ଶ୍ରମିକ ଦିବସ ଆଜି: ବାହାରେ ବନ୍ଧା ପଡ଼ିଛନ୍ତି ଲକ୍ଷ୍ୟାଧିକ ଓଡ଼ିଆ ଶ୍ରମିକ
Khabar Odisha:Lakh-of-Odia-labourers-in-other-states
ଭୁବନେଶ୍ୱର, ମଇ ୦୧ (ଖବର ଓଡ଼ିଶା): ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଓ ନିର୍ମାଣ ଶ୍ରମିକ ସେବା ସପ୍ତାହର ପ୍ରଥମ ଦିନ । ଖୁସିର କଥା ଯେ, ପୂରା ବିଶ୍ୱରେ ଏହି ଦିବସକୁ ଗମ୍ଭୀରତାର ସହିତ ପାଳନ କରାଯାଉଛି । ଆଜିର ଦିନରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର ନୂଆଁ ନୂଆ ଯୋଜନାର ଶୁଭାରମ୍ଭ କରୁଛନ୍ତି । ନିର୍ମାଣଶ୍ରମିକଙ୍କ ମଙ୍ଗଳ ପାଇଁ ହଜାର ହଜାର କୋଟି ଟଙ୍କା ମଞ୍ଜୁରୀ ଦେଉଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଯେ, ସରକାର ଯେଉଁ ଉଦେ୍ଦଶ୍ୟ ନେଇ ଯୋଜନାଗୁଡ଼ିକ ଆରମ୍ଭ କରିଥାନ୍ତି, ତାକୁ ଶ୍ରମିକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇ ଥାନ୍ତି । ଇରାକ, ଇରାନ, ପାକିସ୍ତାନ, ଉତ୍ତର କୋରିଆ ସରକାର ଗରୀବ ଓ ଶ୍ରମିକ ମଙ୍ଗଳ ପାଇଁ ଯେତିକି ଚନ୍ତା କରୁ ନାହାନ୍ତି, ଯୁଦ୍ଧ ଓ ଯୁଦ୍ଧ ସାମଗ୍ରୀ ପାଇଁ ତାଠାରୁ ଅଧିକ ଯତ୍ନବାନ । ଆମ ଦେଶରେ ମଧ୍ୟ ପ୍ରଦେଶ, ଛତିଶଗଡ, ଗୁଜୁରାଟ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ସରକାର ଶ୍ରମିକ ଓ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ଏହି ରାଜ୍ୟମାନଙ୍କରେ ଭୂମିହୀନ, ଅଳ୍ପଚାଷୀମାନେ ଶମ କରି ପରିବାର ପୋଷିବାରେ କୌଣସି ଅସୁବିଧା ନାହିଁ । ଆମ ପଡୋଶୀ ରାଜ୍ୟ ସରକାରମାନେ ଶ୍ରମ ଦର ଅଧିକ ନିର୍ଦ୍ଧାରଣ କରିଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ ଯୋଜନାକୁ ଆରମ୍ଭ କରି ସେଗୁଡ଼ିକ କିପରି ରୂପାୟନ ହେବ, ସେଥିପାଇଁ ସରକାର ଯତ୍ନବାନ ଥାନ୍ତି । କିନ୍ତୁ ଆମ ରାଜ୍ୟରେ ଓଲଟା ।
 
