କାହିଁକି ଅସନ୍ତୁଷ୍ଟ ବୈଜୟନ୍ତ ? ଛଅଟି କାରଣ !
Khabar Odisha:Baijayant-Jay-Panda-Tathagata-Satpathy-BJD-Infight-Reason
ଅାଗରୁ କୁହାଯାଉଥିଲା ସାଂସଦ ବୈଜୟନ୍ତ ପଣ୍ଡା ହେଉଛନ୍ତି ବିଜୁ ଜନତା ଦଳରେ ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ୱିତୀୟ ପସନ୍ଦ । ଜଣେ ଶୃଙ୍ଖଳିତ ରାଜନେତା ଭାବରେ ଦଳ ଆଉ ସଂସଦ ସବୁଠି ସେ ପରିଚିତ । ପ୍ୟାରି ମୋହନ ମହାପାତ୍ରଙ୍କର ମିଡନାଇଟ ଅପରେସନକୁ ଭଣ୍ଡୁର କରିବାରେ ସେ ନିଭାଇ ଥିଲେ ପ୍ରମୁଖ ଭୂମିକା । ୨୦୦୦ ମସିହାରୁ ରାଜ୍ୟସଭାକୁ ମନୋନିତ ହୋଇଥିବା ଶ୍ରୀଯୁକ୍ତ ପଣ୍ଡା ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ୨୦୦୬ରେ ମନୋନୀତ ହୋଇଥିଲେ । ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭକରିଥିବା ବୈଜୟନ୍ତଙ୍କର ଓଡିଶା ରାଜନୀତି ସହ ସର୍ମ୍ପକ ଏକ ଶିଳ୍ପପତି ଭାବେ ଆରମ୍ଭ ହୋଇଥିଲା । ଓଡିଶାର ଜଣେ ସୁନାମକରିଥିବା ଶିଳ୍ପପତିଙ୍କର ପୁଅ ଭାବେ ତାଙ୍କ ବିଜୁ ଜନତା ଦଳରେ ମିଳିଥିଲା ଗୁରୁତ୍ୱ । ତାର ପ୍ରଭାବରେ ରାଜ୍ୟରେ ଅନେକ ପୁରୁଣା ଯୋଗ୍ୟ ରାଜନେତା ଥିବାବେଳେ ନବୀନ ଯୁବ ବୈଜୟନ୍ତଙ୍କୁ ପଠାଇଥିଲେ ରାଜ୍ୟସଭାକୁ । ଥରେ ନୁହେଁ ଦୁଇ ଦୁଇ ଥର । କେବଳ ସେତିକିରେ ସରିନଥିଲା ନବୀନଙ୍କର ବୈଜୟନ୍ତ ପ୍ରତି କୃପା । ୨୦୦୯ ମସିହାରେ କେନ୍ଦ୍ରାପଡା ସାଂସଦ ଜିତିଥିବା ଅର୍ଚ୍ଚନା ନାୟକଙ୍କ ଟିକେଟ କାଟି ବୈଜୟନ୍ତ ପଣ୍ଡାଙ୍କୁ ଦେଇଥିଲେ ବିଜେଡି ଟିକେଟ । ଅର୍ଚ୍ଚନା ନାୟକ ଚର୍ଚ୍ଚାକୁ ଆସିଥିଲେ ୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସର ଲୋକସଭା ପାର୍ଥୀ ତଥା ଓଡିଶା ରାଜନୀତିର ପୁରୁଣା ଖେଳୁଆଡ ଶ୍ରୀକାନ୍ତ ଜେନାଙ୍କ ହରାଇ । ଏତେ ସବୁ ପରେବି ହଠାତ ବୈଜୟନ୍ତ କାହିଁକି ବିଜେଡିର ବିରୋଧୀ ହେଇଗଲେ  ? କାହିଁକି ନବୀନ ନବୀନ କହୁଥିବା ବୈଜୟନ୍ତ ହଠାତ ସ୍ବର ବଦଳେଇ ମୋଦୀ ମୋଦୀ ହେଲେ ?

କାରଣ ୧ – ବୈଜୟନ୍ତଙ୍କ ଶିଳ୍ପ କମ୍ପାନି ଇମ୍ଫାର ବିଦ୍ୟୁତ ଦୈୟ ବାବଦରେ  ରାଜ୍ୟ ସରକାରଙ୍କୁ ୧୮୪ କୋଟି ଟଙ୍କା ଦେବାକୁ ଅଛି । ଇମ୍ଫା ବିଦ୍ୟୁତ ବକେୟା ନଦେବା ଓ ଏନେଇ ରାଜ୍ୟ ସରକାର ଓ କମ୍ପାନୀ ମଧ୍ୟରେ ବିବାଦ କାରଣରୁ  ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ରାଜ୍ୟ ସରକାର ଇମ୍ଫା ପ୍ରତି ଟାଣଟୁଣ ନୀତି ଅବଲମ୍ବନ କରିବା କାରଣରୁ ସାଂସଦ ଶ୍ରୀ ପଣ୍ଡା ବିଜେଡି ଠାରୁ ଦୁରେଇଯିବାକୁ ଚାହିଁଥାଇପାରନ୍ତି ।

