ଅବହେଳିତ ଅବସ୍ଥାରେ ମହାପୁରୁଷଙ୍କ ପ୍ରତିମୂର୍ତି
Khabar Odisha:Statues-Of-Heroes-Neglected

୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା ଆମ ଭାରତବର୍ଷ । ପାଖାପାଖି ୨୦୦ ବର୍ଷର ଅତ୍ୟାଚାରୀ ଇଂରେଜ ମାନଙ୍କ ଶାସନରୁ ଆମକୁ ମୁକ୍ତି ମିଳିଥିଲା । ଏଥିପାଇଁ ଅନେକ ନେତା, ସଂଗ୍ରାମୀ, କବି, ଲେଖକମାନେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହି ମହାପୁରୁଷ ମାନଙ୍କ ପାଇଁ ସମଗ୍ର ଦେଶ ଏବଂ ଏହାର ଅଧିବାସୀ ଆଜି ସ୍ୱାଧୀନତା ସହ ଜୀବନ ଅତିବାହିତ କରୁଛନ୍ତି । ଇଂରେଜ ମାନଙ୍କ ଅକଥନୀୟ ଅତ୍ୟାଚାର ସହି, ଜେଲ ଯାଇ ଫାଶି ଖୁଂଟରେ ଝୁଲି ଦେଶକୁ ମୁକ୍ତ କରିଥିବା ଏହି ମହାମାନବ ମାନଙ୍କୁ ସମ୍ମାନ ଜଣାଇବା ବା ତାଙ୍କ ସ୍ମୃତିକୁ ସବୁଦିନ ସତେଜ ରଖିବା ପାଇଁ ଦେଶର କୋଣ ଅନୁକୋଣରେ ବିଭିନ୍ନ ପାର୍କ, ଛକ, ବଜାର, ସରକାରୀ କାର୍ଯ୍ୟାଳୟ ଆଦିରେ ଅନେକ ପ୍ରତିମୂର୍ତିମାନ ସ୍ଥାପନ କରାଯାଇଛି । ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହାପୁରୁଷ ମାନଙ୍କ ସମ୍ମାନାର୍ଥେ ବା ସ୍ମୃତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅନେକ ପ୍ରତିମୂର୍ତି ନିର୍ମାଣ କରାଯାଇଛି ।

କିନ୍ତୁ ସେଗୁଡିକର ସୁନ୍ଦରତା ଏବଂ ବାସ୍ତବ ସ୍ଥିତି ଏକ ଭିନ୍ନ ଚିତ୍ର ଉପସ୍ଥାପନ କରୁଛି । ରାସ୍ତାରେ ଉଡୁଥିବା ଧୂଳି-ଧୂଆଁ, ଅଳିଆ-ଆବର୍ଜନା, ପଶୁ-ପକ୍ଷୀ ମାନଙ୍କର ମଳରେ ଆଚ୍ଛାଦିତ ହୋଇରହିଛି ପ୍ରତିଟି ପ୍ରତିମୂର୍ତି । କିଛି କିଛି ସ୍ଥାନରେ କେବଳ ମୂର୍ତି ଗୁଡିକର ଭଗ୍ନନାବଶେଷ ପଡି ରହିଛି । ମହାପୁରୁଷ ମାନଙ୍କର ଜୟନ୍ତୀ କିମ୍ବା ପୂଣ୍ୟତିଥି ଭଳି ଦିନ ମାନଙ୍କରେ ହିଁ କେବଳ ସେଗୁଡିକି ଧୋଇ ଦିଆଯାଉଛି ଏବଂ ଫୁଲମାଳଟିଏ ପିନ୍ଧାଇଦେଇ ଯାଉଛି । ଅନ୍ୟ ସମୟରେ ନା ସେଗୁଡିକ କାହାକୁ ଦେଖାଯାଉଛି ନା ସେସବୁର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉଛି । ଆଉ ୪ଦିନ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ବିଭିନ୍ନ ସ୍କୁଲ-କଲେଜ, ସରକାରୀ-ବେସରକାରୀ କାର୍ଯ୍ୟାଳୟ ଆଦିରେ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । କିନ୍ତୁ ଭାରତୀୟ ସମ୍ବିଧାନର ମୁଖ୍ୟ ବସ୍ତୁକାର ବି.ଆର୍. ଆମ୍ବେଦକର ତଥା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପ୍ରତିମୂର୍ତି ଗୁଡିକ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଅବହେଳିତ ଭାବେ ପଡି ରହିଛି । ଏମିତି ସମସ୍ତ ପ୍ରତିମୂର୍ତିର ଅବସ୍ଥା ପ୍ରାୟ ସମାନ । ଏହାସବୁ ଦେଖିଲେ ମହାପୁରୁଷ ମାନଙ୍କ ପ୍ରତି ଆମ ସରକାରଙ୍କର କେତେ ସମ୍ମାନ ଅଛି ତାହା ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । 
ପ୍ରତିମୂର୍ତି ଗୁଡିକର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ପାଇଁ ସରକାର ଅନେକଥର ବିଭିନ୍ନ ଯୋଜନା ଆଗତ ଏବଂ ପ୍ରଣୟନ କରିଛନ୍ତି । ମୂର୍ତି ଗୁଡିକର ସୌନ୍ଦର୍ଯ୍ୟ ଏବଂ ସୁରକ୍ଷା ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାଛଡା ଅନେକଥର ବିଭିନ୍ନ ଗଣମାଧ୍ୟମରେ ପ୍ରତିମୂର୍ତି ଗୁଡିକର ଅବହେଳିତ ଅବସ୍ଥାକୁ ନେଇ ଖବର ପ୍ରସାରଣ ତଥା ସଚେତନ କରାଯାଇଥିଲେ ମଧ୍ୟ ସବୁ ଯେମିତି ଫଳଶୂନ୍ୟ ହୋଇଛି । ଆମକୁ ସ୍ୱାଧୀନତାର ଉପହାର ଦେଇଥିବା ସଂଗ୍ରାମୀ ମାନଙ୍କୁ ସତରେ ସମ୍ମାନ ଦେବା ଉଚିତ୍ ବୋଲ ଯଦିି ସରକାର ହୃଦୟଙ୍ଗମ କରୁଛନ୍ତି ତେବେ ସେମାନଙ୍କ  ସ୍ମୃତି ଉଦେ୍ଦଶ୍ୟରେ ନିର୍ମାଣ କରାଯାଉଥିବା ପ୍ରତିମୂର୍ତି ଗୁଡିକର ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ ପାଇଁ ନୀତିଦିନ ପ୍ରୟାସ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
-ପ୍ରଦୀପ୍ତ
  • Tags:

Subscribe

National International State Sports Entertainment