ସାଇକେଲ୍‌ରେ ସ୍ୱାସ୍ଥ୍ୟ ସେବା
Khabar Odisha:Treatment-in-Cycle-Bhubaneswar
ସାଇକେଲ୍‌ରେ ସଜା ହୋଇଛି ଭଳିକି ଭଳି ଆୟୁର୍ବେଦିକ ଔଷଧ। ବ୍ୟାଟେରୀ ଚାଳିତ ଛୋଟ ଏକ ଡାକବାଜି ଯନ୍ତ୍ର ବି ରହିଛି। ସାଇକେଲ୍‌କୁ ଗଡାଇ ଔଷଧର ଗୁଣ ଓ ଉପକାରୀତାକୁ ପ୍ରଚାର କରି ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି ଜଣେ ୨୮ ବର୍ଷର ଯୁବକ।
 
ଯୁବକଙ୍କ ନାମ ହେଉଛି ରାଣା। ଘର ପଶ୍ଚିମବଙ୍ଗରେ। ରହନ୍ତି କଟକରେ, ବୃତ୍ତି ଭୁବନେଶ୍ୱରରେ। କଟକରୁ ଭୋର୍‌ ୪ରୁ ଟ୍ରେନ୍‌ରେ ଆସି ଓହ୍ଲାନ୍ତି ଭୁବନେଶ୍ୱର ରେଳ ଷ୍ଟେସନରେ। ମାଷ୍ଟରକ୍ୟାଣ୍ଟିନ୍ ରେଳ ଷ୍ଟେସନ୍‌ ନିକଟ ସାଇକେଲ୍‌ ଷ୍ଟାଣ୍ଡରେ ରଖିଥାନ୍ତି ତାଙ୍କର ସାଇକେଲ୍‌। କାନ୍ଧରେ ଓହଳାଇଥିବା ଔଷଧ ଭର୍ତ୍ତି ବ୍ୟାଗ୍‌କୁ ସାଇକେଲ୍‌ ପଛରେ ସଜେଇ ଜୀବିକାର ଯାତ୍ରା ଆରମ୍ଭ କରିନ୍ତି। ରାଜଧାନୀର ରାଜରାସ୍ତାରେ ବୁଲି ବୁଲି ଔଷଧ ବିକନ୍ତି। ୟୁନିଟ୍‌-୩ ସ୍ଥିତ ‘ଉତ୍କଳିକା’ ଭବନ ନିକଟରେ ଅଧିକାଂଶ ସମୟରେ ରାଣାଙ୍କ ଦେଖା ମିଳେ।
 
ଦାନ୍ତବିନ୍ଧା ମୁଣ୍ଡବିନ୍ଧା ଠାରୁ ସ୍ମୃତି ଶକ୍ତି ବର୍ଦ୍ଧକ ଯାଏ ୬୦-୭୦ ପ୍ରକାରର ଚୂର୍ଣ୍ଣ, ତୈଳ, ଭସ୍ମ, ବଟିକା, ମଲମ, ବାମକୁ  ସେ କଟକର ହୋଲ୍‌ସେଲ୍‌ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ନଗଦ ଅର୍ଥ ଦେଇ କିଣନ୍ତି। ସମୁଦାୟ ତିନି ହଜାର ଟଙ୍କାର ସାମଗ୍ରୀ। କୋଉଦିନ ୧୦୦୦ ତ କୋଉ ଦିନ ୨୦୦୦ ଟଙ୍କାର ଔଷଧ ବିକ୍ରି ହେଉଥିବା କଥା କହନ୍ତି ରାଣା। ଏଥିରୁ ଦୈନିକ ୨୦୦ରୁ ୫୦୦ ଟଙ୍କା ପର୍ୟ୍ୟନ୍ତ ଲାଭ ମିଳେ ଓ ସେଥିରୁ ପରିବାର ଚଳିଯାଏ। ଏହା କେବଳ ଏକ ବୃତ୍ତି ନୁହେଁ ଏଥିରୁ ଅନେକ ଲୋକଙ୍କୁ ଆରୋଗ୍ୟ ପ୍ରଦାନ କରାଯାଉଥିବା ଶୁଣିଲେ ମନଟା କୁଣ୍ଡେ ମୋଟ ହୋଇଯାଏ ବୋଲି ରାଣା କହନ୍ତି।


 
  • Tags:

Subscribe

National International State Sports Entertainment