ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ବଦଳିବ ଗରୀବଙ୍କ ଭାଗ୍ୟ!
Khabar Odisha:

ଭୁବନେଶ୍ୱର, ଏପ୍ରିଲ୨୨(ଖବର ଓଡ଼ିଶା): ଓଡ଼ିଶାର ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୮,୮୫୫ଘର ନିର୍ମାଣ ହେବ । ଏଥିପାଇଁ ୨୧୦୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଭେଙ୍କିଆ ନାଇଡୁ ସୂଚନା ଦେଇଛନ୍ତି । ସହରାଞ୍ଚଳରେ ୩ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଶୀ, ୩ଲକ୍ଷରୁ ୬ଲକ୍ଷ ଟଙ୍କା ଆୟ କରୁଥିବା ନିମ୍ନ ବର୍ଗଙ୍କ ସହିତ ୬ଲକ୍ଷରୁ ୧୨ ଲକ୍ଷ ଟଙ୍କା ଆୟଥିବା ମଧ୍ୟମ ବର୍ଗ (ଏମ୍ଆଇଜି) ଓ ୧୨ରୁ ୧୮ଲକ୍ଷ ଆୟ କରୁଥିବା ଉଚ୍ଚ ମଧ୍ୟମ ବର୍ଗ (ଏମ୍ଆଇଜି-୨) ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ଯୋଜନା ଯଦି ବାଟବଣା ନ ହୁଏ ଓ ପୌର କର୍ମଚାରୀମାନେ ଯୋଗ୍ୟ ହିତାଧିକାରୀମାନଙ୍କଠାରୁ ଲାଞ୍ଚ ନ ନିଅନ୍ତି, ତେବେ ନିଶ୍ଚିତ ଭାବରେ ସହରାଞ୍ଚଳ ଗରୀବଙ୍କୁ ଲାଭ ମିଳିବ । କିନ୍ତୁ ଯୋଜନାକୁ ସୂଚାରୁରୂପେ ସଞ୍ଚାଳନ କରିବାକୁ ନେଇ ସନେ୍ଦହ ଦେଖାଯାଉଛି । ଏହାର ଜ୍ୱଳନ୍ତ ଉଦାହରଣ ଗ୍ରାମାଞ୍ଚଳରେ ଦେଖାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ନା, ନାହିଁ ତାହା ଦେଖିବାକୁ ରହିଲା । କାରଣ ଗ୍ରାମାଞ୍ଚଳରେ ଏହି ଯୋଜନାରୁ ଘର ଗୋଟିଏ ପାଇବା ପାଇଁ ବ୍ୟାପକ ଦୂର୍ନୀତି ହେଉଛି । କେନ୍ଦ୍ର ସରକାରଙ୍କ ଏହି ମହତ ଉଦ୍ଦେଶ୍ୟ ଯୋଜନା ରେ ଏବେ ହିତାଧିକାରୀଙ୍କୁ ୧,୩୦,୦୦୦ ଟଙ୍କା ମିଳୁଛି । କିନ୍ତୁ ଏଥି ପାଇଁ ହିତାଧିକାରୀଙ୍କୁ ପଞ୍ଚାୟତର ସରପ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ଅଭିଯୋଗ ହେଉଛି । ଚର୍ଚ୍ଚା ହୋଇଥାଏ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ "ପକ୍କାଘର' ଖଣ୍ଡେ ପାଇବାକୁ ହେଲେ ୨୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ହାତ ଗୁଞ୍ଜା ଦେବାକୁ ପଡ଼ିଥାଏ । 

ସରକାରଙ୍କ ଗାଇଡଲାଇନସ୍ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ପକ୍କା ଘର ନ ଥିବ, ମୋଟର ସାଇକିଲ ନ ଥିବ୍, ୨ ଏକର ଜମିରୁ କମ ଜଳସେଚିତ ଜମି ଥିବ ଅର୍ଥାତ ଅନୁସୂଚିତ ଜାତି ଓ ଜନଜାତି, ଆର୍ଥିକ ରୂପେ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଏଭଳି ବର୍ଗରେ ବସବାସ କରୁଥିବା ଲୋକ ପଞ୍ଚାୟତ ପ୍ରତିନିଧି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୨୦ ରୁ ୫୦ ହଜାର ଟଙ୍କା ଲାଞ୍ଚ ଦେବାରେ ଅସୁବିଧା ସମ୍ମୁଖୀନ ହେଉଥିବାରୁ ଏମାନଙ୍କୁ ଗରୀବ କଲ୍ୟାଣ ଯୋଜନାରେ ଘର ମିଳୁ ନାହିଁ ।

