ଜାଇକା ପ୍ରକଳ୍ପକୁ ନେଇ ଜନ ଅସନ୍ତୋଷ, ନିର୍ମାଣାଧିନ କାମକୁ ନେଇ ଅନେକ ପ୍ରଶ୍ନ
Khabar Odisha:
କଟକ,ଏପ୍ରିଲ୨ (ଖବର ଓଡିଶା):  ବର୍ଷ ବର୍ଷ ଧରି କଟକ ସହରରେ ଜାଇକା କାମ ଚାଲୁଥିଲେ ମଧ୍ୟ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚି ପାରୁନାହିଁ ପ୍ରକଳ୍ପ। ନାମକୁ ମାତ୍ର କାର୍ଯ୍ୟ କରାଯାଉଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ସହରର ଗଳି ରାସ୍ତାଗୁଡିକ ସଙ୍କୀର୍ଣ୍ଣ ହୋଇଥିବାରୁ ଜାଇକା କାର୍ଯ୍ୟ ଜନ ଜୀବନକୁ ବାଧାପ୍ରାପ୍ତ କରୁଛି। ଫଳରେ ସହରବାସୀଙ୍କ ମନରେ ଅଶାନ୍ତର ବାତାବରଣ ଦେଖାଦେଇଛି ।
 
ଏ ହେଉଛି କଟକ ଜିଲ୍ଲା ବାଦାମବାଡି ଅରୁଣଦୟ ମାର୍କେଟ ସ୍ଥିତ ନିୟୁ ଏଲ୍.ଆଇ.ସି କଲୋନି ପାଖର ଦୃଶ୍ୟ । ଏହି କଲୋନିରେ ପ୍ରାୟ ୩୦୦୦ରୁ ଉର୍ଦ୍ଧ ଲୋକ ବାସ କରନ୍ତି । କଲୋନିର ମୁଖ୍ୟ ଗଳି ରାସ୍ତା ଦେଇ ଯାଇଥବା ବାଟରେ ପ୍ରତିଦିନ ଶତାଧିକ ଗାଡି, ମଟର ସାଇକେଲ ଏବଂ ଲୋକମାନେ ଯାତାୟତ କରନ୍ତି । କଲୋନିରେ ଅନେକ କୋଚିଂ ସେଣ୍ଟର, କ୍ରୀଡା ଓ ସରକାରୀ ବିଦ୍ୟାଳୟ ଅବସ୍ଥାପିତ ଥିବାରୁ ବହୁ ଛୋଟ ଛୋଟ ପିଲା ମଧ୍ୟ ନିତିଦିନ ଏହି ବାଟରେ ଯିବା ଆସିବା କରନ୍ତି । ପୁନଶ୍ଚ ପାଖରେ ଦୋକାନ ବଜାର ସମେତ ଅଫିସ ଏବଂ ଡାକ୍ତରଖାନା ଥିବାରୁ ଏଠାରେ ପ୍ରତିଦିନ ଲୋକଙ୍କ ଭିଡ ଲାଗିରହିଥାଏ ।
 
