ଭସେଇଦେଲେ ମନ୍ତ୍ରୀ, ନବୀନ ଖପ୍ପା, ଚିନ୍ତାରେ ମହାରଥୀ !
Khabar Odisha:Pradeep-Maharathy-Assembly-Agriculture-Minister-Farmer-Suicide
ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଚିନ୍ତାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାକୁ ଧଳା ଓ ଧଳା କୁ କଳା କରିବା ପାଇଁ ଯେଉଁ ପ୍ରୟାସ କରିଥିଲେ ସେ ଅଡୁଆ ସୂତା ଏବେ ସରକାର ପାଇଁ ଚିନ୍ତା କାରଣ । ଏବେ ସରକାରୀ ମୁଖିଆ ତଥା ବିଜୁ ଜନତା ଦଳର ହାଇକମାଣ୍ଡଙ୍କୁ ଘାରିଛି ଚିନ୍ତା  । ସାରା ରାଜ୍ୟରେ ଏବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଏହାକୁ ନେଇ ମୁଖିଆଙ୍କର ବଢିଲାଣୀ ରକ୍ତଚାପ । ସେପଟେ ନିଜକୁ ଚଷା ପୁଅ ବୋଲି ସବୁବେଳେ କହି ବାହାସ୍ପୋଟ ମାରୁଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ସମସ୍ତ କଥା ଜାଣିଥିଲେ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା । ଏପରିକି ମହାରଥୀଙ୍କ ବିଧାନସଭାରେ ଦେଇଥିବା ବୟାନ ସରକାରଙ୍କୁ ଅଡୁଆରେ ପକାଇଦେଇଛି । ସରକାର ଏହାକୁ ଗିଳି ପାରୁନାହାନ୍ତି କି ଢୋକି ପାରୁନାହାନ୍ତି ।
 
ଅନ୍ୟପକ୍ଷରେ ଆଜି ଖୋଦ ଜିଲାପାଳ ବରଗଡର କେନ୍ଦୁପାଲି ଅଞ୍ଚଳକୁ ଯାଇ ଚାଷୀ ଖଇନୁ ବଗର୍ତୀଙ୍କ ଜମି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି  । 2ରୁ 3 ଦିନ ମଧ୍ୟରେ ସେ ରିପୋର୍ଟ ପ୍ରଦାନ କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ବର୍ତମାନ ଜିଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି  ମୁଖ୍ୟମନ୍ତ୍ରୀ  । ଦରକାର ପଡିଲେ କୃଷିମନ୍ତ୍ରୀଙ୍କୁ ସେ ହଟାଇ ଦଳ ସହ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବେ ବୋଲି ଏବେ ପାୱାର କରିଡରରେ ଚାଲିଛି ଜୋରଦାର ଚର୍ଚ୍ଚା ।
 
ସେପେଟ ବିଧାନସଭାରେ ଅସତ୍ୟ କଥା କହିଥିବା ଅଭିଯୋଗରେ କୃଷିମନ୍ତ୍ରୀ ଏବେ ବିରୋଧୀଙ୍କ ଟାର୍ଗେଟରେ  । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ସରକାର ଓ କୃଷିମନ୍ତ୍ରୀଙ୍କ ଅସଲ ମୁଖା ପଦାରେ ପଡିଯାଇଛି । ସରକାର ମାନିଲେ ମଲେ ନମାନିଲେ ମଲେ  । ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ଚାଷୀ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଧୁଛନ୍ତି । ଚାଷୀ ନିଶ୍ବାସରେ ଏ ସରକାର 2019ରେ ଶେଷ ହୋଇଯିବ  । ତେବେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ ଗମମାଧ୍ୟମରେ କହିଛନ୍ତି ଚାଷୀ ଆତ୍ମହତ୍ୟା କରିବା ଘଟଣା ଦୁର୍ଭାଗ୍ୟଜନକ  । ତେବେ ଯଦି ଅମଲା  ମାନେ ଭୁଲ ତଥ୍ୟ ଦେଉଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।

ଏଠାରେ ଉଲେଖଯୋଗ୍ୟ ଯେ, ବରଗଡର ଚାଷୀ ଖଇନୁ ବଗର୍ତୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାର ଚାଷ ଜନିତ କ୍ଷୟକ୍ଷତିକୁ ସ୍ବୀକାର କରିବେ କି ଏହାକୁ କି ରୂପ ଦେବେ ଏନେଇ ତୃତୀୟ ମହଲାରୁ କସରତ ଆରମ୍ଭ ହୋଇଥିବା ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଏପରିକି 2015 ମସିହାରେ ପାଖାପାଖି 2ଶହ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗକୁ ସରକାର ଏଡାଇ ଦେଇ ଯାଇଥିବା ବେଳେ ପୁରୁଣା ତଥ୍ୟ ଏବେ ରାଜ୍ୟ ସରକାରଙ୍କୁ ଡରାଇବାରେ ଲାଗିଛି  । ଏସବୁ ମଧ୍ୟରେ ରାଜ୍ୟ ମୁଖୁଆ ଏବେ ମହାରଥୀଙ୍କ ଉପରେ ଖପ୍ପା ଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।
  • Tags:

Subscribe

National International State Sports Entertainment