ରାଷ୍ଟ୍ରୀୟ ଅସ୍ମିତା ଓ ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପ୍ରସଙ୍ଗ
Khabar Odisha:Babri-Masjid-And-Ram-Temple-Issue
ଅଯୋଧ୍ୟାର ବିବାଦିତ ଢ଼ାଞ୍ଚା (ଯାହାକୁ ବାବ୍ରୀ ମସ୍‌ଜିଦ୍‌ ବୋଲି କୁହାଯାଉଛି) ବିଧ୍ୱଂସ ହେବା ପରେ ଏ ମଧ୍ୟରେ ଅଢ଼େଇ ଦଶକ ଅତିବାହିତ ହୋଇ ଯାଇଛି । ହିନ୍ଦୁଜଗତର ଆସ୍ଥା ଏବଂ ବିଶ୍ୱାସର ପ୍ରତୀତ ରାମଲାଲା ସେଇ ସ୍ଥଳରେ ଅଦ୍ୟାବଧି ଅସ୍ଥାୟୀ ତମ୍ବୁ ତଳେ ପୂଜିତ ହୋଇ ଆସୁଛନ୍ତି । ଏ ମଧ୍ୟରେ ଏହା ଆଶା କରାଯାଉଥିଲା ଯେ ହିନ୍ଦୁ ଓ ମୁସଲମାନ ଅତୀତର ସମସ୍ତ ତିକ୍ତତାକୁ ଭୁଲି ଆଲୋଚନା ମାଧ୍ୟମରେ ଏହି ସମସ୍ୟାଟିର ସମାଧାନ କରାଇ ଦେବେ ଅଥବା ଉଚ୍ଚତମ ନ୍ୟାୟାଳୟ ଏ ବିଷୟରେ ଫଇସଲା କରି ଦେବେ । କିଛିଦିନ ପୂର୍ବେ ଉଚ୍ଚତମ ନ୍ୟାୟାଳୟ ଏହି ପ୍ରସଙ୍ଗକୁ କୋର୍ଟ ବାହାରେ ପରସ୍ପର ଆଲୋଚନା ମାଧ୍ୟମରେ ସମାଧାନ କରାଇବା ପାଇଁ ଉଭୟ ପକ୍ଷଙ୍କୁ ଦିଶାନିର୍ଦ୍ଦେଶ କରିଥିଲେ ଏବଂ ଆବଶ୍ୟକ ସ୍ଥଳୋ ନିଜେ ପ୍ରଧାନ ବିଚାରପତି ଏଥିରେ ମଧ୍ୟସ୍ଥତା କରିବା ପାଇଁ ମଧ୍ୟ ସମ୍ମତି ପ୍ରଦାନ କରିଥିଲେ । ଏହାଦ୍ୱାରା ସମଗ୍ର ଦେଶରେ ଏପରି ଧାରଣା ସୃଷ୍ଟି ହୋଇଥିଲା ଯେ ଏହି ମାମଳା ଏବେ ନିଶ୍ଚୟ ସମାଧାନ ହୋଇଯିବ । ଏଇ ଦଶ ପନ୍ଦର ଦିନ ପୂର୍ବରୁ ହୋଇଥିବା ଏକ ଜନମତ ସର୍ଭେରେ ପ୍ରାୟ ଶତକଡା ୭୦ ଭାଗ ଲୋକ ୨୦୧୯ ମଧ୍ୟରେ ଏହି ବିବାଦର ସମାଧାନ ହୋଇଯିବ ବୋଲି ମତପୋଷଣ କରିଥିଲେ । ଅର୍ଥାତ ଏବେ ମଧ୍ୟ ସାଧାରଣ ଜନତା ବିଶ୍ୱାସ ରଖନ୍ତି ଯେ ଶତାବ୍ଦୀବ୍ୟାପୀ ଉଭୟ ସମାଜ ମଧ୍ୟରେ ବିଭେଦର ପ୍ରାଚୀର ସୃଷ୍ଟି କରି ଆସିଥିବା ଏହି ସମସ୍ୟା ନିକଟ ଭବିଷ୍ୟତରେ ସମାଧାନ ହୋଇଯିବ । ବାସ୍ତବରେ ଏପ୍ରକାର ସକାରାତ୍ମକ ବିଶ୍ୱାସ ଅନେକ ସମୟରେ ବିକଟ ପରିସ୍ଥିତିରୁ ମୁକୁଳିବାର ରାହା ଦେଖାଇଥାଏ ।
 