ୱାର୍ଡ ନଂ ୩୭ରେ ଅନ୍ତର୍ଭୁକ୍ତ ଏହି ଅଞ୍ଚଳର ରାସ୍ତା ଖୋଳାଯାଇ କାର୍ଯ୍ୟ କରାଯାଉନଥିବା ଯୋଗୁଁ ପଥଚାରୀ, ସ୍କୁଲ ପିଲା ଏବଂ ଗାଡି ଚାଳକ ମାନେ ଖାଲ ମଧ୍ୟରେ ପଡି ଆହତ ହେଉଛନ୍ତି । ରାତ୍ର ସମୟରେ ବିପର୍ୟ୍ୟସ୍ତ ଆଲୋକର ବ୍ୟବସ୍ଥା ଯୋଗୁଁ  ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କଟକ ମହାନିଗର ନିଗମ(ସି.ଏମ.ସି)ର ସଫେଇ କାର୍ଯ୍ୟରେ  ଅନିୟମିତତା ଯୋଗୁଁ ଘରୁ ବାହାରୁଥିବା ଆବର୍ଜନା, ଚୋପା, ଦୂଷିତ ଖାଦ୍ୟ, ଅଦରକାରୀ କାଗଜ ଓ ପଲିଥିନ୍ ରାସ୍ତା କଡରେ ଗଦା ହେଉଛି । ଯାହା ଫଳରେ ବର୍ଷା ସମୟରେ ସେଠାକାର ସ୍ଥିତି ଅତି ଶୋଚନୀୟ ରହିଥାଏ।  ରାସ୍ତାର ଦୁଇ ପାର୍ଶ୍ଵରେ ଥବା ନାଳ ଗୁଡିକର ଠିକ୍ ଭାବେ ମରାମତି କରାଯାଉନଥିବାରୁ ଖୋଳା ଯାଇଥିବା ଗାତ ଗୁଡିକ ନାଳ ପାଣିରେ ପୂର୍ଣ୍ଣ ହୋଇ ଘର ଭିତରେ ପାଣି ପଶିଯାଉଛି। ଫଳରେ ସ୍ଥାନୀୟ ବାସୀଙ୍କୁ ପଦାକୁ ବାହାରିବା କଷ୍ଟକର ହୋଇଥାଏ।  ଦୀର୍ଘ ସମୟ ବ୍ୟବଧାନ ପରେ ମଧ୍ୟ ଜାଇକା କାମ ଶେଷ ହୋଇପାରୁନିଥବା ଫଳରେ ସ୍ଥାନୀୟ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏପରି ବ୍ୟବସ୍ଥା ଲାଗିରହିବାରୁ ସ୍ଥାନୀୟବାସୀ ମାନେ ବାରମ୍ବାର ମେୟରଙ୍କ ପାଖରେ ଅଭିଯୋଗ କରିଥଲେ ମଧ୍ୟ ପ୍ରଶାସନିକସ୍ତରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି ।
 
ସୂଚନାନୁଯାୟୀ ଗତ ଜାନୁୟାରୀ ମାସରେ ଜାଇକା କାର୍ଯ୍ୟକୁ ନେଇ ଓଡିଶା ହାଇକୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ନିର୍ଦ୍ଦେଶକୁ ଯଦି କାର୍ଯ୍ୟ କରାନଯାଏ ତେବେ ପ୍ରଶାସନିକ ଅଧିକାରିଙ୍କ ବିରୋଧରେ ଦୃଢ କାର୍ୟ୍ୟାନଷ୍ଠାନ ନିଆଯିବ ବୋଲି ବିଚାରପତି ଆଦେଶ ଦେଇଥିଲେ । ତଥାପି ବିଚାରପତିଙ୍କ ଆଦେଶକୁ ଅମାନ୍ୟ କରି କାର୍ୟ୍ୟନିବାହୀ ଅଧିକାରୀ ଜାଇକା କାର୍ୟ୍ୟର ବିଡମ୍ବନା କରିଛନ୍ତି । 
 
ସୂଚନାଯୋଗ୍ୟ, ସହରର ଡ୍ରେନେଜ୍ ଓ ସ୍ଵରେଜ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ଜାପାନ କୋର୍ପରେସନ ଏଜେନ୍ସି ପକ୍ଷରୁ ୨୦୧୩ ମସିହାରୁ ଜାଇକା ପକଳ୍ପ ଆରମ୍ଭ ହୋଇଥିଲା । ତେବେ ୨୦୧୫ ସୁଦ୍ଧା କାମକୁ ଶେଷ କରିବା ପାଇଁ ଲକ୍ଷ ରଖିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ନ ହେବାରୁ ସମୟ ଅବଧିକୁ ବୃଦ୍ଧି କରାଯାଇଥିଲା ।
  
  • Tags:

Subscribe

National International State Sports Entertainment