ପୁରୀ ସ୍ୱର୍ଗଦ୍ୱାର: ଶବକୁ ମିଳୁଛି ଯନ୍ତ୍ରଣା
Khabar Odisha:Puri-Swargadwar-pain-to-dead-body
ଭୁବନେଶ୍ୱର, ମଇ ୦୧ (ଖବର ଓଡ଼ିଶା): ପୁରୀ ସ୍ୱର୍ଗଦ୍ୱାରକୁ ହିନ୍ଦୁ ଧର୍ମର ଅନ୍ତିମ ପଥ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କଲେ ଅପାର ପୂଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ୱାସ । ମଣିଷ ମୃତ୍ୟୁ ପରେ ଶବ ଯେତେବେଳେ ସ୍ୱର୍ଗ ଦ୍ୱାରରେ ପହଞ୍ଚେ, ଏଠରୁ ଆତ୍ମା ଅଲଗା ହୋଇଥାଏ ବୋଲି ବିଜ୍ଞପୁରୁଷମାନେ ମତ ଦିଅନ୍ତି । ସ୍ୱର୍ଗଦ୍ୱାରରେ ଶବ ଦାହ କଲେ ବୈକୁଣ୍ଠରେ ଆତ୍ମାକୁ ଶାନ୍ତି ମିଳିଥାଏ । ଏମିତି ଅନେକ ଭାବନା, ବିଶ୍ୱାସ ଓ ଆସ୍ଥା ରଖି ଶହ ଶହ କିଲୋମିଟରୁ ଲୋକେ ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚାଇ ଥାଆନ୍ତି ।
 
ପବିତ୍ର ସ୍ୱର୍ଗଦ୍ୱାର ଆଜି ଅବହେଳା ଦେଇ ଗତି କରୁଛି । ବିଭିନ୍ନ ସମସ୍ୟାକୁ ନେଇ ମଝିରେ ମଝିରେ ବିବାଦ ଦେଖାଯାଉଛି । ସମସ୍ୟାର ସମାଧାନ କରିବାରକୁ ଜିଲ୍ଲା ପ୍ରଶାସନ ଅଥବା ପୌରସଂସ୍ଥା ଫେଲ ମାରିଛି । କିଛି ଅସାମାଜିକ ବ୍ୟକ୍ତିମାନଙ୍କ ଯୋଗୁଁ ସ୍ୱର୍ଗଦ୍ୱାରରେ ଅଶାନ୍ତି ସୃଷ୍ଟି ହେଉଛି ।
 
କାଠର ଅଭାବ ଯୋଗୁଁ ଗତ ଶୁକ୍ରବାରଠାରୁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ଜବରଦଖଲ ଉଚ୍ଛେଦ ହେବାପରେ ସ୍ୱର୍ଗଦ୍ୱାର ପାଖରେ କାଠ ରଖିବା ଅସୁବିଧା ହେଉଛି । ଅପରପକ୍ଷେ ହରିଶ୍ଚନ୍ଦ୍ର ଯୋଜନାରେ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)କୁ ୪୩ ଲକ୍ଷ ଟଙ୍କା ବାକି ପଡ଼ିଛି । ସରକାର କାଠ ଯୋଗାଣ କରିବାର ବିଫଳତାର ସୁଯୋଗ ନେଇ ଦଲାଲମାନେ ଭଲ ବେପାର କରୁଛନ୍ତି । ଶବ ଦାହ ପାଇଁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି, ସରକାର ହରିଶ୍ଚନ୍ଦ୍ର ଯୋଜନା ପ୍ରଣୟନ କରିଛନ୍ତି ସତ କିନ୍ତୁ ଏଠାକାର ପରିବେଶ ନର୍କ ଭଳି ଲାଗୁଛି । ଏଠାକାର ପରିବେଶ ଏମିତି ହୋଇଛି, ଶବକୁ ଶାନ୍ତି ମିଳିବା ବଦଳରେ ନିର୍ଯ୍ୟାତାନ ମିଳୁଛି । ରାତ୍ରି ସମୟରେ ଶବ ଦାହ ପାଇଁ ଦର ଆକାଶ ଛୁଇଁଛି । ସ୍ୱର୍ଗଦ୍ୱାର ପ୍ରତି ଥିବା ଲୋକଙ୍କର ଭରସା ଦିନକୁ ଦିନ କମୁଛି ବୋଲି ସେ କହିଛନ୍ତି । ଅପରପକ୍ଷେ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ସମସ୍ୟାର ସମାଧାନ ଶୀଘ୍ର ଅନ୍ତ ହେବାକୁ ଯାଇଛି । 
  • Tags:

Subscribe

National International State Sports Entertainment