ପ୍ରସ୍ତୁତ ରଣକ୍ଷେତ୍ର, ମୋଦୀବାହିନୀଙ୍କୁ ଅପେକ୍ଷା
Khabar Odisha:Platform-ready-wait-for-the-leaders
ଭୁବନେଶ୍ଵର,ଏପ୍ରିଲ୧୪(ଖବର ଓଡ଼ିଶା): ରଣକ୍ଷେତ୍ର ପ୍ରସ୍ତୁତ । କେବଳ ସାରଥି ଆସିଲେ ଯୁଦ୍ଧର ବିଗୁଲ ବାଜିବ। ଜନତା ମଇଦାନରେ ଏହାକୁ ନେଇ ପ୍ରସ୍ତୁତି ପର୍ଯ୍ୟାୟ ଶେଷ ଅବସ୍ଥାରେ। ରାତି ସମୟରେ ନାଲି, ନେଳି, ହଳଦିଆ ଆଲୋକମାଳାରେ ଝଲସୁଛି ପଦ୍ମ। କର୍ମଚାରୀମାନଙ୍କ ମଧ୍ୟରେ ବି ଉତ୍ସାହର ମାହୋଲ। ଶୁକ୍ରବାର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏବେ ମୋଦିଙ୍କୁ ଅପେକ୍ଷା। ପ୍ରସ୍ତୁତ ହେବ ଆଗାମୀ ନିର୍ବାଚନର ବ୍ଲୁ ପ୍ରିଣ୍ଟ।
 
୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ୪ଟି ରାଜ୍ୟରେ ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟି ଏବେ ମିଶନ ୨୦୧୯କୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପଞ୍ଚାୟତ ନିର୍ବାଚନରେ  ହାସଲ କରିଥିବା ଅଦ୍ଭୁତପୂର୍ଣ୍ଣ ସଫଳତାକୁ ୨୦୧୯ ନିର୍ବାଚନରେ ଦୋହରାଇବା ପାଇଁ ବିଜେପି କେନ୍ଦ୍ର ନେତୃବୃନ୍ଦ ଅଣ୍ଟା ଭିଡ଼ିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ସହ ମିଶନ ଓଡ଼ିଶାକୁ ନେଇ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରରେ ଆୟୋଜିତ ହେଉଛି।
 
ଚଳିତ ବର୍ଷ ନିର୍ବାଚନରେ ରାଜ୍ୟରେ ଭଲ ପଦର୍ଶନ କରିବା ପରେ ବିଜେପି ଏବେ ଓଡ଼ିଶାକୁ ନିଜର ପ୍ରୟୋଗଶାଳା ବନାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ଦଳ ୨୦୧୯ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବ। ୧୫ ଓ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକ ନେଇ ଭୁବନେଶ୍ଵରର ଜନତା ମଇଦାନରେ ପ୍ରସ୍ତୁତି ଶେଷ ହୋଇଛି।  ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେଉଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ରହିବେ। ଏହା ସହ ରାଜନାଥ ସିଂହ, ଅରୁଣ ଜେଟଲୀ, ଲାଲକୃଷ୍ଟ ଆଡ଼ଭାଣୀ, ମୁରଲୀ ମନୋହର ଯୋଶୀ, ନିତୀନ ଗଡ଼କରି, ଭେଙ୍କେୟା ନାଇଡ଼ୁଙ୍କ ପରି ବରିଷ୍ଠ ନେତାଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ।
 
ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିଶ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡଃ ରମଣ ସିଂହଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈାହାନ, ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନଓ୍ଵଲ, ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଆଦି ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକାରିଣୀରେ ଯୋଗ ଦେବେ। ଏତଦ୍ ବ୍ୟତିତ ୩୪୦ରୁ ଉର୍ଦ୍ଧ୍ଵ ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହେବେ। ସବୁଠାରୁ ଅଧିକ ଗୁରୁତ୍ଵବହନ କରୁଥିବା ଏହି ବୈଠକରେ ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ନେତୃତ୍ୱକୁ ଆଧାର କରି ଭାରତବର୍ଷର ପ୍ରତିଟି କ୍ଷେତ୍ରକୁ ସଫଳତାର କର୍ମଭୂମିରେ ପରିବର୍ତ୍ତନ କରିବ ସେଥିପାଇଁ ପ୍ରୟାସ କରୁଛି ବିଜେପି।
 
ସୂଚନାଯୋଗ୍ୟ, ଏହା ପୂର୍ବରୁ ଶେଷ ଥର ୧୯୯୮ରେ ଓଡ଼ିଶାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକ ଆୟୋଜିତ ହୋଇଥିଲା।
 
  • Tags:

Subscribe

National International State Sports Entertainment