ଅଭିବ୍ୟକ୍ତିର ସ୍ୱାଧୀନତା ଓ ରାଷ୍ଟ୍ରଦ୍ରୋହତା
Khabar Odisha:students-violence-and-government-politics-in-study-university
ଦିଲ୍ଲୀ ୟୁନିର୍ଭସିଟିର ରାମଜସ କଲେଜ୍‌ର ଏକ ସେମିନାରକୁ ଜବାହାରଲାଲ ୟୁନିର୍ଭସିଟିର ଛାତ୍ର ଉମର ଖାଲିଦକୁ ବକ୍ତା ହିସାବରେ ନିମନ୍ତ୍ରଣ ଦେଇ କେତେକ ଛାତ୍ର ସଙ୍ଗଠନ ପୁଣି ଏକ ଅରାଜକ ପରିସ୍ଥିତି ନିର୍ମାଣରେ ସଫଳ ହୋଇଛନ୍ତି । ଭିନ୍ନ ଭିନ୍ନ ଘଟଣାକୁ ହତିଆର କରି ଏହି ସଙ୍ଗଠନମାନେ ଦେଶବ୍ୟାପୀ ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ଗତ କେତେବର୍ଷ ହେଲା ଏହିପରି ବିଶୃଙ୍ଖଳା ଏବଂ ଅରାଜକ ବାତାବରଣ ଯୋଜନା ପୂର୍ବକ ସୃଷ୍ଟି କରୁଛନ୍ତି ଯାହା ସମ୍ପୂର୍ଣ୍ଣ ଛାତ୍ର ସମାଜ ତଥା ସେମାନଙ୍କ ଅଭିଭାବକମାନେ ଉପଲବ୍ଧ କରିବା ଆବଶ୍ୟକ । ତାହା ଜେଏନ୍‌ୟୁ (ଜବାହାରଲାଲ ୟୁନିର୍ଭସିଟି) ହେଉ ବା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ବା ଫଲ୍ମ ଏଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଥବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସବୁଠି ଶୈକ୍ଷିକ ପରିସରକୁ କଳୁଷିତ କରିବାର ଅପଚେଷ୍ଟା କରାଯାଇଛି । ସେଇପରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆଲିଗଡ ମୁସ୍ଲିମ ବିଶ୍ୱ ବିଦ୍ୟାଳୟ, ଯୋଧପୁରର ଜୟ ନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟ, ହରୟାନାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋଲକାତାର ବିଶ୍ୱବିଦ୍ୟାଳୟ ତଥା ଯାଦବପୁର ବିଶ୍ୱବିଦ୍ୟାଳୟ ଆଦି ବହୁ ବିଶ୍ୱବିଦ୍ୟାଳୟଗୁଡିକ ଶୈକ୍ଷିକ ପରିବେଶରୁ ଦୂରେଇ ନେଇ ଆଜି ବୈଚାରିକ ସଂଘର୍ଷର ରଣଭୂମିରେ ପରିଣତ କରିବା ନିମିତ୍ତ ଅନବରତ ପ୍ରଚେଷ୍ଟା  ଚାଲୁ ରହିଛି । ଏଥିପାଇଁ ସୋସିଆଲ ମିଡିଆକୁ ବ୍ରହ୍ମାସ୍ତ୍ର ରୂପେ ପ୍ରୟୋଗ କରାଯାଇ ବିଧ୍ୱଂସକୁ ବହଗୁଣିତ କରିବା ପାଇଁ ଷଡଯନ୍ତ୍ର ହେଉଛି ।
 