ସମଗ୍ର ଦେଶରେ ଅଧିକାଂଶ ବ୍ୟକ୍ତି ଅଯୋଧ୍ୟା ମାମଲା ସଦୃଶ ଏକ ଅତି ସମ୍ବେଦନଶୀଳ ଏବଂ ଆସ୍ଥା ସହ ଜଡିତ ପ୍ରଶ୍ନ ଅନିର୍ଦ୍ଦିଷ୍ଟ କାଳ ବ୍ୟାପୀ ସମାଧାନ ହୋଇନପାରିବା ତଥା ଏଥି ସକାଶେ ଘଟୁଥିବା ବିଳମ୍ବ ନିମିତ୍ତ ବ୍ୟଗ୍ର ଓ ବ୍ୟଥିତ ହେବା ଯେ ସ୍ୱଭାବିକ ଏଥିରେ ସନ୍ଦେହର ଅବକାଶ ନାହିଁ । ସବୁଠୁ ଆଶ୍ଚର୍ୟ୍ୟର କଥା ହେଉଛି ଏଭଳି ଏକ ସ୍ପର୍ଶକାତର (ଅଯୋଧ୍ୟା) ମାମଲା ସନ୍ଦର୍ଭରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଉପରେ ରୋକ ଲଗାଯିବାର ପ୍ରାୟ ଛଅ ବର୍ଷ ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏ ବିଷୟଟିକୁ ସଂଜ୍ଞାନକୁ ନେଇ କୋର୍ଟ ବାହାରେ ଆଲୋଚନା ଦ୍ୱାରା ଏହାର ସମାଧାନ ସୂତ୍ର ବାହାର କରିବା ପାଇଁ ଯେଉଁ ପରାମର୍ଶ ପ୍ରଦାନ କରିଥିଲେ ଏଥିରେ ସମଗ୍ର ଦେଶବାସୀଙ୍କ ମନରେ ସମ୍ଭାବନାର ଏକ ଉଜ୍ଜଳ ଆଲୋକ ଦେଖା ଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ବିବାଦର ତୁରନ୍ତ ଶୁଣାଣି ସକାଶେ ଡ.ସୁବ୍ରମଣ୍ୟମ ସ୍ୱାମୀଙ୍କ ଆଗ୍ରହକୁ ଟାଳି ଦେବା ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଏବେ ତାଙ୍କର ସେହି ପୂର୍ବ ପରାମର୍ଶ (ଆଲୋଚନା ମାଧ୍ୟମରେ ସମାଧାନ) ଉପରେ କାଏମ ଅଛନ୍ତି କି ନାହିଁ ସାଧାରଣ ଜନତା ଜାଣି ପାରୁନାହାନ୍ତି ଡ.ସ୍ୱାମୀଙ୍କ ଯାଚିକାକ ଟାଳିବା ସମ୍ପର୍କରେ ଯେଉଁ କାରଣ ଉଲ୍ଲେଖ କରାଯାଇଛି ତାହା ହେଲା ସୁବ୍ରମଣ୍ୟମ ସ୍ୱାମୀ ଏ ମାମଲାର ପକ୍ଷକାର ନୁହନ୍ତି ଏବଂ ତାଙ୍କର ଏପରି ଯାଚିକା  ସମ୍ବନ୍ଧରେ  ପୂର୍ବରୁ  ସେ ଅନ୍ୟ ପକ୍ଷକାରମାନଙ୍କୁ ସୂଚିତ ମଧ୍ୟ କରି ନଥିଲେ । ଏତଦ୍‌ବ୍ୟତୀତ ଅନ୍ୟ ଯେଉଁ କାରଣମାନ ଏଇ ଶୁଣାଣିକୁ ବର୍ତ୍ତମାନ ପାଇଁ ଘୁଞ୍ଚାଇ ଦିଆଯିବା