ସାବାସ ସାମ୍ବାଦିକା
Khabar Odisha:Great-Work-By-Woman-Journalist
ମହିଳା ମାନଙ୍କ ସୁରକ୍ଷା ପାଇଁ ଅଛି ହେଲ୍ପ ଲାଇନ ନମ୍ବର । ଗୋଟାଏ ନୁହେଁ ଗଣ୍ଡା ଗଣ୍ଡା । ଅଛି ମୋବାଇଲ ଆପ । ଅଛି ମହିଳା ଥାନା । ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ ବିଭାଗ ତପ୍ତର । ଏକଥା ଅମେ କହୁନୁ, କହୁଛନ୍ତି ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ଆଉ କହୁଛି ପୋଲିସ ବିଭାଗର ଓେବସାଇଟ । ହେଲେ ବାସ୍ତବରେ ସ୍ଥିତି ପୁରା ଓଲଟା । ସବୁ ଅଛି ଯେ କିନ୍ତୁ କିଛି କାମରେ ଆସୁନି । ଏ ହେଉଛି ସରକାରି ବାବୁଙ୍କ କାର୍ଯ୍ୟଦକ୍ଷତାର ଛୋଟିଆ ନମୁନା ।
 
 
ରାଜ୍ୟର କଟକ ଭୁବନେଶ୍ୱରରେ ବି ଲାଗୁନିି ହେଲ୍ପ ଲାଇନ ନମ୍ବର । ୧୮୧, ୧୦୯୧ ବା ୧୦୯୨୦ । କୋଉଠି ଉଠେଇବାକୁ କେହି ଲୋକନାହାନ୍ତି ତ କେଉଠିଁ ଲାଇନକୁ ଜାଣିଶୁଣି ବ୍ୟସ୍ତ କରିକି ରଖାଯାଇଛି । ମେ ୧୫, ୨୦୧୫ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ ମୋ ସାଥି ମୋବାଇଲ ଆପ । ପୁରା ବଡ ବଡ ହୋର୍ଡିଙ୍ଗ ବି ଲାଗିଥିଲା ରାଜଧାନୀ ଯାକ । କମିଶନରେଟର ମୁଖିଆବି ଢେର ଭାଷଣ ମାରିଥିଲେ ମୋବାଇଲ ଆପର ଉଦଘାଟନ ବେଳେ ।  ହେଲେ ୨ ବର୍ଷ ଯାଇନି ମୋବାଇଲ ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ ଖୋଜିଲେବି ମିଳୁନି  । ଆଉ ଯିଏ ଆଗରୁ ଡାଉନଲୋଡ କରିଛନ୍ତି ତାଙ୍କର ସେ ଆପ ଜମା ଖୋଲୁବି ନାହିଁ । ବସରେ ସିସିଟିଭି ଲାଗିବା ପାଇଁ ସରକାରୀ ନିୟମ ମଧ୍ୟ ଅଛି । କିନ୍ତୁ ତାକୁ ଯାଂଚ କରିବାକୁ ପୋଲିସ ବିଭାଗର ମନେ ନାହିଁ ।  ଏ ହେଉଛି କଟକ-ଭୁବନେଶ୍ୱରର ଚିତ୍ର । ରାଜ୍ୟର ଅନ୍ୟ ଅଂଚଳ କଥା ନକହିବା ଭଲ । 