ଦୁର୍ଭାକ୍ୟର କଥା ହେଉଛି ଏହି ସବୁ ଶିକ୍ଷଣ ପରିସର ମଧ୍ୟରେ ଆରମ୍ଭ ହେଉଥିବା ବାଦ ବିବାଦ ସେଇଠାରେ ସୀମିତ ନରହି ତାହା ଅତି ଅଳ୍ପ ସମୟ ମଧ୍ୟରେ ରାଜନୀତିକ ରଙ୍ଗରେ ରଙ୍ଗାୟିତ ହୋଇ ଯାଉଛି ଏବଂ ଭିନ୍ନ ଭିନ୍ନ ବିଚାରଧାରାର ରାଜନେତାମାନେ ସେଥିରେ ହସ୍ତକ୍ଷେପ ଓ ସମର୍ଥନ କରି ତାହାକୁ ବିସ୍ଫୋଟକ ପରିସ୍ଥିତିରେ ରୂପାନ୍ତରିତ କରୁଛନ୍ତି । କେବଳ ସେତିକି ନୁହେଁ ଯେଉଁ ଛାତ୍ର ସଙ୍ଗଠନ କାଶ୍ମୀର, ବସ୍ତର ଏବଂ ମଣିପୁରର ସ୍ୱାଧୀନତା ଦାବି କରି ଧ୍ୱନି ଦେଉଛନ୍ତି, ଭାରତକୁ ଖଣ୍ଡ ବିଖଣ୍ଡିତ ହେବା ଏବଂ ପାକିସ୍ତାନର ମହିମା ମଣ୍ଡନ କରିବା ତଥା ଆତଙ୍କବାଦୀମାନଙ୍କର ଜିନ୍ଦାବାଦ ଓ ଯଶୋଗାନ କରୁଛନ୍ତି, ଦେଶ ବିରୋଧୀ ପୋଷ୍ଟରମାନ କାନ୍ଥବାଡରେ ଲଗାଉଛନ୍ତି ସେମାନଙ୍କୁ କଂଗ୍ରେସ, ଆମ ଆଦମୀ ପାର୍ଟି ଓ ଅନ୍ୟ କେତେକ ଭାଜପା ବିରୋଧୀ ଦଳମାନେ ସମର୍ଥନ ଓ ସହଯୋଗ କରୁଛନ୍ତି କାରଣ ଏଇ ଛାତ୍ର ସଙ୍ଗଠନମାନେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ବିରୋଧ କରୁଛନ୍ତି । ମୋଦି ସରକାରଙ୍କ ବିରୋଧ ଆଳରେ ଏହି ନେତାମାନେ ଏହା ବିଚାର ମଧ୍ୟ କରିବାକୁ ପ୍ରସ୍ତୁତି ନୁହନ୍ତି ଯେ ସେମାନେ କି ପ୍ରକାର ତତ୍ତ୍ୱମାନଙ୍କୁ ସମର୍ଥନ ଓ ପ୍ରୋତ୍ସାହନ ଦେଉଛନ୍ତି । କ୍ଷମତାସୀନ ଦଳକ ବିରୋଧ କରିବା ନାଁରେ କଣ ତେବେ ଯେ କୌଣସି ସ୍ତରକୁ ଓହ୍ଲାଇ ଯିବା ରାଜନୈତିକନ ନୈତିକତା ରୂପେ ବିବେଚିତ ହେବ ? ଏବେ ଏବେ କିଛି ବିରୋଧୀ ଦଳ ନେତା ସେନାବାହିନୀର ଯବାନମାନଙ୍କ ଉପରକୁ କାଶ୍ମୀରରେ ପଥରମାଡ କରୁଥିବା ଲୋକମାନଙ୍କୁ ସମର୍ଥନ କରି ଯବାନମାନଙ୍କ କାର୍ୟ୍ୟକଳାପକୁ ବିରୋଧ କରୁଥିଲେ । ପାକିସ୍ତାନ ଭୂମିରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ସମ୍ବନ୍ଧରେ ପ୍ରମାଣ ମାଗିଥିଲେ । ବୋଧହୁଏ  ସେ ସମୟ ଆଉ ବେଶୀ ଦୂରରେ ନାହିଁ ଯେତେବେଳେ ଆମେ ସଭାଦୀଷ୍ଟ ଦଳକୁ ବିରୋଧ କରିବା ପାଇଁ ଘନ ଘନ ବିସ୍ଫୋରଣ ଘଯାଇ ଦେଶର ସ୍ୱାଧୀନତାକୁ ବିପନ୍ନ କରୁଥିବା ଆତଙ୍କବାଦୀମାନଙ୍କ ପଛରେ ଛିଡା ହୋଇ ସେମାନଙ୍କୁ ପ୍ରତ୍ୟକ୍ଷ ସମର୍ଥନ ଯୋଗାଉଥିବା ଠିକ୍‌ ସେଦିନର ପୃଥ୍ୱୀରାଜ ଚୌହାନଙ୍କୁ ଶତ୍ରୁ ଦ୍ୱାରା ପରାଜିତ କରାଇ ତାଙ୍କୁ ପାନେ ଚଖାଇବା ମାନସରେ ପାଗଳ ହୋଇ ଯାଇଥିବା ଜୟଚନ୍ଦ୍ରଙ୍କ ଭଳି । ଯେଉଁଦିନ ଭାରତର ସ୍ୱାଧୀନତା ଅସ୍ତମିତ ହୋଇ ଯାଇଥିଲା ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ।
 