ସପକ୍ଷରେ ଉଲ୍ଲେଖ କରାଯାଇଛି ତାହାହେଲା ଏବେ ଏହି ମାମଲା ଉପରେ ଶୁଣାଣି ଆବଶ୍ୟକତା ନାହିଁ ଏବଂ ନ୍ୟାୟାଳୟଙ୍କ ପାଖରେ ଏଥିପାଇଁ ସମୟ ମଧ୍ୟ ନାହିଁ । ଦେଶର ଜନତା ନିଶ୍ଚୟ ଏ ବିଷୟରେ ଅବଗତ ଯେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିକଟରେ ଅସଂଖ୍ୟ ମହତ୍ୱପୂର୍ଣ୍ଣ ମାମଲା ବିଚାର ପାଇଁ ପଡି ରହିଛି ଏବଂ ପ୍ରକୃତରେ ତାଙ୍କ ନିକଟରେ ସମୟର ଯଥେଷ୍ଟ ଅଭାବ ରହିଛି  । ଏହାର ଅର୍ଥ ଏହା ନୁହେଁ ଯେ ଏଥିପାଇଁ ଶତାବ୍ଦୀବ୍ୟାପୀ ଲମ୍ବିତ ଅଯୋଧ୍ୟାର ମାମଲାର  ଗୁରୁତ୍ୱ ମଧ୍ୟ କମିଯାଇଛି ଏବଂ ଏହାର ସମ୍ବଦନଶୀଳତା ସମାପ୍ତ ହୋଇ ଯାଇଛି । ଏଣୁ ଏହି ପ୍ରସଙ୍ଗକୁ ଉପେକ୍ଷା କରାଯିବା ପରିବର୍ତ୍ତେ ବରଂ ସୁପ୍ରିମକୋର୍ଟ ନିଜର ପୂର୍ବ ପରାମର୍ଶ ଏବଂ ଦିଶାନିର୍ଦ୍ଦେଶ ଉପରେ କାଏମ ରହିଥିଲେ ଏହା ସବୁ ଦୃଷ୍ଟିରୁ ନିଶ୍ଚୟ ମଙ୍ଗଳକାରୀ ହୋଇଥାନ୍ତା ବୋଲି ଆମର ମତ । କାରଣ ଏତଦ୍ୱାରା ଏହି ସମୟ ମଧ୍ୟରେ ଉଭୟ ପକ୍ଷ ଆଲୋଚନା ପାଇଁ ହୁଏତ ମାନସିକ ଦୃଷ୍ଟିରୁ ପ୍ରସ୍ତୁତ ହେବା ସକାଶେ ପ୍ରଚୋଦିତ ହୋଇଥାଆନ୍ତେ ।
 
ବାସ୍ତବରେ ଏହା ହେଉଛି ଏଭଳି ଏକ ଜ୍ୱଳନ୍ତ ସମସ୍ୟା ଯାହା ଉପରେ ସମଗ୍ର ଦୋର ଦୃଷ୍ଟି ନିବଦ୍ଧ ରହିଛି ଏବଂ ଏ ସମ୍ପର୍କରେ ସାମାନ୍ୟ ଆଲୋଚନା ମାତ୍ରକେ ସାରା ଦେଶବ୍ୟାପୀ ହଲଚଲ ସୃଷ୍ଟି ହୋଇ ଯାଉଛି । ଏଣୁ ଏହାକୁ ଏକ ଜାତୀୟ ସମସ୍ୟାରୂପେ ଅଗ୍ରାଧିକାର ଦିଆଯାଇ ଯଥାଶୀଘ୍ର  ଏହାର ସମାଧାନ କରାଯିବା ଯେ ଜରୁରୀ ଏଥିରେ ଦ୍ୱିମତ ହେବାର କିଛି ନାହିଁ । ଦେଶର ଐକ୍ୟ ସଭିଙ୍କ ମଧ୍ୟରେ ଭାଇଚାରା ଏବଂ ଶାନ୍ତି ପୂର୍ଣ୍ଣ ସହବସ୍ଥାନ ନିମନ୍ତେ ଏହାର ତୁରନ୍ତ ସମାଧାନ ଅନିବାର୍ୟ୍ୟ । ଏଥିରେ ବିଳମ୍ବ ହେଲେ ତାହା କେତେବେଳେ କି ପ୍ରକାର ପରିସ୍ଥିତି ସୃଷ୍ଟି କରିବ ଏହା ଅନୁମାନ କରିବା ନିଶ୍ଚୟ କଷ୍ଟସାଧ୍ୟ । କାରଣ ଏଠାକାର ପ୍ରତ୍ୟେକ ନାଗରିକ ମତପନ୍ଥ ଓ ସମ୍ପ୍ରଦାୟର ନିର୍ବିଶେଷରେ କୌଣସି ନା କୌଣସି ପ୍ରକାରେ ଭଗବାନ ରାମଙ୍କ ସହ ଭାବାତ୍ମକ ରୂପେ ଜଡିତ । ବାବରର ସେନାପତି ମୀରବାକି ଏକ ବୈଦେଶିକ ଆକ୍ରମଣକାରୀ ଭାବେ ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲା ଏବଂ ଅଯୋଧ୍ୟା ମନ୍ଦିରକୁ ଧ୍ୱଂସ କରି ସେଠାରେ ୧୫୨୮ରେ ବାବରୀ ମସ୍‌ଜିଦ ନିର୍ମାଣ କରିଥିଲା । ଏହାର ବିଶଦ ଆଲୋଚନ ପ୍ରତ୍ନତାତ୍ତ୍ୱିକ ଖନନ ଆଧାରରରେ ଯାବତ ପ୍ରମାଣ ସହ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେର ପୂର୍ବତନ କ୍ଷେତ୍ରୀୟ ନିର୍ଦ୍ଦେଶକ  ଡା.କେ.କେ ମୁହମ୍ମଦ ତାଙ୍କ ନିଜ ଲିଖିତ ମୁଁ ଜଣେ ଭାରତୀୟ ନାମକ ପୁସ୍ତକରେ କରିଛନ୍ତି । ୧୯୭୬-୭୭ରେ ଅଯୋଧ୍ୟାରେ କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ଖନନ ସମୟରେ ସେ ନିଜ ଯେଉଁ ପ୍ରତ୍ୟକ୍ଷ ପ୍ରମାଣମାନ ପାଇଥିଲେ ସେଇ ଆଧାରରେ ଏଇ ପୁସ୍ତକ ଲେଖାଯାଇଛି । ଏଣୁ ମୋଗଲମାନଙ୍କ ରାଜତ୍ୱ କାଳରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାର ଏବଂ ରାମ ଜନ୍ମଭୂମି ସ୍ଥଳରେ ହୋଇଥିବା ବିଧ୍ୱଂସ ତଥା ମସ୍‌ଜିଦ ନିର୍ମାଣ ଆଦି ଘଟଣାକୁ ଆଜି ମଧ୍ୟ ସଂଖ୍ୟା ଗରିଷ୍ଠ ହିନ୍ଦୁମାନେ ଅପମାନର ପ୍ରତୀକ ରୂପେ ସ୍ମରଣ କରିଥାନ୍ତି ।
 
୧୯୮୦ ଦଶକରେ ନିଜେ କଂଗ୍ରେସ ସରକାର ରାଜ ଜନ୍ମଭୂମି ମନ୍ଦିରର ତାଲା ଖୋଲିବା ଦୃଷ୍ଟିରୁ ସହଯୋଗ କରିବା ସଙ୍ଗେ ସଙ୍ଗେ ରାମ ମନ୍ଦିରର ଶିଳାନ୍ୟାସ  କରିଥିଲେ । ପରବର୍ତ୍ତୀ ସମୟରେ ହିନ୍ଦୁ ସଙ୍ଗଠନମାନେ ସମ୍ମିଳିତ ଭାବରେ ରାମ ଜନ୍ମଭୂମି ସ୍ଥଳରେ ହିଁ ମନ୍ଦିର ନିର୍ମାଣ କରାଯିବାକୁ ଜିଦ୍‌ ଧରିଥିଲେ । ଏହାକୁ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ଏବଂ ଭାରତୀୟ ଜନତା ପାର୍ଟି ମ୍ୟ ଦୃଢ଼ ସମର୍ଥନ ଯୋଗାଇ ଦେଇଥିଲେ । ଆଲ୍‌ହାବାଦ ହାଇକୋର୍ଟଙ୍କ ରାୟ ଆସିବାରେ ବିଳମ୍ବିତ ହେବା ଏବଂ ହିନ୍ଦୁ ସମାଜର ଏ ବାବଦରେ ଅତ୍ୟଧିକ ଉତ୍କଣ୍ଠା ତଥା ବ୍ୟଗ୍ରତା ଶେଷରେ ବାବ୍ରୀ ମସ୍‌ଜିଦର ପତନର କାରଣ ହୋଇଛିଡା ହେଲା । ୨୦୧୦ ମସିହାରେ ଆଲ୍‌ହାବାଦ ହାଇକୋର୍ଟ ଏହି ସ୍ଥାନକୁ ରାମ ଜନ୍ମଭୂମି ରୂପେ ସ୍ୱୀକାର କରି ରାମ ମନ୍ଦିର ସପକ୍ଷରେ ଫଇସଲା ଶୁଣାଇଥିଲେ । ଯାହା ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ରୋକ ଲଗାଯାଇ ଅଦ୍ୟାବଧି କାଏମ ଅଛି । କିନ୍ତୁ ନ୍ୟାୟ ମିଳିବାରେ ବିଳମ୍ବ ଏପରି ଏକ ପ୍ରସଙ୍ଗ ଯେ ସେ ବିଷୟରେ ତଳସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପର୍ୟ୍ୟନ୍ତ କାହାଠୁ କିଛି ଉତ୍ତର ମିଳିବା ଅସମ୍ଭବ ।
 
ଦେଶ ସ୍ୱାଧୀନ ହେବା ପରେ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଦେଶୀ ଆକ୍ରମଣକାରୀମାନଙ୍କ ଦ୍ୱାରା ଧ୍ୱସ୍ତ କରାଯାଇଥିବା ପ୍ରମୁଖ ସ୍ଥଳମାନଙ୍କର ଜୀର୍ଣ୍ଣୋଦ୍ଧାର କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ଏବଂ ପ୍ରସିଦ୍ଧ ସୋମନାଥ ମନ୍ଦିରର ପୂର୍ନନିର୍ମାଣ କରାଇଥିଲେ । ରାମ ଜନ୍ମଭୂମି ମନ୍ଦିର ବିଷୟରେ ପ୍ରଚେଷ୍ଟା କରିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ଏଠାରେ ଏହା ଉଲ୍ଲେଖନୀୟ ଯେ ଶରିଆ ନିୟମ ଅନୁଯାୟୀ ମନ୍ଦିରର ଅବଶେଷ ଉପରେ ନିର୍ମିତ ଢ଼ାଞ୍ଚାରେ ନମାଜ କରାଯିବା ସମ୍ପୂର୍ଣ୍ଣ ନିଷେଦ୍ଧ । ତା ସତ୍ତ୍ୱେ କେତେକ ମୁସ୍ଲିମ ନେତା  ନିଜ ଜିଦ୍‌ରେ ଅଟଳ ରହୁଥିବାରୁ ଏ ମାମଲାର ସମାଧାନ ହୋଇ ପାରୁନାହିଁ । ଏ ଦୃଷ୍ଟିରୁ କେତେକ ରାଷ୍ଟ୍ରବାଦୀ ମୁସ୍ଲିମ ସଙ୍ଗଠନ ବିଶେଷ କରି ଭାଜପାର