କେମିତି ରହିଛି ବିଚ୍ଛିନ୍ନାଞ୍ଚଳ ଓ ସୀମାନ୍ତରେ ଓଡ଼ିଆ ସ୍କୁଲର ସ୍ଥିତି
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୨୭(ଖବର ଓଡ଼ିଶା): ସର୍ବଶିକ୍ଷା ଅଭିଯାନ କ୍ରମରେ ସବୁ ପିଲାଙ୍କୁ ମାଗଣାରେ ମଧ୍ୟାହ୍ଣ ଭୋଜନ, ପୁସ୍ତକ ଓ ପୋଷାକ ବିତରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପିଲାଙ୍କୁ ସରକାରୀ ସୁବିଧା କେଉଁ ମାଧ୍ୟମରେ ମିଳିବ ତା'ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁ ନାହାନ୍ତି । ଯାହା ଫଳରେ ବିଚ୍ଛିନ୍ନାଞ୍ଚଳ ଓ ସୀମାନ୍ତରେ ଓଡ଼ିଆ ଶିକ୍ଷାର ଅଧୋପତନ ସ୍ତରକୁ ଯିବାକୁ ବସୁଛି । ଓଡ଼ିଶା ସୀମାକୁ ଲାଗି ରହିଥିବା ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟରେ ଥିବା ଓଡ଼ିଆ ସ୍କୁଲଗୁଡ଼ିକ ସଙ୍କଟରେ ପରିଚାଳିତ ହେଉଛି । ଓଡ଼ିଶା ସରକାର ଓ ସେଠାକାର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଆ ପରିବାରର ପିଲାର ବିକାଶ ହୋଇପାରୁ ନାହିଁ । ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆ ସ୍କୁଲମାନଙ୍କରେ ଗରିବ, ଶ୍ରମିକ ଶ୍ରେଣୀର ଲେକେ ତାଙ୍କର ପୁଅ-ଝିଅଙ୍କୁ ସେହି ରାଜ୍ୟମାନଙ୍କର ସରକାର ଦ୍ୱାରା ପରିଚାଳିତ ସ୍କୁଲମାନଙ୍କରେ ଭାଷାଗତ ସମସ୍ୟା ଦେଖାଯାଉଥିବା ବେଳେ, ଇଂରାଜୀ ମାଧ୍ୟମ ସ୍କୁଲମାନଙ୍କରେ ପଢ଼ାଇବାକୁ ଆର୍ଥିକ ସମସ୍ୟା ଉପୁଜୁଛି ।

ଆମ ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସ୍କୁଲର ପିଲାମାନଙ୍କ ପାଇଁ ଆଖିଦୃଷ୍ଟିଆ କାମ କରୁ ନ ଥିବା ଅଭିଯୋଗ ହେଉଛି । ଏସବୁ ଅଞ୍ଚଳମାନଙ୍କରେ ସମୟ ପୂର୍ବରୁ ପାଠ୍ୟ ସାମଗ୍ରୀ ପହଞ୍ଚିପାରୁ ନାହିଁ । ଆବଶ୍ୟକ ମୁତାବକ ଶିକ୍ଷକମାନଙ୍କର ନିଯୁକ୍ତି ହୋଇ ପାରୁ ନାହିଁ । ଅନେକ ବିଦ୍ୟାଳୟମାନଙ୍କରେ ବସିବା ପାଇଁ ଯାଗା ନାହିଁ । ଓଡିଶାରେ ପରିଚାଳିତ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ତେଲୁଗୁ ସ୍କୁଲମାନଙ୍କରେ ଭଲ ପାଠ ପଢ଼ାଯାଉଥିବାବେଳେ, ଆନ୍ଧ୍ର ପ୍ରଦେଶରେ ଥିବା ଓଡ଼ିଆ ସ୍କୁଲମାନଙ୍କରେ ଅବସ୍ଥା ବହୁତ ଖରାପ ଦେଇ ଗତି କରୁଛି । ଓଡ଼ିଆ ସ୍କୁଲମାନଙ୍କରେ ଶିକ୍ଷାର ଅଧୋପତ୍ତନ ଯୋଗୁଁ ଓଡ଼ିଆ ପିଲା ବାଧ୍ୟ ହୋଇ ତେଲୁଗୁ ସ୍କୁଲ ପ୍ରତି ଆଗ୍ରହ ରଖୁଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ତେଲୁଗୁ ଭାଷାର ବିକାଶ ପାଇଁ ସବୁବେଳେ ଯତ୍ନବାନ । ପାଠ୍ୟସାମଗ୍ରୀ ଯୋଗଣା, ଶିକ୍ଷକଙ୍କ ନିଯୁକ୍ତି, ବିଦ୍ୟାଳୟର ନିର୍ମାଣଠାରୁ ଆରମ୍ଭ କରି ପିଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର କାମ କରୁଛନ୍ତି । ଓଡ଼ିଶାରେ ଥିବା ତେଲୁଗୁ ସ୍କୁଲମାନଙ୍କରେ ଦିନକୁ ଦିନ ଓଡ଼ିଆ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ବଢ଼ିବାକୁ ଲାଗୁଛି ।

