ଅାଧୁନିକ ଯୁଗରେ ବି ବଞ୍ଚିଛି ଭଗବାନଙ୍କ ପ୍ରତି ଅାସ୍ଥା
Khabar Odisha:For-God-belive-still-alive-in-Modern-time
ଦେହରେ ଗେରୁଆ ବସ୍ତ୍ର । ଆଖିରେ କେବଳ ସେହି ପରମେଶ୍ୱରଙ୍କ ପ୍ରତି ଭକ୍ତି ଓ  ସମାଜର ବିକାଶ ପାଇଁ ଅନେକ ଆଶା।  ତାଙ୍କ ମନରେ ନା ଅଛି ଆଉ କିଛି ପାଇବାର ଆଶା ନା ଅଛି କିଛି ହରେଇବାର ଦୁଃଖ । ଏମିତି ଭାବେ ପ୍ରତିଟି ଦିନ ଓ ରାତି ପ୍ରଭୁଙ୍କୁ ସମର୍ପିଦେଇ ଜୀବନ ଅତିବାହିତ କରୁଛନ୍ତି ସୁବଳ ବାବା । ସେ ମହିମା ଅଲେଖଙ୍କ ଦୀକ୍ଷାରେ ଦୀକ୍ଷିତ । ଜନ୍ମ ତାଙ୍କର ନୟାଗଡ ଜିଲ୍ଲା  ଖଣ୍ଡପଡା ବ୍ଲକର ଶିଖରପୁର ଠାରେ । ପିଲା ବେଳୁ ତାଙ୍କ ପିତା ମାତା ସ୍ୱପ୍ନ ଦେଖିଥିଲେ ପୁଅ ପାଠ ପଢି ସମାଜରେ ପ୍ରତିଷ୍ଠିତ ହେବ । ସୁଖରେ  ସଂସାର କରିବ ଏବଂ  ଅଭାବ ଅନଟନକୁ ଦୂର କରିବ। 
 
ଦିନ ପରେ ଦିନ ଗଡି ଚାଲିଲା । ହୁଏତ ସେ ବିଧାତାଙ୍କ ଲେଖନୀରେ ସୁବଳଙ୍କ ପାଇଁ ଆଉ କିଛି ରଚନା ହୋଇଥିଲା । ଅତି କମ୍ ବୟସରଙ୍କ ତାଙ୍କୁ ଶ୍ୱାସ ଜନିତ ରୋଗ ମାଡି ବସି ଥିଲା । ବିଭିନ୍ନ ବଇଦ ତଥା ଘରୋଇ ଚିକିତ୍ସା ତାଙ୍କ ସ୍ୱାସ୍ଥ୍ୟ ଭଲ କରିବା ପାଇଁ ବିଫଳ ହୋଇଥିଲା । କିନ୍ତୁ ଦିନେ ହଠାତ୍ କିଛି ଅଲେଖ ବାବଜୀ ତାଙ୍କ ଗାଁକୁ ଆସିଥିଲେ ଏବଂ ତାଙ୍କୁ ସାକ୍ଷାତ କରିଥିଲେ ସୁବଳ ଓ ତାଙ୍କ ବାପା ମା । ସେହି ବାବାଜୀମାନେ କହିଥିଲେ ଯେ ପୁଅକୁ ଅଲେଖ ଦୀକ୍ଷାରେ ଦୀକ୍ଷିତ କଲେ ଆପଣଙ୍କ ସବୁ ଦୁଃଖ ଅପସରିଯିବ ଏବଂ  ସୁବଳର ଦେହ ମଧ୍ୟ ସବୁବେଳେ ଭଲ ରହିବ । ସମସ୍ତ ଆଶା ହରାଇ ବସିଥିବା ଏବଂ ସବୁ ସ୍ଥାନରୁ ଖାଲି ହାତରେ ଫେରିଥିବା ସୁବଳର ବାପା ଓ ମା ଅନିଚ୍ଛା ସତ୍ୱେ ବାବାଜୀଙ୍କ କଥାରେ ରାଜି ହୋଇଯାଇଥିଲେ । ସେହି ମୁହୂର୍ତରେହିଁ ସୁବଳ ଅଲେଖ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ବାବାଜୀ ମାନଙ୍କ ସହ ଘର ଛାଡି ଚାଲିଯାଇଥିଲେ । ସେହିଦିନ ଠାରୁ ପରିବାରର ମୋହ ମାୟାରୁ ମୁକ୍ତ ହୋଇ ସବୁଦିନ ପାଇଁ ପ୍ରଭୁଙ୍କ ଆଶ୍ରୟକୁ ନିଜ ଭାଗ୍ୟ ଭାବେ ଗ୍ରହଣ କରିଥିଲେ ସୁବଳ । ଧିରେ ଧିରେ ତାଙ୍କ ଦେହ ଭଲ ହୋଇଯାଇଥିଲା । ତା ସହ ବଢିଥିଲା ଭଗବାନ ଉପରେ ଦୃଢ ବିଶ୍ୱାସ ଓ ଭକ୍ତି ।
 
