଟୁଆରରେ କମ୍ପୁଛି ଭଞ୍ଜନଗର ।
 
ପୋଲସରା ପାଟିଗଡ଼ର ଘୋଡ଼ିଶଙ୍ଖ, ଦଶପଲ୍ଲାର କନ୍ଧବାଦ୍ୟ, ରମ୍ଭାର ଧୁମ ଧଡାକା, ପାଟପୁରର ଦଶ ଅବତାର , ଭୁବନେଶ୍ୱରର ପଞ୍ଜାବୀ ଢୋଲ, ଭଞ୍ଜନଗରର ନାଗରାରେ ଦୁଲୁକୁଛି ସହର । ପାରମ୍ପରିକ ବେଶ ପୋଷାକ, ବାଘ ନୃତ୍ୟ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି ।
 
ମା ବୁଢୀ ଠାକୁରାଣୀ, ମା ବ୍ୟାଘ୍ରଦେବୀ ଓ ମା କାଳିକା ନଗର ପରିକ୍ରମା କରିଛନ୍ତି । ଦିବାକର ବାହାଦୁରଙ୍ଗ ବାସଗୃହରେ  ତିନିଠାକୁରାଣୀ ପହଂଚିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।
 
ଆସନ୍ତା ୨୦ ତାରିଖରେ କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଞ୍ଜନଗର ଠାକୁରାଣୀ ଯାତ୍ରାକୁ ଆସୁଥିବା ଜଣାପଡ଼ିଛି । ବ୍ରହ୍ମପୁର ଯାତ୍ରାରେ ଧର୍ମେନ୍ଦ୍ର ପହଂଚିବା ପରେ କେବେ ବି ଯାତ୍ରା କଥା ଚିନ୍ତା କରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଆସି ବୁଢୀ ଠାକୁରାଣୀଙ୍କ କୃପାଭିକ୍ଷା କରିଥିଲେ । ଏବେ ଧର୍ମେନ୍ଦ୍ର ଆସନ୍ତା ୨୦ ତାରିଖରେ ଭଞ୍ଜନଗର ଆସୁଥିବାରୁ ଏବଂ ଗତ ନିର୍ବାଚନରେ କଂଗ୍ରେସରୁ ବିଧାୟକ ପ୍ରାର୍ଥି ହୋଇଥିବା ଦିବାକର ତ୍ରିପାଠୀ, ଓକିଲ ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଯୁବନେତା ସମୀର ନାୟକ ପ୍ରମୁଖ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି । ଧର୍ମେନ୍ଦ୍ରଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଭଞ୍ଜନଗର ଆସିପାରନ୍ତି ବୋଲି ଆଉ ଗୋଟିଏ ଗୋଷ୍ଠୀରେ ଚର୍ଚ୍ଚା ଚାଲିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତସୂଚୀରେ ଭଞ୍ଜନଗର ନାହିଁ ।
  • Tags:

Subscribe

National International State Sports Entertainment