କାରଣ ୨ - ପଂଚାୟତ ନିର୍ବାଚନରେ ବିଜେଡିର ଖରାପ ପଦର୍ଶନ କାରଣରୁ ବି ବାବୁ ବୈଜୟନ୍ତ ନିଜ ସାଂସଦ ପଦର ମୋହ ପାଇଁ ବିଚଳିତ ହୋଇଥାଇପାରନ୍ତି । କେନ୍ଦ୍ରାପଡା ଲୋକଙ୍କ ସହ ସିଧାସଳଖ ସର୍ମ୍ପକ ନଥାଇ ଖାଲି କେତେକ ବିଜେଡି କର୍ମୀଙ୍କ ମଧ୍ୟରେ ନିଜ ସଙ୍ଗଠନକୁ ସୀମିତ କରିଥିବା ଶ୍ରୀ ପଣ୍ଡା ନିର୍ବାଚନ ହାରିବାର ଭୟରେ ବିଜେପି ଡଙ୍ଗାରେ ବସିକି କେନ୍ଦ୍ରାପଡାରେ ନଇପାରି ହେବାକୁ ହୁଏତ ଯୋଜନା କରି ଏପରି କରିଥାଇପାରିଥାନ୍ତି ।

କାରଣ ୩ -  ବିଜେଡିରୁ ପ୍ୟାରି ମୋହନଙ୍କ ବିଦା ପରେ ଖାଲିପଡିଥିବା ପରାମର୍ଶକାରୀ ଯାଗାକୁ କିଛିଦିନ ବୈଜୟନ୍ତ ପଣ୍ଡା ପୁରଣ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ବ୍ୟୁରକ୍ରାଟସମାନେ ସେ ଯାଗାକୁ ଅକ୍ତିୟାରକୁ ନେଇଗଲେ ଆଉ ବୈଜୟନ୍ତ ନିଜ ଗୁରୁତ୍ୱ ହରାଇବା ହୁଏତ ତାଙ୍କୁ ଏପରି କରିବା ପାଇଁ ବାଧ୍ୟ କରିଥାଇପାରେ । ଏପରିକି ପୁରା ପଂଚାୟତ ନିର୍ବାଚନର ଦାୟୀତ୍ବପୁରା ବ୍ୟୁରକ୍ରାଟସ ସମ୍ଭାଳିଥିଲେ ଯାହା ବୈଜୟନ୍ତଙ୍କୁ ଭଲ ଲାଗିନଥିଲା ।

କାରଣ ୪ – ବିଜେଡିର ସଂସଦୀୟ ନେତା ନିର୍ବାଚନକୁ ନେଇ ମଧ୍ୟ ଅସନ୍ତୁଷ୍ଟ ଥିଲେ ବୈଜୟନ୍ତ । ୨୦୧୪ ନିର୍ବାଚନ ପରେ ବୈଜୟନ୍ତ ଭାବିଥିଲେ ଅର୍ଜୁନ ସେଠୀଙ୍କ ପରେ ସେ ହେବେ ବିଜୁ ଜନତା ଦଳର ସଂସଦୀୟ ଦଳର ନେତା । ହେଲେ ଯେବେ ଭତ୍ତୃହରି ମହତାବ ନେତା ନିର୍ବାଚିତ ହେଲେ ତା ବୈଜୟନ୍ତଙ୍କୁ ଅସନ୍ତୁଷ୍ଟ କରିଥିଲା ।

କାରଣ ୫ - ଆଉ ଗୋଟିଏ ମୁଖ୍ୟ କାରଣ ହେଉଛି ବୈଜୟନ୍ତଙ୍କର କେନ୍ଦ୍ର ମନ୍ତ୍ରୀ ହେବାର ଦୁର୍ବାର ଆଶା । ରାଜ୍ୟରେ ଏବେ ବିଜେଡି ବିଜେପିର ଯାହା ଲଢେଇ ଆଉ କେବେବି ବିଜେଡି ବିଜେପି ମେଣ୍ଟ ହେବାର ସମ୍ଭାବନା ନାହିଁ ବୋଲି ବୈଜୟନ୍ତ ପୁରା ନିଶ୍ଚିନ୍ତ ହୋଇଯାଇଥିଲେ । ବିଜେଡିର ଲୋକପ୍ରିୟତା କମିବାକୁ ଆଗରୁ ଆକଳନ କରି ବେଳ ଥାଉ ଥାଉ ବିଜେପି ସହ ବନ୍ଧ ବାନ୍ଧିଦେଲେ କାଳେ କେନ୍ଦ୍ର ମନ୍ତ୍ରୀ ହେଇଯିବେ ସେ ଆଶାରେ ବୈଜୟନ୍ତ ବିଜେଡି ଠାରୁ ଦୁରେଇବାକୁ ଚାହିଥାଇପାରିଥାନ୍ତି ।

କାରଣ ୬ – ଯେହେତୁ ଦଳରେ ନିଜେ ୪ ଥର ସାଂସଦ ହୋଇସାରିଲେଣି ନିଜ ଆଡୁ ଦଳ ବଦଳ କଲେ ଲୋକେ ହୁଏତ ସ୍ୱାର୍ଥପର ଭାବିପାରନ୍ତି । ତାକୁ ଆଖି ଆଗରେ ରଖି ଆଗରୁ କିଛି ଏପରି ବିବାଦୀୟ ମନ୍ତ୍ୟବ ଦେଲେ ଶୃଙ୍ଖଳା ଦୃଷ୍ଟିରୁ  ନବୀନ ତାଙ୍କୁ ବିଜେଡିରୁ ବହିଷ୍କାର କରିଦେଇପାରନ୍ତି । ତାହେଲେ ଯାଇ ବିଜେପିରେ ଯୋହଦେବାର ରାସ୍ତା ପୁରା ସାଫ ଅାଉ ନିନ୍ଦାବି ନାହିଁ ।
  • Tags:

Subscribe

National International State Sports Entertainment