ଇଂଲିଶ୍‌ ଗୀତ ସେପ୍‌ ଅଫ୍‌ ୟୁରେ ଓଡିଶୀ ନୃତ୍ୟ
Khabar Odisha:odissi-dancer-dance-in-song-shape-of-you-english-song
ଭୁବନେଶ୍ୱର, ମାର୍ଚ୍ଚ-୨୧(ଖବରଓଡିଶା) : ଓଡିଶାର ଗର୍ବ ଓଡିଶୀ ନୃତ୍ୟ । ଓଡିଶୀ ଆଜି କେବଳ ଓଡିଶାରେ ସୀମିତ ନରହି ବିଶ୍ୱ ବ୍ୟାପୀ ବ୍ୟାପକ ଖ୍ୟାତି ଅର୍ଜନ କରି ସାରିଲାଣି । ବିଦେଶୀମାନେ ଓଡିଶୀ ପ୍ରତି ଆକର୍ଷିତ ହୋଇ ଓଡିଶା ଆସି ଏହାର ପ୍ରଶିକ୍ଷଣ ମଧ୍ୟ ନେଲେଣି । ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର କରାଇବାରେ ବହୁ ବିଶିଷ୍ଟ ଲୋକଙ୍କ ଅବଦାନ ରହିଛି । ସେମାନଙ୍କ ମଧ୍ୟରୁ ଗୁରୁ କେଳୁଚରଣ,ଆଦିଗୁରୁ ପଙ୍କଜ ଚରଣ,କୁମ୍‌କୁମ୍‌ ମହାନ୍ତିଙ୍କ ନାମ ଅବିସ୍ମରଣୀୟ। ମାତ୍ର ଏବେର କିଛି ଯୁବବର୍ଗ ଓଡିଶୀ ନୃତ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ଭିନ୍ନ ଶୈଳୀର ଉପଯୋଗ କରୁଥିବା ଦେଖାଗଲାଣି। 
 
ନିକଟରେ ପ୍ରସିଦ୍ଧ ଆମେରିକାନ୍‌ ଫାଣ୍ଡାସି ଡ୍ରାମା ଟେଲିଭିଜନ ସିରିଜ୍‌ ଗେମ୍ ଅଫ୍‌ ଥ୍ରୋନ୍‌ଥିମ୍‌ ମ୍ୟୁଜିକ୍‌ରେ ଓଡିଶୀ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ପଲ୍ଲବୀ ଦାସ । ସେହିପରି ଏବେ ଆଉ ଏକ ଗ୍ରୁପ୍‌ ଭିନ୍ନ ଶୈଳୀରେ ଓଡିଶୀ କରି ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟିବା ସହ ସୋସିଆଲ୍‌ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ପପ୍‌ ସିଙ୍ଗର୍‌ ଏଡ୍‌ ସିରନଙ୍କ ପ୍ରସିଦ୍ଧ ଇଂଲିଶ ଗୀତ ସେପ୍‌ ଅଫ୍‌ ୟୁରେ ଓଡିଶୀ କରି ଏହି ଗ୍ରୁପ୍‌ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
 
ଗତ ଜାନୁଆରୀରେ ଏଡ୍‌ ସିରନ୍‌ଙ୍କ ଡିଭାଇଡ୍‌ ଆଲ୍‌ବମ୍‌ର ସେପ୍‌ ଅଫ୍‌ ୟୁ ଗୀତ ଏବେ ବିଶ୍ୱରେ ଚହଳ ପକାଇଛି । ଡିଟୁର୍‌ ଓଡିଶା ପକ୍ଷରୁ ପ୍ରସ୍ତୁତ ହୋଇଛି ସେପ୍‌ ଅଫ୍‌ ୟୁ ଗୀତର ନୃତ୍ୟ ଭିଡିଓ । ଯେଉଁଥିରେ ନୃତ୍ୟଶିଳ୍ପୀମାନେ ଓଡିଶାର ଐତିହ୍ୟ ଓ ଓଡିଶୀର ଅକ୍ଷୁର୍ଣ୍ଣତାକୁ ବଜାୟ ରଖି ସେପ୍‌ ଅଫ୍‌ ୟୁ ଗୀତର ତାଳେ ତାଳେ ଖୁବ୍‌ ସୁନ୍ଦର ନୃତ୍ୟ କରିଛନ୍ତି । ଏହି ଗୀତର ଶୁଟିଂ ଓଡିଶାର ଐତିହାସିକ ସ୍ଥଳ ଶିଶୁପାଳଗଡ, ଶାନ୍ତିସ୍ତୂପ ଧଉଳି, ବ୍ରହ୍ମେଶ୍ୱର ମନ୍ଦିରରେ ଗୋଟିଏ ଦିନରେ ହୋଇଛି । ଗତ ମାର୍ଚ୍ଚ ୧୯ରେ ୟୁ ଟୁବ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଏହି ଭିଡଓକୁ ୩ ହଜାରରୁ ଅଧିକ ଦର୍ଶକ ଦେଖିସାରିଲେଣି,ଯାହା ଓଡିଶୀର ବିକାଶ ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଛି । ଏହି ଭିଡିଓର ଇଂଲିଶ ଗୀତରେ ଓଡିଶାର ଐତିହ୍ୟ ସହ ଓଡିଶୀ ନୃତ୍ୟ ଓ ଇତିହାସର ଅପୂର୍ବ ମିଳନ ଘଟିଛି ।

 

  • Tags:

Subscribe

National International State Sports Entertainment