ମୁସ୍ଲିମ ମୋର୍ଚ୍ଚା ଏ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ମୁସ୍ଲିମ ସମାଜକୁ ଆହ୍ୱାନ ଜଣାଇ ଯାହା କହିଛନ୍ତି ତାହା ଅତ୍ୟନ୍ତ ତାତ୍ପର୍ୟ୍ୟ ପୂର୍ଣ୍ଣ: ଭାରତର ସାଂସ୍କୃତିକ ବୈଭବ ଏବଂ ଅସ୍ମିତାର ପ୍ରତୀକ ଅଯୋଧ୍ୟା, କାଶୀ ଏବଂ ମଥୁରା ସନ୍ଦର୍ଭରେ କୋଟି କୋଟି ଲୋକଙ୍କ ଭାବନାକୁ ଏ ଦେଶର ମୁସଲମାନ ଭାଇ ବୁଝିବା ସହ ଇତିହାସରେ ଯେଉଁ ତ୍ରୁଟିବିଚ୍ୟୁତି  ଘଟିଛି ତାକୁ ସଂଶୋଧନ କରିବା ଦିଗରେ ସେମାନେ ସହଯୋଗର ହାତ ବଢ଼ାଇବା ଉଚିତ । ଏଇମାତ୍ର କେତେଦିନ ପୂର୍ବରୁ ଟ୍ରକ ଭର୍ତ୍ତି ଇଟା ସହ ମୁସ୍ଲିମ ଆନ୍ଦୋଳନକାରୀମାନେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ସକାଶେ ସ୍ଲୋଗାନ ଦେଇ ଆନ୍ଦୋଳନରେ ସାମିଲ ହୋଇଥିଲେ । କେତେକ କଟ୍ଟରପନ୍ଥୀଙ୍କୁ ବାଦ ଦେଲେ ସମଗ୍ର ମୁସଲମାନ ସମାଜ ଅନୁଭବ କରେ ଯେ ହିନ୍ଦୁ ଭାଇମାନଙ୍କ ସକାଶେ ରାମଜନ୍ମଭୂମି ସେତିକି ମହତ୍ତ୍ୱପୂର୍ଣ୍ଣ ଯେତିକି ମୁସ୍ଲିମମାନଙ୍କ ପାଇଁ ମକ୍କା ଓ ମଦିନା । ୧୯୭୭ ଏବଂ ୨୦୦୩ ପ୍ରତ୍ନତାତ୍ତ୍ୱିକ ଖନନରୁ ଏହା ଶତ ପ୍ରତିଶତ ପ୍ରମାଣିତ ଯେ ରାମ ଜନ୍ମଭୂମି ସ୍ଥଳରେ ଏକ ଭବ୍ୟ ଓ ବିଶାଳ ହିନ୍ଦୁ ମନ୍ଦିର ବିଦ୍ୟମାନ ଥିଲା ଯାହାକୁ  ଧ୍ୱଂସ କରି ସେଇ ଅବଶେଷ ଉପରେ ବାବ୍ରି ମସ୍‌ଜିଦ ନିର୍ମିତ ହୋଇଥିଲା । ଭାରତର ବହୁଳତାବାଦୀ ସଂସ୍କୃତି, ପନ୍ଥ ନିରପେକ୍ଷତା, ଲୋକତନ୍ତ୍ର ଏବଂ କାଳଜୟୀ ବିଶ୍ୱକଲ୍ୟାଣକାରୀ ବିଚାରକୁ ଅକ୍ଷୁର୍ଣ୍ଣ ତଥା ଜୀବନ୍ତ ରଖିବା ସକାଶେ ପାରସ୍ପରିକ ସହମତି କ୍ରମେ ରାମ ଜନ୍ମଭୂମିକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରାଯିବା ସମୟର ଆବଶ୍ୟକତା ଅଟେ । 
  • Tags:

Subscribe

National International State Sports Entertainment