ନିହାତି ଭାବରେ ତାଙ୍କ ସାହାସିକତାକୁ ମାନିବାକୁ ପଡିବ ଯିଏ ଏଭଳି କଥାକୁ ସାମ୍ନାକୁ ଆଣିଛନ୍ତି । କେନ୍ଦ୍ରାପଡାରୁ କଟକ ଆସିଲାବେଳେ ଚଳନ୍ତା ବସରେ ଜଣେ ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ଘଟଣା ଘଟିଛି । ସେ ଯୁବତୀ ଜଣଙ୍କ କେନ୍ଦ୍ରାପଡାରୁ କଟକ ଏକ ଘରୋଇ ବସ୍‌ରେ ଆସୁଥିବା ବେଳେ ଦୁର୍ବ୍ୟବହାରର ଶିକାର ହୋଇଥିଲେ ।  ଜଣେ ଅସାମାଜିକ ମଧ୍ୟବୟସ୍କ ବ୍ୟକ୍ତି ମହିଳାଙ୍କୁ ଅଶ୍ଳିଳ ଆଚରଣ କରିଥିଲେ । ସାମ୍ୱାଦିକା ଜଣଙ୍କ ପ୍ରତିବାଦ କରିଥିବା ସତ୍ତ୍ୱେ ବ୍ୟକ୍ତି ଜଣଙ୍କ ଖରାପ ଆଚରଣରୁ ନିବୃତ ହୋଇନଥିଲେ। ଏଭଳି ଆଚରଣକୁ ନେଇ ସଂପୃକ୍ତା ସାମ୍ୱାଦିକା ଜଣଙ୍କ ମହିଳା ହେଲ୍ପଲାଇନ୍‌ ନମ୍ୱର ୧୦୯୧କୁ ଯୋଗାଯୋଗ କରିଥିଲେ । ମାତ୍ର କେହି ଫୋନ ଉଠାଇନଥିଲେ । ମହିଳା ଥାନାର ନମ୍ବର ବି ରହିଲା ବ୍ୟସ୍ତ । ଏତେ ବ୍ୟସ୍ତ ଥିଲା ମହିଳା ଥାନାର ନମ୍ବରଯେ ପୁରା ୧ ଘଣ୍ଟା ପରେ ବି ଅସହାୟ ଯୁବତୀ ଜଣକ ନିଜ ଅସହାୟତା ବିଷୟରେ ପୋଲିସକୁ ଜଣାଇ ପାରିଲେନି  ।  ଚଳନ୍ତା ବସ୍‌ରେ ଦିନ ଦ୍ୱିପ୍ରହରରେ ଅନ୍ୟପଟେ ବସ୍‌ଟିରେ ପ୍ରାୟ ୬୦ ଜଣ ଯାତ୍ରୀ ଥିବା ବେଳେ କେହି ଜଣେ ବି ସେହି ଅସାମାଜିକ ବ୍ୟକ୍ତିଜଣଙ୍କୁ ବିରୋଧ କରିପାରିନଥିଲେ। ତେଣେ ଟୋଲ ଫ୍ରି ନମ୍ୱର ବ୍ୟସ୍ତ ଥିଲା । ଫଳରେ ପୁରା ଏକ ଘଣ୍ଟା ଧରି ତୀବ୍ର ମାନସିକ ଯନ୍ତ୍ରଣା ସହିଥିଲେ ସାମ୍ୱାଦିକା ଜଣଙ୍କ । ବସ୍‌ କଟକରେ ପହଞ୍ଚିଥିଲେ ସୁଦ୍ଧା ହେଲପ୍‌ଲାଇନ୍‌ ନମ୍ୱର ଫ୍ରୀ ହୋଇପାରୁନଥିଲା ।

ଏହାପରେ ସାମ୍ବାଦୀକା ଜଣକ ନିଜର ସାହାସିକତା ଦେଖେଇ ପୁରା ବ୍ୟବସ୍ଥା ସୁଧାରିବା ଲକ୍ଷ୍ୟରେ ନିଜର ଫେସବୁକରେ ସେ କଥାକୁ ଲେଖିଥିଲେ । ଏହା ପରେ ଏହାର ତଦନ୍ତ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ କମିଶନର ଓ୍ଵାଇବି ଖୁରାନିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲ୍ପ ଲାଇନ ନମ୍ବର ୧୦୦ ଓ ୧୦୯୧ କାହିଁକି ଉଠାଗଲା ନାହିଁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଖୁରାନିୟା କଟକ ଡିସିପି ସଞ୍ଜୀବ ଆରୋରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଳ ପ୍ରଶ୍ନ ହେଉଛି କାହିଁକି ଉଠାଇଲେନି କେହି ହେଲ୍ପ ଲାଇନ ନମ୍ବର । କୁଆଡେ ଯାଇଥିଲେ ସେ ସମୟରେ ଡ୍ୟୁଟିରେ ଥିବା ପୋଲିସ ଜଣକ । କେତେଦିନ ହେଲାଣି ଏପରି ହେଲାଣି ହେଲ୍ପ ଲାଇନ ଆଉ ମୋବାଇଲ ଆପର ଏ ଅବସ୍ଥା । ଯଦି ଭୁବନେଶ୍ୱର-କଟକ ଅବସ୍ଥା ତାହେଲେ ରାଜ୍ୟର ଅନ୍ୟ ଅଂଚଳର କେମିତି ଅଛି ସ୍ଥିତି । ଏସବୁ ପ୍ରସଙ୍ଗକୁ ନେଇ ସରକାର କେତେ ଚିନ୍ତିତ ଅଛନ୍ତି ସେ ସବୁର ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । 
 
ଆଉ ଧନ୍ୟବାଦ ଦେବାକୁ ପଡିବ ସେ ଯୁବା ସାମ୍ବାଦିକା ଜଣଙ୍କୁ ଯିଏ ସରକାରୀ ବ୍ୟବସ୍ଥା ଭିତରେ ଥିବା ଏପରି ତ୍ରୁଟିକୁ ସୁଧାରିବାର ପ୍ରୟାସ କରିଛନ୍ତି ।
  • Tags:

Subscribe

National International State Sports Entertainment