ଉତ୍କଳ ଗୌରବ ମଧୁବାବୁ: ଜୟନ୍ତୀରେ ମନେପକାନ୍ତି ନେତା, ମନ୍ତ୍ରୀ
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୨୮(ଖବର ଓଡ଼ିଶା): ଆଧୁନିକ ଓଡ଼ିଶାର ନବ ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ପରବର୍ତ୍ତୀ ଓଡ଼ିଆ ଲୋକେ ଉପଯୁକ୍ତ  ସମ୍ମାନ ଦେଇ ପାରି ନହାଁନ୍ତି । ଗରିବ, ନିଷ୍ପେଷିତ ଓ ଅବହେଳିତ ଓଡ଼ିଆଲୋକଙ୍କ ପାଇଁ ଯାହାର ପ୍ରାଣ ଦିନେ କାନ୍ଦୁଥିଲା, ସେହି ଯୁଗପୁରୁଷଙ୍କ ସ୍ମୁତିପୀଠ ଚିର ଅବହେଳିତ । ମଧୁବାବୁ ଯଦି ଓଡ଼ିଶା ମାଟିରେ ଜନ୍ମ ହୋଇ ନ ଥାନ୍ତେ, ଆଜି ଓଡ଼ିଶାର ପରିଚୟ କିଛି ନ ଥାନ୍ତା, ଏକଥା ସତ । ଏହା ସତ୍ତ୍ୱେ ବି ଓଡ଼ିଶାର କୁଳବୃଦ୍ଧ ଭାବରେ ପରିଚିତ ମଧୁବାବୁଙ୍କୁ ସରକାର ଅବହେଳା କରିଆସୁଛନ୍ତି । ଉତ୍କଳ ଗୌରବଙ୍କ ସ୍ମୁତି ରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସଂଗ୍ରହାଳୟ ପ୍ରତିଷ୍ଠ କରିଛନ୍ତି ସତ, କିନ୍ତୁ ସେଗୁଡ଼ିକ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଦୟନୀୟ ଅବସ୍ଥାରେ ପରିଚାଳିତ ହେଉଛି ।

କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ସଂଗ୍ରାହଳୟ ଏମିତି ଚିରଅବହେଳର ଦେଇ ଗତି କରୁଛି । ଉକ୍ତ ସଂଗ୍ରହାଳୟକୁ ଲୋକପ୍ରିୟ କରାଇବାରେ ସରକାର ଆଖିଦୃଷ୍ଟିଆ ପଦକ୍ଷେପ ନେଇ ନାହାନ୍ତି । ଅନେକଙ୍କୁ ଜଣା ନାହିଁ ଯେ, ଶୈଳବାଳା ମହାବିଦ୍ୟାଳୟ ପରିସରରେ ମଧୁବାବୁଙ୍କ ସଂଗ୍ରାହଳୟ ରହିଛି । ଏହି ସଂଗ୍ରାହଳୟ ଲୋକଲୋଚନକୁ ଆଣିବା ପାଇଁ ସରକାର ଆଦୌ ପଦକ୍ଷେପ ଗ୍ରହଣ କରି ନାହାନ୍ତି, ଯାହା ଫଳରେ ଏଠାକୁ ପର୍ଯ୍ୟଟକ ଆସୁ ନାହାନ୍ତି । ୧୯୩୬ ଏପ୍ରିଲ ୨୮ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମଧୁବାବୁ ପ୍ରତିବର୍ଷ ଆଜିର ଦିନରେ ମନେ ପଡ଼ନ୍ତି । ବର୍ଷ ତମାମ ଅଭାବ, ଅସୁବିଧାକୁ ନେଇ ଏପ୍ରିଲ ୨୮ରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟର ନେତା ଓ ମନ୍ତ୍ରୀମାନେ ଜାଣନ୍ତି ଯେ, ମଧୁବାବୁଙ୍କ ସ୍ମୁତି ପୀଠ, ଜନ୍ମସ୍ଥଳୀ ଓ କର୍ମଭୂମି ବିଷୟରେ ଜାଣନ୍ତି । ତା'ପରେ ନେତା ଓ ମନ୍ତ୍ରୀମାନେ ମଧୁବାବୁଙ୍କ ମହନୀୟତାକୁ ନେଇ ଭାଷଣ ବାଜି କରନ୍ତି ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ବଳିଷ୍ଠ ଭୂମିକା ନିଭାଇ ଥିବା ମଧୁସୂଦନ ଦାସଙ୍କୁ ବି୍ରଟିଶ ସରକାର ଡରୁଥିବାବେଳେ, ଆମ ରାଜ୍ୟ ସରକାର ତାଙ୍କୁ ସମ୍ମାନ ଦେବାରେ ଅବହେଳା କରୁଛି । କଟକସ୍ଥିତ ଶୈଳବାଳା କଲେଜ ପରିସରରେ ଥିବା ସଂଗ୍ରହାଳୟର ବିକାଶ କାର୍ଯ୍ୟ ହୋଇ ପାରୁ ନ ଥିବାରୁ ପର୍ଯ୍ୟଟକମାନେ ଏଠାକୁ ଯିବାକୁ ମୁହଁ ଫେରାଇ ଆଣୁଛନ୍ତି । ୨୦୧୬ରେ ଓଡ଼ିଶାକୁ ୭୧,୪୨୬ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ, ୨୦୧୫ରେ ଆସିଥିଲେ ୬୬,୯୭୧ ପର୍ଯ୍ୟଟକ । ସେହିଭଳି ୨୦୧୩ରେ ୬୬,୬୭୫ ପର୍ଯ୍ୟଟକ ଓଡ଼ିଶାକୁ ଆସିଥିଲେ । କିନ୍ତୁ ଦୁଃଖର କଥା ଯେ, ବିଦେଶୀ ପର୍ଯ୍ୟଟକମାନଙ୍କ ମଧ୍ୟରୁ କେହି ବି ଜଣେ ମଧୁବାବୁଙ୍କ ସଂଗ୍ରହାଳୟକୁ ବୁଲିବାକୁ ଯାଇ ନ ଥିଲେ । କେବଳ ସେତିକି ନୁହେଁ  ବଗତ ୧୦ ବର୍ଷ ମଧ୍ୟରେ ଏହି ସଂଗ୍ରାହଳୟକୁ ଜଣେ ବି ପର୍ଯ୍ୟଟକ ଯାଇ ନାହାନ୍ତି । ସଂଗ୍ରହାଳୟକୁ ମାତ୍ର ୬୭୦୦ ଦେଶୀ ପର୍ଯ୍ୟଟକ ଆସିଛନ୍ତି । ଏଥିରେ କଟକ ଦର୍ଶକଙ୍କ ସଂଖ୍ୟା ଅଧିକ । ସଂଗ୍ରହାଳୟର ଏତାଦୃଶ ଅବସ୍ଥା ଦେଖି ମଧୁପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟ ପ୍ରକାଶ ପାଇଛି । 

