ମୁଖ୍ୟମନ୍ତ୍ରୀ କଲେ ନିରାଶା, ଦିଲ୍ଲୀ ହେଲା ଭରସା
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୧୩(ଖବର ଓଡ଼ିଶା): "ଶଙ୍ଖ' ଉପରେ ଆସ୍ଥା ରଖି ରାଜ୍ୟର ଲୋକମାନେ ଗତ ୪ଥର ହେଲା ବିଜୁ ଜନତା ଦଳକୁ ଭୋଟ ଦେଇ ଆସୁଛନ୍ତି । ବର୍ଷ ୨୦୦୦ରୁ ରାଜ୍ୟରେ ବିଜେଡି ସରକାର କ୍ରମାଗତ ଭାବରେ ବିଜୟ ଲାଭ କରି ଆସୁଛି । ଅନ୍ୟ ଦଳକୁ ରାଜନୈତିକ ଲାଭ ହେଉ ନାହିଁ । ଏଭଳି ସ୍ଥିତିରେ କେବଳ ବିଜେଡିର ମନ୍ତ୍ରୀ, ବିଧାୟକ ନୁହେଁ, ବରଂ ଜିଲ୍ଲା ଓ ବ୍ଲକସ୍ତରୀୟ ନେତାମାନଙ୍କ ଇଙ୍ଗୀତରେ ପ୍ରଶାସନ ଚାଲୁଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ବିଗତ ୧୭ ବର୍ଷର ବିଜେଡ ଶାସନ କାଳରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ କିଛି ପରିମାଣରେ ପରିବର୍ତ୍ତନ ଆସିଛି ସତ, କିନ୍ତୁ ଚାଷୀ ଆତ୍ମହତ୍ୟା, ଦାଦନ ଦୁଃଖ ଓ ବେକାରୀ ସଂଖ୍ୟା ମଧ୍ୟ ବଢ଼ିଛି । ଏଭିତରେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି । କିନ୍ତୁ ଯୋଜନାଗୁଡ଼ିକ ଲଗାମ ବିହିନ ଘୋଡା ଭଳି ଗତି କରୁଛି ।

ଗଣତନ୍ତ୍ରର ଭାଗ୍ୟ ବିଧାତା କୁହାଯାଉଥିବା ରାଜନେତାମାନେ ଗରୀବ, ନିଷ୍ପେସିତ, ଅବହେଳିତ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ କୁଣ୍ଠବୋଧ ମନେକରୁଛନ୍ତି । ସାଧାରଣ ପରିବାରରେ ରହୁଥିବା ଲୋକଙ୍କ ଅଭିଯୋଗକୁ ଶୁଣୁ ନାହାନ୍ତି ଅଧିକାରୀ । ବିଶେଷ ଭାବରେ ବ୍ୟାଙ୍କିଂ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜୁଛି। ଗରୀବ ଓ ଅସହାୟମାନଙ୍କୁ ଆର୍ଥିକ ସହାୟତା ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଅନେକଗୁଡ଼ିଏ ଋଣ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କ ନିଚମନୋଭାବ ଯୋଗୁଁ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଠିକ୍ ସମୟରେ ସାହାଯ୍ୟ ମିଳିପାରୁ ନାହିଁ । ଗ୍ରାମାଞ୍ଚଳର ଲୋକେ ଅପାଠୁଆ ଓ ଅର୍ଦ୍ଧଶିକ୍ଷିତ ହୋଇଥିବାରୁ ସେମାନେ ଅଧିକାରୀମାନଙ୍କ ମାୟାକୁ ବୁଝି ନ ପାରି ବାରମ୍ବାର ବ୍ୟାଙ୍କକୁ ଦୌଡି ଦୌଡ଼ି ନ୍ୟାୟାନ୍ତ ହୁଅନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ସଦାନନ୍ଦ ନାୟକ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉଛାବାହାଲିରେ ରହନ୍ତି ସଦାନନ୍ଦ ନାୟକ । ରାଜସ୍ୱ ବିଭାଗରେ କାର୍ଯ୍ୟରତ ସଦାନନ୍ଦଙ୍କୁ ଦରମା ମିଳେ ମାତ୍ର ୧୨ହଜାର ଟଙ୍କା । ମୁଣ୍ଡ ଉପରେ ଝିଅର ବାହାଘର । ଏପ୍ରିଲ ୨୪ରେ ଝିଅ ପ୍ରିୟବତୀର ବାହାଘରକୁ ଆଖି ଆଗରେ ରଖି ସଦାନନ୍ଦ ବ୍ୟାଙ୍କରେ ଋଣ ସକାଶେ ଆବେଦନ କରିଥିଲେ । କିନ୍ତୁ ଦୁଃଖର କଥା ଯେ, ବ୍ୟାଙ୍କର ଅଧିକାରୀମାନଙ୍କର ନୀଚମନୋଭାବ ଯୋଗୁଁ ସଦାନନ୍ଦଙ୍କୁ ଋଣ ମିଳୁ ନ ଥିଲା । ଅସହାୟ ପିତାଙ୍କ ଦୁର୍ଦ୍ଦଶା ଦେଖି ପ୍ରିୟବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖମନ୍ତ୍ରୀଙ୍କୁ ସହାୟତା ପାଇଁ ଚିଠି ଲେଖିଥିଲେ । ଗରୀବର ସାଥୀ ବୋଲି କହୁଥିବା ନବୀନଙ୍କ ତରଫରୁ ଚିଠିର ଉତ୍ତର ମିଳି ନ ଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତାର ହାତ ବଢ଼ାଇଛନ୍ତି । ସଦାନନ୍ଦଙ୍କୁ ସହାୟତା ପ୍ରଦାନ ତଥା ଋଣ ସମ୍ପର୍କୀତ ଘଟଣାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବୌଦ୍ଧ ଜିଲ୍ଲା ପ୍ରଶାସନକୁ ଆଦେଶ ଆସିଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ପଦକ୍ଷେପ ନିଆଯିବା ପରେ ବ୍ୟାଙ୍କ ସଦାନନ୍ଦଙ୍କୁ ୩ଲକ୍ଷ ୪୪ ହଜାର ଟଙ୍କା ଲୋନ ମଞ୍ଜୁରୀ କରିଛି । ୧୦ମ ଶ୍ରେଣୀ ପାଠ ପଢ଼ିଥିବା ପ୍ରିୟବତୀର ପିତା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ ଯେ, ଦରମା ବ୍ୟତିତ ମୋ ପାଖରେ ଆଉ ଆୟର କୌଣସି ପନ୍ଥା ନାହିଁ । ସହାୟତା ମିଳିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଛନ୍ତି ।