ଝାରଖଣ୍ଡର ଷଢ଼େଇକଳା ଓ ଖଣସୁଆ ଅଞ୍ଚଳରେ ଓଡ଼ିଆ ଭାଷାର ସ୍ଥିତି ଆହୁରି ଦୟନୀୟ । ଏଠାରେ ଥିବା ଓଡିଆ ସ୍କୁଲମାନଙ୍କରେ ପ୍ରତି ବର୍ଷ ସମୟ ପୂର୍ବରୁ ପାଠ୍ୟସାମଗ୍ରୀ ପହଞ୍ଚିପାରି ନ ଥାଏ । ଏହି ଅଞ୍ଚଳରେ ପିଲାଙ୍କୁ ଜୁଲାଇ-ଅଗଷ୍ଟରେ ପାଠ୍ୟସାମଗ୍ରୀ ଦିଆଯାଉଥିବାରୁ ପିଲାମାନଙ୍କର ଓଡ଼ିଆ ପାଠ ପ୍ରତି ବିତୃଷ୍ଣା ଭାବ ଜାତ ହେଉଛି, ଯାହାକି ଓଡ଼ିଆ ଭାଷାର ବିକାଶରେ ଆଘାତ ଦେଉଛି । କଳାହାଣ୍ଡି, ନୂଆପଡା, ନବରଂଙ୍ଗପୁର ଓ ମାଳକାନଗିରି ଜିଲ୍ଲା ସୀମାମାନଙ୍କରେ ଥିବା ଓଡ଼ିଆ ସ୍କୁଲମାନଙ୍କର ଅବସ୍ଥା ଆହୁରି ଖରାପ । ଏଠାରେ ଥିବା ଓଡ଼ିଆ ସ୍କୁଲର ପିଲାମାନେ ହିନ୍ଦୀ ଭାଷାରେ କଥା ହେଉଥିବା ଦୃଷ୍ଟି ଗୋଚର ହେଉଛି । ଏପରିକି ଶିକ୍ଷକ/ଶିକ୍ଷିକାମାନେ ବି ବିଦ୍ୟାଳୟ ବାହାରେ ହିନ୍ଦୀ ଭାଷାରେ କଥା ହୋଇ ଥାନ୍ତି । ଚଳିତ ଏପ୍ରିଲ ୨୫ରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇ ଥିଲେ ହେଁ ବିଚ୍ଛିନ୍ନାଞ୍ଚଳ ଓ ସୀମାନ୍ତରେ ଥିବା ସ୍କୁଲମାନଙ୍କରେ ଓଡ଼ିଆ ପାଠ୍ୟପୁସ୍ତକ ମିଳି ପାରି ନାହିଁ ।

  • Tags:

Subscribe

National International State Sports Entertainment