ସ୍ୱର୍ଗତ ଗୁରୁ ଚକ୍ରଧର ବାବାଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଜୀବନର ପ୍ରତିଟି ପାହଚ ସେ ଚଢି ଚାଲିଛନ୍ତି । ଏବେ ତାଙ୍କୁ ବୟୟ ପ୍ରାୟ ୪୮ ବର୍ଷ । ସାଂସାରିକ ଜୀବନରୁ ମୁକ୍ତ ରହି ଆଠଗଡ ସ୍ଥିତ ଘଂଟିଖାଲ ଠାରେ ଅନ୍ୟ କିଛି ବାବାଜୀଙ୍କ ସହ ଏବେ ସେ ଜଣେ ସନ୍ଥ ଭାବେ ଜୀବନ ଯାପନ କରୁଛନ୍ତି । ସବୁ ବାବାଜୀଙ୍କ ଭଳି ଭିକ୍ଷାବୃତି କରି ସେ ଚଳି ଯାଉଛନ୍ତି । ପ୍ରତିଦିନ ସୂର୍ଯେ୍ୟାଦ୍ୱୟ ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତି ସୁବଳ ବାବା ଏବଂ ସନ୍ଧ୍ୟା ହେବା ପୂର୍ବରୁ ସେ ଖାଦ୍ୟ ଗ୍ରହଣ କରନ୍ତି । ଖାଦ୍ୟ ଭାବେ ଭାତ, ଡାଲମା ମୁଖ୍ୟତଃ ସେ ଗ୍ରହଣ କରିଥାନ୍ତି । ଏହି ସବୁ ଦ୍ୱାରା କଷ୍ଟ ହୁଏନି ବୋଲି ପଚାରିବାରୁ ସେ କୁହନ୍ତି ଯେ ପିଲା ଦିନେ ଚଣା ସିଝା, ବାଉଁଶ ସିଝା, ମାଣ୍ଡିଆ ଯାଉ ଆଦି ହିଁ ଖାଇବାକୁ ମିଳୁଥିଲା । ବେଳେ ବେଳେ ୩-୪ ଦିନ ଉପବାସରେ ରହିଛନ୍ତି ବୋଲି ସେ କୁହନ୍ତି । ଘରର ଆର୍ଥôକ ସ୍ଥିତି ଭଲ ନଥିବାରୁ ଆକ୍ଷରିକ ଶିକ୍ଷାରୁ ସେ ବଂଚିତ ।
 
ଘଂଟିଖାଲ ସ୍ଥିତ ଆଶ୍ରମକୁ ଭକ୍ତ ବେଳେ ବେଳେ ଆସିଥାନ୍ତି । କିନ୍ତୁ ବର୍ତମାନ ସମୟର ଭଣ୍ଡ ଏବଂ ଅର୍ଥଲୋଭୀ ବାବା ମାନଙ୍କ ପାଇଁ ତାଙ୍କୁ ଏବଂ ଅନ୍ୟ ସାଧୁ ମାନଙ୍କୁ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଲଜ୍ଜିତ ହେବାକୁ ପଡିଛି । ଭଗବାନଙ୍କ ନାଁରେ ମିଛ କହି ଓ ଅନ୍ଧବିଶ୍ୱାସକୁ ସମ୍ବଳ କରି ସମାଜକୁ ତଥା ଲୋକ ମାନଙ୍କୁ ଭୁଆଁ ବୁଲାଉଥିବା ଭଣ୍ଡ ବାବାଙ୍କ ବିରୋଧରେ ସୁବଳ ବାବଙ୍କର ଅନେକ ଅଭିଯୋଗ । କିନ୍ତୁ ସେ ନୀରବଦ୍ରଷ୍ଟା ଏବଂ ନିରୂପାୟ । ତେଣୁ ସମାଜର ସୁଭବିଷ୍ୟତ ପାଇଁ ସବୁବେଳେ ପ୍ରାର୍ଥନା କରନ୍ତି ବାବାଜୀ ସୁବଳ ।
 
  • Tags:

Subscribe

National International State Sports Entertainment