୯ ଫେବୃଆରୀ ୨୦୧୬ ଜେଏନ୍‌ୟୁ ପରିସର ମଧ୍ୟରେ ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ ଆଫଜଲଗୁରୁର ଫାଶୀକୁ ବିରୋଧ ସହ କାଶ୍ମୀରର ସ୍ୱାଧୀନତା ପାଇଁ କେତେକ ଛାତ୍ର ସଙ୍ଗଠନ ଦ୍ୱାରା ଧ୍ୱନୀ ଦିଆଯାଇ ମୋଦି ସରକାର ବିରୁଦ୍ଧରେ ପ୍ରଦର୍ଶନ କରାଯାଇଥିଲା । ଭାରତର ମୁର୍ଦ୍ଦାବା, ଭାରତକୁ ଖଣ୍ଡ ଖଣ୍ଡ ହେବା ଉଦ୍ଦେଶ୍ୟରେ ସେମାନଙ୍କ ଦ୍ୱାରା ଦିଆ ଯାଉଥିବା ସ୍ଲୋଗାନକୁ ସେତେବେଳେ ଏବିଭିପି ନାମକ ଛାତ୍ର ସଙ୍ଗଠନ ବିରୋଧ କରିବା ପାଇଁ ଅଣ୍ଟା ଭିଡିଥିଲା । ସେତେବେଳେ ପ୍ରମାଣକୁ ଭିତ୍ତି କରି ଉମରଖାଲିଦ, କହ୍ନେୟାକୁମାର ଏବଂ ଅନିର୍ବାଣ ଆଦି ଛାତ୍ର ନେତାମାନଙ୍କୁ ଦେଶଦ୍ରୋହ ଆରୋପରେ ଗିରଫ କରାଯାଇଥିଲା । ସେଇ ଉମର ଖାଲିଦକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ଥିତ ରାମଜସ କଲେଜକୁ  ବକ୍ତା ହିସାବରେ ୨୧ ଫେବୃଆରୀ ୨୦୧୭ ଦିନ ଡକା ଯାଇଥିଲା । ଏହାକୁ ଏବିଭିପି ପ୍ରବଳ ବିରୋଧ କରିବା କାରଣରୁ ଉମର ଖାଲିଦର ଆମନ୍ତ୍ରଣ ତଥା ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମ ରଦ୍ଦ କରାଯାଇଥଇଲା । ଏଥିରେ ବାମପନ୍ଥୀ ଛାତ୍ର ସଙ୍ଗଠନ ଅସନ୍ତୋଷ ପ୍ରକାଶ କରିବା ସହ କଲେଜ ମଧ୍ୟରେ ବସ୍ତର ଓ ମଣିପୁରର ସ୍ୱାଧୀନତା ନିମିତ୍ତ ଧ୍ୱନୀମାନ ଦେଇଥିଲେ । ଫଳରେ ବାମପନ୍ଥୀ ଛାତ୍ର ସଙ୍ଗଠନ ସହ ଏବିଭିପି ସଦ୍ୟମାନଙ୍କର କଥା କଟାକଟିରୁ ପରସ୍ପର ମଧ୍ୟରେ ହାତାହାତି ପର୍ୟ୍ୟନ୍ତ ଘଟଣା ଯାଇଥିଲା ।
 
ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ବିରୋଧକୁ ନେଇ ଖପ୍ପା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଗୁରମେହେର କୌର ସୋସିଆଲ ମିଡିଆରେ ସେ ଏବିଭିପିକୁ ଡରନ୍ତି ନାହିଁ ଏବଂ ଏଇ ଘଟଣା ସହ ଆଦୌ ସମ୍ବନ୍ଧ ନଥିବା କାଶ୍ମୀରରେ ଶହୀଦ ହୋଇଥିବା ତାଙ୍କ ପିତାଙ୍କୁ ପାକିସ୍ତାନ ନୁହେଁ ବରଂ ଯୁଦ୍ଧ ହିଁ ମାରିଥିଲା ବୋଲି ଏକ ମେସେଜ ପ୍ରକାଶ କଲେ । ଏହାକୁ ନାପସନ୍ଦ କରୁଥିବା ଅନେକ ବ୍ୟକ୍ତି ନିଜର ମତାମତ ପ୍ରକାଶ କଲେ । ତନ୍ମଧ୍ୟରେ କିରଣ ରିଜିକୁ, ବିରେନ୍ଦ୍ର ସେହ୍ୱାଗ, ଯୋଗେଶ୍ୱର ଦତ୍ତ ଆଦି ଅନେକ ବିଶିଷ୍ଟ ବ୍ୟକ୍ତିମାନେ  ଥିଲେ । ଏପରି ତର୍କ ବିତର୍କ  ଶେଷରେ ଯାଇ  ଅଭିବ୍ୟକ୍ତିର ସ୍ୱାଧୀନତା, ଅସହିଷ୍ଣୁତା ଆଦି ବିଷୟ ଉପରେ କେନ୍ଦ୍ରିତ ହୋଇ ଛାତ୍ରମାନଙ୍କର ସପକ୍ଷ ବିପକ୍ଷବାଦୀ ପ୍ରଦର୍ଶନ ଓ ପୋଲିସ ହସ୍ତକ୍ଷେପ ପର୍ୟ୍ୟନ୍ତ ଗଲା ଯାହା ଛାତ୍ର ବିଶୃଙ୍ଖଳା ବା ଅରାଜକାତକୁ ପ୍ରଶୟ ଦେଲା । 
 
ଦେଶର ବିଶିଷ୍ଟ ବୁଦ୍ଧିଜୀବୀ, ଏବିଭିପି ଏବଂ ରାଷ୍ଟ୍ରବାଦୀ ବିଚାରର ସଙ୍ଗଠନମାନଙ୍କ  ମତରେ ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ବିରୋଧ କରାଯାଇ ପାରିବ ନାହିଁ । କିନ୍ତୁ ବାମପନ୍ଥୀ ବିଚାରର ସଙ୍ଗଠନମାନେ ଦାବି କରନ୍ତି ଯେ କାଶ୍ମୀର ବା ମଣିପୁରର ସ୍ୱାଧୀନତା ପାଇଁ ଧ୍ୱନୀ ଦେବା ଏବଂ ଆତଙ୍କବାଦୀମାନଙ୍କ ମହିମାମଣ୍ଡନ କରିବା ସେମାନଙ୍କୁ ସେନା ଦ୍ୱାରା ହତ୍ୟା କରାଯିବା ଆଦିର ବିରୋଧ କରାଯିବା ଅଭିବ୍ୟକ୍ତିର ସ୍ୱାଧୀନତା ଅଟେ । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଆମ ସମ୍ବିଧାନ ପ୍ରଦତ୍ତ ଅଭିବ୍ୟକ୍ତିର ସ୍ୱାଧୀନତା ବିଷୟକ ଯେଉଁ ପ୍ରାବଧାନ ଅଛି ସେଥିରେ ଏହା ସ୍ପଷ୍ଟ କରାଯାଇଛି କି ଦେଶର ଅଖଣ୍ଡତା ଏବଂ ସଂପ୍ରଭୁତାକୁ ହନନ କଲା ଭଳି କୌଣସି ସ୍ୱାଧୀନତା କାହାକୁ ଦିଆଯାଇ ପାରିବ ନାହିଁ । କିନ୍ତୁ ଚିନ୍ତାର ବିଷୟ ହେଉଛି ବାମପନ୍ଥୀମାନଙ୍କ ଗଡ ରୂପେ ଉଭା ହୋଇଥିବା ଜେଏନ୍‌ୟୁ ଏବଂ ଅନ୍ୟ ଅନେକ ବିଶ୍ୱବିଦ୍ୟାଳୟରେ ଦୀର୍ଘ ସମୟ ଧରି ଏପରି ଦେଶଦ୍ରୋହୀ କାର୍ୟ୍ୟକଳାପ ସକାଶେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଦାଲତଙ୍କ ଏହି ଫଇସଲା ଆସିବା ପର୍ବରୁ  ଅନେକ ବୁଦ୍ଧିଜୀବୀ ତାଙ୍କ ସପକ୍ଷରେ ଓକିଲାତି କରି ହାଓ୍ୱା ତିଆରି କରୁଥିଲେ । ମଜ୍ଜାର କଥା ହେଉଛି ସାଇବାବାଙ୍କ ସହ ତାଙ୍କର ଜଣେ ସହଯୋଗୀ ଜେଏନ୍‌ୟୁର ଛାତ୍ର ମଧ୍ୟ ଦଣ୍ଡିତ ହୋଇଛନ୍ତି । ଅତୀତରେ ଅନେକ ଘଟଣା ଏପରି ପଦାକୁ ଆସିଥିଲେ  ମଧ୍ୟ ଆମର ରାଜନେତାମାନେ ସଭାଧୀଷ୍ଠ ଦଳକୁ କେବଳ ବିରୋଧ କରିବା ନିମିତ୍ତ ହୀନ ରାଜନୀତିର ଶିକାର ହୋଇ ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ ଏଇ ସବୁ ବିଶ୍ୱବିଦ୍ୟାଳୟ ପରିସରରେ ଘଟୁଥିବା ପ୍ରଦର୍ଶନ ଓ ଅରାଜକତା ଆଦିକୁ ଅନୈତିକ ସମର୍ଥନ ଯୋଗାଉଛନ୍ତି । ଏତଦ୍ୱାରା  ସେମାନେ ଯେ କେବଳ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଛନ୍ତି ତାହା ନୁହେଁ ବରଂ ଅପ୍ରତ୍ୟକ୍ଷ ଭାବରେ ଦେଶ ଓ ସମ୍ବିଧାନକୁ ମଧ୍ୟ ବିରୋଧ କରୁଛନ୍ତି ।
 