ନ୍ୟାୟ ପାଇଁ ଆଉ ଜଣେ ଓଡ଼ିଆ ମହିଳାଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀ ଯିବାକୁ ପଡିଛି । ହଜାର କିଲୋମିଟର ଅଟୋ ଚଳାଇ ଦିଲ୍ଲୀରେ ପହଞ୍ଚିଥିବା ଓଡ଼ିଆ ମହିଳା ଜଣକ ହେଲେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଡଆମୁଣି ଗ୍ରାମର ସନ୍ତୋଷୀ ଦେଓ । ସ୍ୱାମୀ ପରିତ୍ୟକ୍ତା ସନ୍ତୋଷୀ କେନ୍ଦୁଝର ସହରରେ ଅଟୋ ଚଳାଇ ପରିବାର ପୋଷନ୍ତି । ଦୁଃଖର କଥା ଯେ, ଆମ ରାଜ୍ୟ ସରକାର ସନ୍ତୋଷୀଙ୍କୁ ଉଚିତ ନ୍ୟାୟ ଦେଇ ପାରି ନ ଥିବାରୁ ସେ ଉପାୟ ଶୂନ୍ୟ ହୋଇ ଜାତୀୟ ମହିଳା ଆୟୋଗ ପାଖରେ ପହଞ୍ଚି ଥିଲେ । ଗନ୍ତବ୍ୟ ସ୍ଥଳରେ ସନ୍ତୋଷୀଙ୍କୁ ପେଟ୍ରୋଲ ପମ୍ପମାନଙ୍କରେ ରାତ୍ରିଯାପନ କରିବାକୁ ପଡ଼ିଥିଲା । ଦିଲ୍ଲୀରେ ପହଞ୍ଚିଲା ପରେ କେନ୍ଦୁଝର ସାଂସଦ ସହାୟତାର ହାତ ବଢ଼ାଇବାକୁ ଆଶ୍ୱାସନା ଦେଇଥିଲେ । ଏବେ କିନ୍ତୁ ଦେଖିବାକୁ ରହିଲା ଯେ, ସନ୍ତୋଷୀଙ୍କୁ ନ୍ୟାୟ ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ।

  • Tags:

Subscribe

National International State Sports Entertainment