ଝୁରୁଛି ଐତିହ୍ୟ, କାନ୍ଦୁଛି ଏକାମ୍ର
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୧୮(ଖବର ଓଡ଼ିଶା): ପୂରାତନ ସଂସ୍କୃତି ତଥା ଐତିହାସିକ ସ୍ଥଳର ବିକାଶ ନାମରେ ପ୍ରତିବର୍ଷ ଏପ୍ରିଲ ୧୮ରେ " ବିଶ୍ୱ ଐତିହ୍ୟ ଦିବସ' ପାଳନ କରାଯାଉଛି । ୟୁନିସ୍କୋ ଓ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ପରିବର୍ତ୍ତନ ହେଉନି "ଐତିହ୍ୟ' ପୀଠର ଭାଗ୍ୟ । ପୂରା ବିଶ୍ୱ ସହିତ ଭାରତ ବର୍ଷରେ କିଛି ଐତିହ୍ୟ ସ୍ଥଳ ପୂର୍ବ ପରି ତା'ର ଲୋକପ୍ରିୟତା ହରାଇ ନ ଥିବା ବେଳେ, ଓଡ଼ିଶାରେ ଥିବା ଐତିହ୍ୟ କୀର୍ତ୍ତିରାଜି ଦିନକୁ ଦିନ ଆହୁରି ଦୁର୍ଦ୍ଦିନ ଆଡ଼କୁ ଗତି କରୁଛି । ଐତିହ୍ୟ ସ୍ଥଳଗୁଡ଼ିକର ଗୁରୁତ୍ୱକୁ ଆଖି ଆଗରେ ରଖି "ବିଶ୍ୱ ଐତିହ୍ୟ' ଦିବସ ଆରମ୍ଭ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ପୈତୃକ ସମ୍ପତ୍ତିକୁ ସୁରକ୍ଷା ଯୋଗାଇବା ଓ ଲୋକମାନଙ୍କ ଭିତରେ ସଚେତନବାର୍ତ୍ତା ବାଣ୍ଟିବା । କିନ୍ତୁ ଦୁଃଖର କଥା ଯେ, "ୟୁନିସ୍କୋ'ର ଏହି ବହୁ ଉଦେଶ୍ୟ ସପ୍ନ ଆଜି ସୁଦ୍ଧା ପୂରଣ ହୋଇ ପାରିଲା ନାହିଁ ।

ୟୁନିସ୍କୋର ତାଲିକା ଅନୁଯାୟୀ ପୂରା ବିଶ୍ୱରେ ୧୦୫୨ଟି ଐତିହ୍ୟ ସ୍ଥଳ ରହିଛି । ଏହି ତାଳିକାରେ କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ସ୍ଥାନ ମିଳିଛି । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ବହୁ ଅଭାବ, ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି । ରାଜନୈତିକ ଗୁଣ୍ଡାରାଜ କ୍ରିୟାକଳାପ ଯୋଗୁଁ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ କେତେବେଳେ, ତାଲା ପଡ଼ିଯାଉଛି ତ କେତେବେଳେ, ହିଂସା ଲାଗି ରହୁଛି । ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ପର୍ଯ୍ୟଟକ ନିଜକୁ ଅସୁରକ୍ଷିତ ମନେକରନ୍ତି । ବିଶ୍ୱସ୍ତରୀୟ ପୀଠରେ ଯେଭଳି ବ୍ୟବସ୍ଥା ହେବା କଥା, ତାହା ହୋଇପାରୁ ନାହିଁ । ଏସବୁ ଦୃଶ୍ୟ ପ୍ରଶାସନର ନଜରରେ ଥାଇ ବି କିଛି ନଜାଣିଲା ଭଳି ରହୁଛି । ପର୍ଯ୍ୟଟକ ଏଠାରେ ଲୁଟର ଶିକାର ହେଉଥିବା ଅଭିଯୋଗ ହେଉଛି ।