ଓଡ଼ିଶା ଶ୍ରମିକ ରାଜ୍ୟ ଭାବରେ ପୁରା ଭାରତରେ ଭଲ ନାମ କରିପାରିଛି । ରାଜ୍ୟରେ କର୍ମ ସଂସ୍ଥାନର ଅଭାବ ଯୋଗୁଁ ଲକ୍ଷାଧିକ ଶ୍ରମିକ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଲ, ମହାରାଷ୍ଟ୍ର, ଦମନ, ଗୁଜୁରାଟ, ଛତିଶଗଡ, ଝାରଖଣ୍ଡ ରାଜ୍ୟମାନଙ୍କରେ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଆଉ ଫେରିବାକୁ ମନ ବଳାଉ ନାହାନ୍ତି । ପରିବାର ପୋଷିବାକୁ ଯାଉଥିବା ହଜାରେ ସଂଖ୍ୟାରେ ଓଡ଼ିଆ ଶ୍ରମିକମାନେ ବାହାର ରାଜ୍ୟରେ ଗୋତି ଶ୍ରମିକ ଭାବରେ କାମ କରୁଥିବାବେଳେ, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମାଲିକଙ୍କ ନିର୍ଯ୍ୟାତନା ସହିବାକୁ ପଡ଼ୁଛି । କେବଳ ସେତିକି ନୁହେଁ ଓଡ଼ିଆ ଲୋକମାନେ ଓଡ଼ିଆ ଲୋକମାନଙ୍କୁ ଶ୍ରମିକ ବନାଇବାକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ମଧ୍ୟମ ଶିକ୍ଷିତ ଓଡ଼ିଆ ଯୁବକମାନେ ଅଳ୍ପ ଶିକ୍ଷିତ ଓ ଅପାଠୁଆ ଯୁବକମାନଙ୍କୁ ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ଡାକି ନେଉଛନ୍ତି । ସେମାନେ ସେଠାକାର ମାଲିକମାନଙ୍କଠାରୁ ଭଲ କମିଶନ୍ ପାଉଥିବା ବେଳେ, ଶ୍ରମିକର କ୍ଷତି ହେଉଛି । ଓଡ଼ିଆ ଶ୍ରମିକମାନେ ଆଜି ବିଦେଶରେ ବି ଭଲ ନା କରିଛନ୍ତି । ଓମାନ, ସାଉଦୀ ଆରବରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରମିକ କାମ କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି ।
 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକମାନଙ୍କ ପାଇଁ ସାମୟିକ ରହଣି ପାଇଁ ଭୁବନେଶ୍ୱରରେ ୩ଟି ରହଣିସ୍ଥଳ ଆଶ୍ରୟର ଶିଳାନ୍ୟାସ କରିଥିବାବେଳେ କଟକ, ଯାଯପୁର, ପାରାଦ୍ୱୀପ ଏବଂ ବ୍ରହ୍ମପୁର ଠାରେ ଆଶ୍ରୟପ୍ରକଳ୍ପର ଶିଳାନ୍ୟାସ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କରିଛନ୍ତି । ଦିନ ଦ୍ୱିପ୍ରହର ମୁଣ୍ଡଫଟା ଖରାରେ ନିର୍ମାଣଶ୍ରମିକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ମିଳିବ । ସେହିପରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଜି ୫ଟି ରାଜ୍ୟରେ ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ରକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ଓ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡ ରାଜ୍ୟ ସରକାର ଆରମ୍ଭ କରୁଛନ୍ତି । ଓଡ଼ିଆ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ଶ୍ରମିଜୀବୀ ମହିଳା ନିବାସ ଯାଯପୁର, ଅନୁଗୁଳ, ବ୍ରହ୍ମପୁର ଓ ରାୟଗଡାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
 
ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ଆରମ୍ଭ କରିଛନ୍ତି । ଏହି ଯୋଜନାରେ ବଲାଙ୍ଗୀର ଓ ନୂଆଁପଡା ଜିଲ୍ଲାର ୩୦ଟି ପଞ୍ଚାୟତକୁ ସାମିଲ କରାଯାଇଛି । ଶ୍ରମିକମାନଙ୍କ ଉନ୍ନତି ପାଇଁ ସରକାର ଏକ ବେସରକାରୀ କମ୍ପାନି ସହିତ ବୁଝାମଣା କରିଛନ୍ତି । ୧୪୩ କୋଟି ଟଙ୍କାର ପ୍ରକଳ୍ପରୁ ପ୍ରବାସୀ ଶ୍ରମିକ ପ୍ରବଣ ରାଜ୍ୟର ୧୧ଟି ଜିଲ୍ଲା ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା, ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ଅର୍ଥ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି । କୃଷି, ପଞ୍ଚାୟତିରାଜ, ଜଳସମ୍ପଦ, ବୈଷୟିକ ଶିକ୍ଷା ଓ ତାଲିମ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆଦିର ସହଯୋଗ ଏବଂ ସହଭାଗିତାରେ ଖର୍ଚ୍ଚ କରାଯାଇ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି । କିନ୍ତୁ ଯଦି ସରକାରୀ ବାବୁ ମାନେ ଯଦି ଯୋଜନାକୁ ସଫଳ କରିବାରେ ସହାୟକ ନହେବେ ତାହେଲେ ଦାଦନ ଦୁଃଖକୁ ରୋକିବା ଅସମ୍ଭବ ହୋଇ ପଡ଼ିବ । 
  • Tags:

Subscribe

National International State Sports Entertainment