ଏକ ମହାନ ଉଦେ୍ଦଶ୍ୟ ନେଇ ୨୦୦୭ରେ ପ୍ରତିଷ୍ଠା ହୋଇଥିବା ସଂଗ୍ରହାଳୟରେ ମଧୁବାବୁ ବ୍ୟବହାର କରୁଥିବା ପୋଷାକ, ଜୋତା, ଚେୟାର, ଟେବୁଲ, ଶେଷ ସମୟରେ ବ୍ୟବହାର କରୁଥିବା ଖଟ, ବାସନକୁସନ, ଟୋପି ଆଦି ସାମଗ୍ରୀ ରଖାଯାଇଥିଲା। ମଧୁବାବୁ ବ୍ୟବହାର କରୁଥିବା ବହୁ ସାମଗ୍ରୀ, ଯେପରି କି ବହି, ଫଟୋ, ଘରସଜ୍ଜା ସାମଗ୍ରୀ, ମଧୁବାବୁ ଓକିଲାତି କରୁଥିବା ସମୟରେ ଲଢିଥିବା କେସର ଦସ୍ତାବିଜ ସବୁ ଅଳିଆଗଦା ଭଳି ରଖାଯାଇଛି । ମଧୁବାବୁଙ୍କ ଚିଠିକୁ ସୁରକ୍ଷତି ରଖିବା ଭଳି ଆବଶ୍ୟକ ପଦକ୍ଷେପ ନିଆଯାଇ ନାହିଁ । ବର୍ଷା ଦିନ ଆସିଲେ ସଂଗ୍ରହାଳୟ ଭିତରକୁ ପାଣି ପଶିଆସେ । ମଧୁବାବୁଙ୍କ ଜୀବନୀ ଉପରେ ଆଧାରିତ ଡକ୍ୟୁମେଣ୍ଟାରିକୁ ଚଳାଇବାକୁ ଅପରେଟର ନାହାନ୍ତି । କର୍ମଚାରୀଙ୍କ ଦରମା ବନ୍ଦ କରି ଦିଆଯାଇଛି । ଏମିତି ଦିଆଯାଉଛି ଆମ କୂଳବୃଦ୍ଧଙ୍କୁ ସମ୍ମାନ ।

କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ହେଉଛି ମଧୁସୂଦନ ଦାସଙ୍କ ଜନ୍ମସ୍ଥଳୀ । ଏଠାରେ ଥିବା ମଧୁବାବୁଙ୍କ ଘରକୁ ନବୀକରଣ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ଗତ ନଭେମ୍ବର ମାସରେ ମଧୁବାବୁଙ୍କ ଜନ୍ମସ୍ଥଳୀକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ଜନ୍ମସ୍ଥଳୀର ନବୀକରଣ ପାଇଁ ପର୍ଯ୍ୟଟନ ବିଭାଗ ୩ କୋଟି ଟଙ୍କା ଅନୁଦାନ ଦେଇଛନ୍ତି, ସତ କିନ୍ତୁ କାର୍ଯ୍ୟାରମ୍ଭକୁ ନେଇ ଅନେକ ଆଶା ଓ ଆଶଙ୍କା ଉପୁଜିଛି ।

  • Tags:

Subscribe

National International State Sports Entertainment