ସେ ଯାହା ହେଉ ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଦେଶଦ୍ରୋହୀ ତତ୍ତ୍ୱମାନେ ଯେପରି ଭାବରେ ନିଜର କାର୍ୟ୍ୟକଳାପ ବୃଦ୍ଧି କରିବାରେ ଲାଗିଛନ୍ତି ସେଥିପାଇଁ ଏବିଭିପି ସଦୃା ରାଷ୍ଟ୍ରପ୍ରେମୀ ସଙ୍ଗଠନମାନେ ତ ନିଶ୍ଚିତ ଭାବରେ ସତର୍କ ରହିବା ଉଚିତ କିନ୍ତୁ ସତର୍କତା ନାମରେ ଉଗ୍ରତା ସ୍ପୃହଣୀୟ ନୁହେଁ । କାରଣ ଏହା ଅରାଜକତାକୁ ଡାକତ ଆଣେ ଏବଂ ଅସଲ ପ୍ରସଙ୍ଗଟି ଗୌଣ ହୋଇଯାଏ । ଏ ପ୍ରସଙ୍ଗରେ ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ବହୁମୂଲ୍ୟ ଉପଦେଶଟି ଉପାଦେୟ ମନେହୁଏ । ସେ କହନ୍ତି ଅସହିଷ୍ଣୁ ଲୋକଙ୍କ ପାଇଁ ଏ ଦେଶରେ ସ୍ଥାନ ନାହିଁ । କିନ୍ତୁ ତାର୍କିକ ଅସହମତି ପାଇଁ ସଭିଏଁ ଅନୁମତି ଦେବା ଉଚିତ୍‌ । ପୁଣି ବିଶ୍ୱ ବିଦ୍ୟାଳୟମାନଙ୍କରେ ତାର୍କିକ ଅସହମତି ପାଇଁ ସଭିଏଁ ଅନୁମତି ଦେବା ଉଚିତ । ପୁଣି ବିଶ୍ୱ ବିଦ୍ୟାଳୟମାନଙ୍କରେ ତାର୍କିକ ଚର୍ଚ୍ଚାର ଆବଶ୍ୟକତା ନିଶ୍ଚିତ ରହିଛି ଓ ରହିବ । କିନ୍ତୁ ଆଲୋଚନା ନାମରେ ଅଶାନ୍ତି ବା ଅରାଜକତା ସୃଷ୍ଟି ହେବା ଅନୁଚିତ । କାରଣ ସମସ୍ତେ ଏହା ମନେ ରଖିବା ଉଚିତ ଯେ ଦେଶ ହେଉଛି ସର୍ବୋପରି । 
 
ଅଶ୍ୱିନୀ କୁମାର ଶତପଥୀ
 
  • Tags:

Subscribe

National International State Sports Entertainment