ପକ୍କା ଘର ଯୋଜନାରେ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହେଉଥିବା ବେଳେ, ରାଜ୍ୟରେ ଶହ ଶହ ହିତାଧିକାରୀଙ୍କ ଗୃହ ନିର୍ମାଣ ବର୍ଷ ବର୍ଷ ଧରି ନିର୍ମାଣ କାମ ଚାଲୁଥିଲେ ବି ସରିବାର ନା ନେଉ ନାହିଁ । ପୁଣି ବିଲ ମଞ୍ଜୁରୀ କରିବାକୁ ନେଇ ହିତାଧିକାରୀଙ୍କୁ ଅଫିସରବାବୁଙ୍କୁ ଖର୍ଚ୍ଚ ଦେବାକୁ ପଡୁଥିବା ଅଭିଯୋଗ ହେଉଛି । ପକ୍କାଘର ଯୋଜନାରେ ଦୁର୍ନିତୀ ଏତିକିରେ ସୀମିତ ନୁହେଁ, ଗୋଟିଏ ପକ୍କା ଘରରେ ଅନେକ ଥର ବିଲ ହୋଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି ।

୨୦୧୧ରେ ପ୍ରସ୍ତୁତ ହୋଇଥିବା ସରକାରଙ୍କ ୧୩ ଗୋଟି ଗାଇଡଲାଇନ୍ ପୂରଣ କରିପାରୁଥିବା ଗରୀବଙ୍କୁ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯିବାର ନିୟମ ଥିଲେ ସୁଦ୍ଧା ଉକ୍ତ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ପରିଲକ୍ଷିତ ହେଉଛି ।

ସରକାରଙ୍କ ଏଇସ୍ସିସି-୨୦୧୧ ଗାଇଡ଼ଲାଇନ ଅନୁସାରେ ହିତାଧିକାରୀଙ୍କ ଏଭଳି ଯୋଗ୍ୟତା ଥିବା ଦରକାର । (୧) ଦୁଇଚକିଆ, ତିନି ଚକିଆ, ଚାରିଚକିଆ ଅଥବା ମାଛଧରିବା ଡଙ୍ଗା ନଥିବ । (୨)କୃଷି ଉପକରଣ ଯଥା ତିନି ଚକିଆ ବା ଚାରି ଚକିଆ ଗାଡି ନ ଥିବ । (୩) ୫୦,୦୦୦ଟଙ୍କାରୁ କମ ମୂଲ୍ୟର କିଷାନ କାର୍ଡ ଥିବ । (୪) ପରିବାରର କୌଣସି ସଦସ୍ୟ ସରକାରୀ ଚାକିରୀ କରୁ ନ ଥିବେ । (୫) ଚାଷ ବ୍ୟତିତ ଅନ୍ୟ ବ୍ୟବସାୟ ପାଇଁ ସରକାରୀ ପଞ୍ଜୀକରଣ କରି ନ ଥିବେ । (୬) ଆୟକର ଦେଉ ନ ଥିବ । (୭) ଲ୍ୟାଣ୍ଡ ଲାଇନ୍ ଫୋନ୍ ନଥିବ । (୮) ୨.୫ରୁ ଅଧିକ ଜଳସେଚିତ ଜମି ନଥିବ । (୯) ଉଭୟ ରବି ଓ ଖରିଫ ଫସଲ ପାଇଁ ୫ଏକରରୁ ଅଧିକ ଜଳସେଚିତ ଜମି ନଥିବ । (୧୦) ଅନ୍ୟ କୌଣସି କର ଦେଉ ନ ଥିବ । (୧୧) ଘରେ ଫ୍ରିଜ୍ ନ ଥିବ । (୧୨) ୨.୫ଏକରରୁ କମ୍ ଜମି ଥାଇ  ବି କୃଷି ଯନ୍ତ୍ରପାତି ନଥିବ । (୧୩) ୭.୫ ଏକର ଜମି ଥାଇ ଗୋଟିଏ ବି ଜଳସେଚିତ ଉପକରଣ ନଥିବା ଲୋକହିଁ ବିଜୁ ପକ୍କା ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ।

ଆର୍ଥିକ ବର୍ଷ ୨୦୧୭-୧୮ ବଜେଟରେ ବିଜୁ ପକ୍କାଘର ପାଇଁ କୌଣସି ଅର୍ଥ ରଶି ଦିଆଯାଇ ନାହି । ୨୦୧୭-୧୮ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୧୦୦ କୋଟିର ବ୍ୟୟ ବରାଦ ହୋଇଥିବାବେଳେ, ୨୦୧୩-୧୪ ରୁ ୨-୧୭-୧୮ ମଧ୍ୟରେ ଘର ତିଆରି ପାଇଁ କେନ୍ଦ୍ରୀୟ ଯୋଜନାରେ ୮୫୬୫ କୋଟିର ବ୍ୟୟବରାଦ କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

 

  • Tags:

Subscribe

National International State Sports Entertainment