ଭୁବନେଶ୍ୱରରେ ଥିବା ଐତିହ୍ୟ ସ୍ଥଳଗୁଡ଼ିକ ଆଜି ସୁରକ୍ଷାର ଆବଶ୍ୟକତା କରୁଥିବା ବେଳେ, ଏକାମ୍ର କ୍ଷେତ୍ରରେ ଥିବା କୀର୍ତ୍ତିରାଜୀଗୁଡ଼ିକ ଅବସ୍ଥା ଦୟନୀୟ ସ୍ଥିତିରେ ପହଞ୍ଚିଛି । ଏକାମ୍ର କ୍ଷେତ୍ରରେ ଥିବା ଅନେକଗୁଡ଼ିଏ ମନ୍ଦିର ଅବହେଳିତ ଅବସ୍ଥାରେ ପଡ଼ିଛି । ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏକାମ୍ର କ୍ଷେତ୍ରରେ ଥିବା ଅନେକଗୁଡ଼ିଏ ଦେବାଦେବୀଙ୍କୁ ପୂଜା କରାଯାଉ ନାହିଁ । ଐତିହ୍ୟ ସମ୍ପତ୍ତିକୁ କିଛି ଖଳ ପ୍ରକୃତିର ଲୋକ ନିଜସ୍ୱ ନାମରେ ରେକର୍ଡ କରିନେଇଛନ୍ତି । ଦିନ ଥିଲା ଏକାମ୍ର କ୍ଷେତ୍ର ମହମହ ବାସ୍ନାରେ ପରିପୂର୍ଣ୍ଣ ଥିଲା । କିନ୍ତୁ ଆଜି ଏକାମ୍ର କ୍ଷେତ୍ରକୁ ଗୋଟିଏ ପ୍ରକାର ମାରି ଦିଆଯାଇଛି କହିଲେ କିଛି ଅତୁ୍ୟକ୍ତି ହେବ ନାହିଁ । ପ୍ରେମର ପ୍ରତୀକ "କେଦାର-ଗୌରୀ'ର ପାଣିକୁଣ୍ଡ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି । କୁଣ୍ଡର ପାଣିକୁ ନୀୟମିତ ସଫା କରାଯାଉନାହିଁ । ଦୂଷିତ ପାଣିରେ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତି ହେଉଛି । କେଦାର-ଗୌରୀକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସୁଛନ୍ତି । ଏମାନଙ୍କ ଭିତରେ ରାଜନେତା ଓ ଅଧିକାରୀ ମଧ୍ୟ ରହିଛନ୍ତି । କିନ୍ତୁ ସେମାନଙ୍କ ମୁଣ୍ଡକୁ କେଦାର-ଗୌରୀର ବିକାଶ ଚିତ୍ର ଦେଖାଯାଉ ନାହିଁ ।

ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଓ ଉଦୟଗିରି ଚୋର ଓ ଡକାୟତମାନଙ୍କର ପେଣ୍ଠସ୍ଥଳି ପାଲଟିଛି । ଖଣ୍ଡଗିରି ପାଦଦେଶରେ କୁଢ଼କୁଢ଼ ଆବର୍ଜନା ପଡ଼ିଥିବା ବେଳେ, ଉଦୟଗିରି ଅପରାଧୀମାନଙ୍କର ଆଡ୍ଡାସ୍ଥଳି ପାଳଟିଛି । ଏକଦା ବୌଦ୍ଧ ଧର୍ମ ପାଇଁ ପବିତ୍ର ସ୍ଥଳ ଥିବା ଏହି ଦୁଇଟି ପୀଠରେ ଆଜିକାଲି ଅସାମାଜିକ ଓ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିଛି । ସେହିପରି ପିପିଲି ଚାନ୍ଦୁଆ କାମକୁ "ଐତିହ୍ୟ' ମନାଯାଉଥିବା ବେଳେ, ଚାନ୍ଦୁଆ କାମରେ ନିୟୋଜିତ ଥିବା କର୍ମଜୀବିଙ୍କୁ ସରକାରୀ ପ୍ରୋସôାହନ ମିଳୁ ନ ଥିବା ଅଭିଯୋଗ ହେଉଛି । ୨୦୧୩ରେ ବାତ୍ୟ "ଫାଇଲିନ୍' ଚାନ୍ଦୁଆ ଶିଳ୍ପୀଙ୍କ ଜୀବନଶୈଳୀକୁ ବିପଦଆଡକୁ ଠେଲି ଦେଇଛି ।

ଓଡ଼ିଶାର ଐତିହ୍ୟ ସ୍ଥଳଗୁଡ଼ିକ ପୁରୀ, କୋଣାର୍କ, ଭୁବନେଶ୍ୱରରେ ସୀମିତ ହୋଇ ରହିଯାଇଛି । ଯାଯପୁର ଜିଲ୍ଲାର ବୌଦ୍ଧ ପୀଠ "ରତ୍ନଗିରି' ଓ କେନ୍ଦ୍ରାପଡା ଜିଲ୍ଲା "ଭିତରକନିକା'କୁ ଓଡ଼ିଶାର ଐତିହ୍ୟ ସ୍ଥଳ ଭାବରେ ଗ୍ରହଣ କରାଯାଇଛି ସତ, କିନ୍ତୁ ପର୍ଯ୍ୟଟକଙ୍କୁ ସୁବିଧାରେ ସେଠାକୁ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ପାରି ନାହିଁ । ଜାତୀୟ ରାଜପଥ ୫(କ) ରୁ ରତ୍ନଗିରି ପାଇଁ ସରକାରଙ୍କ ତରଫରୁ ପରିବହନ ବ୍ୟବସ୍ଥା କରାଯାଇ ନଥିବାରୁ ନିଜସ୍ୱ ଖର୍ଚ୍ଚରେ ଟ୍ୟାକ୍ସି ନେଇ ପର୍ଯ୍ୟଟକଙ୍କୁ ଯିବାକୁ ହୋଇଥାଏ । ରାଜ୍ୟରେ ଏଭଳି ଅନେକଗୁଡ଼ିକ ପର୍ଯ୍ୟଟନ ସ୍ଥଳୀ ବିକାଶରଠାରୁ ବହୁ ଦୂରରେ ରହିଛି ।

 

 

  • Tags:

Subscribe

National International State Sports Entertainment