ମାଓ ପରିସ୍ଥିତି:୨୦୧୬ରେ ୬୫ ମୃତ
Khabar Odisha:Maoist-Situation-65-killed-in-2016
ଭୁବନେଶ୍ୱର, ମାର୍ଚ୍ଚ ୨୮(ଖବର ଓଡ଼ିଶା): ରାଜ୍ୟରେ ମାଓବାଦୀ ମୁକାବିଲା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ଏହାର ମୂଳ ଉତ୍ପାଟନ ହୋଇପାରୁନାହିଁ । ମାଓବାଦୀଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସେମାନଙ୍କ ନ ମିଳୁଥିବାରୁ ମାଓବାଦୀ ସାଧାରଣ ଲୋକଙ୍କ ଉପରକୁ ଆକ୍ରମଣ କରୁଥିବାବେଳେ, ସରକାରଙ୍କ ଅନେକ କ୍ଷୟକ୍ଷତି କରୁଥିବା ପରିଲକ୍ଷିତ ହେଉଛି । ରାଜ୍ୟ ସରକାରଙ୍କ ଶ୍ୱେତପତ୍ରରୁ ଜଣାପଡ଼ିଛି ଯେ, ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟରେ ୨୦୧୬ରେ ୬୫ଜଣଙ୍କର ମୃତ୍ୟୁ ଘଟିଛି । ସେଥିରୁ ୨୩ଜଣ ସାଧାରଣ ଲୋକ ହୋଇଥିବାବେଳେ ୩ଜଣ ହେଉଛନ୍ତି ସୁରକ୍ଷା କର୍ମୀ । ଅବଶିଷ୍ଟା ୩୯ଜଣ ହେଉଛନ୍ତି ମାଓବାଦୀ ।
 
ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଓଡ଼ିଶାରେ ମାଓବାଦୀ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ବୋଲି ଶ୍ୱେତପତ୍ରରୁ ଜଣାପଡ଼ିଛି । ଉଭୟ ନିରାପତ୍ତା ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ସୁରକ୍ଷାବଳଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ମାଓ ପରିସ୍ଥିତିରେ ପରିବର୍ତ୍ତନ ହେଉଥିବା ଜଣାପଡ଼ିଛି । ବର୍ଷ ୨୦୧୬ରେ ମାଓବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ରାଜ୍ୟରେ ମୋଟ ୩୯ଜଣ ମାଓବାଦୀ ମୃତୁ୍ୟ ହୋଇଥିବା ବେଳେ ପୁଲିସ ୩୫ଜଣ ମାଓବାଦୀଙ୍କୁ ଗିରଫ କରିଛି । ସେହିଭଳି ପୁଲିସର ଭୟରେ ୩୧ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।
 
୨୦୧୬ରେ ଗଜପିତି, ଯାଯପୁର, ଢେଙ୍କାନାଳ ଓ ସୁବର୍ଣ୍ଣପୁର ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ପରିଲକ୍ଷିିତ ହୋଇ ନ ଥିବା ବେଳେ ସମ୍ବଲପୁର, ଦେବଗଡ଼, ନବରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ ଏବଂ ରାଉରକେଲା ପୁଲିସ ଜିଲ୍ଲାରେ ବାମପନ୍ଥୀ ଉଗ୍ରବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇପାରିଛି । କିନ୍ତୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ, ବୌଦ୍ଧ, ଅନୁଗୁଳ ଏବଂ ନୟାଗଡ଼ ଜିଲ୍ଲାର କେତେକାଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ଆହ୍ୱାନାତ୍ମକ ରହିଥିଲା । ୨୦୧୬ରେ ରାଜ୍ୟରେ ମୋଟ ୬୮ଟି ମାଓବାଦୀଜନିତ ଘଟଣା ଘଟିଥିଲା । ସେଥି ମଧ୍ୟରୁ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ୩୩ଥର ଗୁଳି ବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିକାଣ୍ଡରେ ରାଜ୍ୟରେ ୨୩ ସାଧାରଣ ବ୍ୟକ୍ତି ଓ ୩ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। 
  • Tags:

Subscribe

National International State Sports Entertainment