ଆତ୍ମ ସମୀକ୍ଷାର ଆହ୍ୱାନ ନା ରାଜନୈତିକ ପଇନ୍ତରାବାଜି
Khabar Odisha:self-analysis-or-only-political-propaganda

   ନିକଟରେ ବିଜେଡିର ଦୁଇ ପୁରୁଣା ସାଂସଦ ବିଭିନ୍ନ ସମ୍ବାଦ ପତ୍ରରେ ନିଜ ଦଳକୁ ଆତ୍ମ ସମୀକ୍ଷା କରିବା ପାଇଁ ପରାମର୍ଶ ଛଳରେ ଅନେକ କଥା ଲେଖିଛନ୍ତି  ।  ଜଣେ ସାଂସଦ ନିଜ ଦଳକୁ ଆତ୍ମ ସମୀକ୍ଷାର ପରାମର୍ଶ କଥା ଲେଖିଥିଲେ ଏବେ ଆଉ ଜଣେ ଲେଖିଛନ୍ତି ଯେ ତାଙ୍କ ଦଳ ଉତକ୍ଷିପ୍ତ ହେଉଛି ବୋଲି  ।  ଏହି ଦୁଇ ଜଣ ଯାକ ସାଂସଦ ଦିନେ ଥିଲେ ବିଜେଡିର ଶୃଙ୍ଖଳିତ ଆଉ ଆଗ ଧାଡିର ସାଂସଦ  ।  ଦୁଇଜଣଯାକ ବିଜେଡି ଦଳରୁ ୪ ଥର ୪ ଥର ସାଂସଦ ହୋଇସାରିଲେଣି । ବିଜୁ ଜନତା ଦଳ ତାଙ୍କୁ ଅନେକ ସୁବିଧା ସୁଯୋଗ ଦେଇଛି  ।  ବିଜେଡିରେ ଅନେକ ଟାଣୁଆ ଆଉ ମାଟିର ନେତାଙ୍କ ଟିକଟ ନବୀନ ବାବୁ କାଟିଥିଲା ବେଳେ ଏମାନଙ୍କ ପାଇଁ କିନ୍ତୁ ନବୀନ ବାବୁ ସବୁବେଳେ ଦୟାବାନ ହୋଇରହିଛନ୍ତି  ।  ହେଲେ ଏବେ ରାଜ୍ୟରେ ବିଜେଡିର ଖରାପ ସମୟ ଆସୁଥିଲା ବେଳେ ଆଗ ଧାଡିର ଏହି ଦୁଇ ସାଂସଦ ଏପରି ବୟାନବାଜି କରିବା ପଛରେ କାରଣ ହେଇପାରେ  ?  

 

ଯାହାଙ୍କ ଆର୍ଶୀବାଦ ପାଇଁ ଏମାନେ ପଦ ପଦବୀ ଆଉ କ୍ଷମତା ପାଇଲେ ଏବେ ସେମାନେ ତାଙ୍କୁ ଦୋଷ ଦେଉଛନ୍ତି କାହିଁକି  ?  ଦଳ ଜିତିଲା ବେଳେ ସ୍ୱାହା ସ୍ୱାହା ଆଉ ହାରିଲା ବେଳେ ଆହା ନକହି ଉପଦେଶ କାହିଁକି  ?  ତା ପୁଣି ଖବର କାଗଜରେ ।  ଅବଶ୍ୟ ଦଳବି ଏ ଦୁଇଜଣଙ୍କୁ ଦଳୀୟ କାର୍ଯ୍ୟକମ ଠାରୁ ଦୁରେଇ ରଖିବା ଏମାନଙ୍କୁ ଏପରି କରିଥିବାପାଇଁ ବାଧ୍ୟ କରିଥାଇପାରେ  ।


ସେମାନେ ଭଲଭାବେ ଜାଣଛନ୍ତି ହେଉଛନ୍ତି ଉପରୁ ଖସିଥିବା ନେତା । ନିର୍ବାଚନମଣ୍ଡଳି ଲୋକଙ୍କ ସହ ଦୂର ଦୂର ର ସର୍ମ୍ପକ ନାହିଁ । ସ୍ୱାଧୀନ ଭାବେ ଠିଆ ହେଲେ ବିଧାୟକ ଜିତିବାବି କଷ୍ଟ ହେଇପାରେ । ନିର୍ବାଚନ ଜିତିଥିଲେ ବିଜେଡି ହାଓାରେ ।  ଶଙ୍ଖ ହାଓା ଏବେ କମିଗଲାଣି । ୨୦୧୯ ବେଳକୁ ଶଙ୍ଖ ହାରିବା ନିଶ୍ଚିନ୍ତ ।  ତେଣୁ ବେଳ ଥାଉ ବାଟ କାଟିଦେଲେ ସାଂସଦ ଚୌକିଟା ବଂଚିଯିବ । ତା ସହ ମନ୍ତ୍ରୀ ପଦବି ହୋଇପାରେ । ରାଜ୍ୟରେ ଏବେ ବିଜେପିର ଜନପ୍ରିୟତା ଯେଉଁଭଳି ଭାବେ ହୁ ହୁ ହୋଇ ବଢୁଛି ଏତିକି ବେଳେ ମିଶିଗଲେ ଭଲ ।  ଯଦିଓ ବିଜେପି ନିଜ ଆଡୁ ତାଙ୍କୁ ଦଳରେ ନେବାପାଇଁ କିଛି କହୁନାହିଁ ତଥାପି କାଳେ ଏମିତି ଲେଖାଲେଖି କଲେ ଦଳ ମିଶିବା ପାଇଁ ପ୍ରସ୍ତାବ ଦେବ  । ଏମିିତିରେ ଲେଖାଲେଖି କଲେ ଟ୍ରିପଲ ଲାଭ । ପ୍ରଥମ ଲାଭ କାଳେ ବିଜେପି ତାଙ୍କୁ ଦଳରେ ମିଶିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେବ ।  ଦ୍ୱିତୀୟ ଲାଭ ଯଦି ବିଜୁ ଜନତା ଦଳ ତାଙ୍କୁ ବାହାର କରିଦିଏ ତାହେଲେ ତାଙ୍କୁ ଆଉ କେହି ବେଇମାନି କହିପାରିବେନି ଆଉ ସେମାନେ ନିଜ ଆଡୁ ବିଜେପିରେ ମିଶିଯିବେ । ତୃତୀୟ ଲାଭ ହେଲା ବିଜେଡିରେ କିଛି ଅସନ୍ତୁଷ୍ଟ ତାଙ୍କୁ ସମର୍ଥନ କରିପାରନ୍ତି । ଆଉ ଯଦି ଏମାନଙ୍କ ଉପଦେଶକୁ ଯଦି ଦଳ ସକରତ୍ମକ ଭାବରେ ଗ୍ରହଣ କରେ ତାହା ଆଗାମୀ ଦିନରେ ସେମାନଙ୍କୁ ନବୀନ ବାବୁଙ୍କ ପାଖରେ ଏକ ହିତଙ୍କାକ୍ଷି ବନ୍ଧୁ ଭାବରେ ପ୍ରମାଣିତ କରିପାରିବ ।  ହେଲେ ତୃତୀୟ ଲାଭ ଅପେକ୍ଷା ପ୍ରଥମ ଆଉ ଦ୍ୱିତୀୟ ଲାଭ ଆଶାରେ ଏହି ଉଚ୍ଚଶିକ୍ଷିତ ସାଂସଦ ମାନେ ଏପରି ଲେଖିଥିବା ଆଶା କରାଯାଏ । 

ଏମିତିରେ ବି ନବୀନ ବାବୁ ୨୦୦୦ ମସିହାରେ ବିଜେପିର ହାତ ଧରି କ୍ଷମତାକୁ ଆସିଥିଲେ । ୨୦୦୯ରେ ଯେତେବେଳେ ନିଜ ଗୋଡ ମଜବୁତ ହେଇଗଲା ସେତେବେଳେ ବିଜେପିର ହାତଛାଡି ଥିଲେ ।

ଜଣେ ବ୍ୟବସାୟୀଙ୍କ ପୁଅ ହୋଇଥିବାରୁ ଓ ଆଉ ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ହୋଇଥିବାରୁ ସାଂସଦ ପଦ ପାଇଁ ବିଜୁ ଜନତା ଦଳ ସେମାନଙ୍କୁ ଟିକଟ ଦେଇଥିଲା ।  ଏମାନଙ୍କ ଭିତରୁ ମାଟିିର ନେତା କେହି ନୁହନ୍ତି  ।  କଟକ ଆଉ କେନ୍ଦ୍ରାପଡାରେ ଥିବା ବିଜେଡିର ବିଧାୟକ ମାନଙ୍କ ସହ ସର୍ମ୍ପକ ଏମାନଙ୍କର ଆଉ ଭଲ ନାହିଁ । ଭୋଟ ହୁଏ ଗାଁରେ ଥିବା ଲୋକମାନଙ୍କ ସିଧା ସଳଖ ସର୍ମ୍ପକରେ ରହିଲେ ଆଉ ଲୋକମାନଙ୍କ ପାଇଁ କାମ କରିଲେ  ।  ଗାଁ ସେଲୁନରେ ଚୁଟି କାଟିଲେ କି ହେଲିକାପ୍ଟରରେ ବୁଲିଲେ ବା ଖବର କାଗଜରେ ଆର୍ଟିକିଲ ଲେଖିଲେ ଭୋଟ ହୁଏନି ବୋଲି ନେତାଏ ଆଉ ଜନତା ସମସ୍ତେ ଜାଣିସାରିଲେଣି ।  ଏମାନଙ୍କ ଭଳି ବଡ ବଡିଆ ନେତାମାନେ ବେଳକାଳ ଦେଖି   ବିକଳରେ ପଡି ଏ ପ୍ରକାର ବୁଦ୍ଧି ଖଟେଇଛନ୍ତି  ।  ଦେଖାଯାଉ ଚତୁର  ସାଂସଦ ମାନଙ୍କର ଏ ବୁଦ୍ଧି ଆଗାମୀ ଦିନରେ କି ଫଳ ଦେଖଉଛି ନା ଖାଲି ରାଜନୈତିକ ପଇନ୍ତରାବାଜିରେ ରହିଯିବ ।
  • Tags:

Subscribe

National International State Sports Entertainment