କେତେଥର ଗିରଫ ହେବେ ଜୟନାରାୟଣ!
Khabar Odisha:
ଭୁବନେଶ୍ୱର, ଏପ୍ରିଲ ୧୫(ଖବର ଓଡ଼ିଶା):ପରଂପରା ଓ ଭାଇଚାରାର ସହର ସମ୍ବଲପୁରରେ ଅନେକ ବର୍ଷ ଧରି ଚଳି ଆସୁଥିବା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ସମୟରେ ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ଗିରଫ କରାଯାଉଛି । ପୁଲିସ ଓ ପ୍ରଶାସନର ଏକଛତ୍ରବାଦୀ ଶାସନ ଯୋଗୁଁ ବିଗତ ୪ ବର୍ଷ ହେଲା ଜୟନାରାୟଣଙ୍କୁ ହନୁମାନ ଜୟନ୍ତୀ ସମୟରେ ଜେଲ ଯିବାକୁ ପଡୁଛି । ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ବିଜେପି ନେତା ତଥା ସମ୍ବଲପୁର ଜନତାଙ୍କୁ ଭାବିବାକୁ ପଡ଼ିଥାଏ ଯେ, ଜୟନାରାୟଣଙ୍କୁ କ'ଣ ଏଥର ବି ଜେଲ ଯିବାକୁ ପଡ଼ିବ କି? ସେପଟେ ପୁଲିସ ପ୍ରଶାସନ ଜୟନାରାୟଣଙ୍କୁ ଗିରଫ ନ କଲା ଯାଏ ଶାନ୍ତିରେ ରହିପାରେନି । ପୁଲିସ ଶୁକ୍ରବାର ଯେମିତି ଶ୍ରୀ ମିଶ୍ରଙ୍କ ସହିତ ଜୟନାରାୟଣଙ୍କ ସମର୍ଥକ ନାରଉି ନାୟକ, ଅନୀଲ ବେହେରା ଓ ସମୀର ବାବୁଙ୍କୁ ଗିରଫ କରିବା ସହିତ ସହରରୁ ମୋଟ୍ ୧୦୭ଜଣଙ୍କୁ ଅଟକ ରଖିଥିଲା । ଶାନ୍ତି ପାଇଁ ପୁଲିସ ପ୍ରଶାସନ ତରଫରୁ ୩୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ, ବି ଆଶା ଓ ଆଶଙ୍କାରେ ରହିଥିଲା ସମ୍ବଲପୁର ।
 
ଏକଥା ସତ ଯେ, ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇବାକୁ ନେଇ ବିଗତ କେତେ ବର୍ଷ ହେଲ ଜୟନାରାୟଣଙ୍କୁ ଗିରଫ କରାଯାଉଛି । ହନୁମାନ ଜୟନ୍ତୀରେ ଖଣ୍ଡା ବୁଲିବାର ଉଦ୍ଦେଶ୍ୟ ହିଂସା ପାଇଁ ନୁହେଁ, ବରଂ ଏହା ଏକ ପାରଂପରିକ ବିଧି-ବିଧାନ। ରାଜ୍ୟର ଆହୁରି ଅନେକଗୁଡ଼ିଏ ଯାନିଯାତ୍ରାରେ ଖଣ୍ଡା ବୁଲୁଛି । ସେତେବେଳକୁ ତ କାହାରିକୁ ଗିରଫ କରାଯାଉ ନାହିଁ। ବଲାଙ୍ଗୀର ଜିଲ୍ଲାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା "ଶୁଳିଆ ଯାତ୍ରା' ସମୟରେ ଖଣ୍ଡା ଓ ଅନ୍ୟ ଅସ୍ତ୍ର-ଶସ୍ତ୍ର ଜରିଆରେ ହଜାର ହଜାର ସଂଖ୍ୟାରେ ପଶୁ ବଳି ପଡୁଛନ୍ତି । ଆଦିବାସୀ ଅଧ୍ୟୁଷିତ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାମାନଙ୍କରେ ପାରମ୍ପରାକୁ ସମ୍ମାନ ଦେଇ ଆୟୋଜନ କରାଯାଉଥିବା କିଛି ପୂଜା ପର୍ବାଣୀରେ ଖଣ୍ଡା ଓ ଅନ୍ୟ ଅସ୍ତ୍ର-ଶସ୍ତ୍ର ଜରିଆରେ ନିରିହ ପଶୁମାନଙ୍କୁ ବଳି ଦିଆଯାଉଛି । ଶ୍ରୀକ୍ଷେତ୍ର ସାହି ଯାତ ଓ ପାଇକ ଆଖଡାରେ ଖଣ୍ଡାର ବ୍ୟବହାର ହେଉଛି । ସେତେବେଳକୁ ତ କାହାରିକୁ ଗିରଫ କରାଯାଉ ନାହିଁ । ଖଣ୍ଡାକୁ ପୂଜା କରିବା ପରଂପରା କେବଳ ଓଡିଶାର ନୁହେଁ ବରଂ ଏହା ହେଉଛି ଭାରତୀୟ ଐତିହ୍ୟ ଓ ସଂସ୍କୃତି ସହିତ ଜଡ଼ିତ । ହିଂସା ଓ ବିଦ୍ରୋହ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପୁଲିସର କାମ । କିନ୍ତୁ ବିନା ହିଂସାରେ କାହାରିକୁ ଗିରଫ କରିବା ଅନ୍ୟାୟ ନୁହେଁ କି? ଜୟନାରାୟଣଙ୍କୁ ଯେଭଳି ଭାବରେ ଗିରଫ କରାଯାଇଛି, ତାହା କେତେ ଆଇନ ସଙ୍ଗତ ?
 
୨୦୧୫ ଏପ୍ରିଲ ୧୪ରେ ହନୁମାନ ଜୟନ୍ତୀରେ ସେ ଖଣ୍ଡା ବୁଲାଇଥିବା ଅଭିଯୋଗରେ ପୁଲିସ ଜୟନାରାୟଣଙ୍କୁ ଗିରଫ କରିଥିଲା । ଜୟନାରାୟଣଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଧନୁପାଲି ଥାନା ଓ ଟାଉନ ପୋଲିସରେ ଅଭିଯୋଗ ହୋଇଥିଲା । ଚର୍ଚ୍ଚା ହୋଇଥିଲା ଯେ, ହନୁମାନ ଜୟନ୍ତୀରେ ଖଣ୍ଡା ବୁଲିବା ଅପେକ୍ଷା ରାଜନୈତିକ ଚାପରେ ବଶବର୍ତ୍ତି ହୋଇ ପୁଲିସ ଜୟନାରାୟଣଙ୍କୁ ଗିରଫ କରିଥିଲା । ଗିରଫକୁ ବିରୋଧ କରି ତକ୍ରାଳୀନ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ନାଉରୀ ନାୟକଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ କ୍ଷେତରାଜପୁର ରେଳଷ୍ଟେସନରେ ରାସ୍ତାରୋକ କରିଥିଲେ । ଫଳରେ ରେଳବାଇ ପୁଲିସ ପ୍ରାୟ ୫୦ଜଣ ସମର୍ଥକଙ୍କୁ ଗିରଫ କରିଥିଲା । ଆନେ୍ଦାଳନକାରୀମାନେ ସିନ୍ଦୁରପଙ୍କ, ଧନୁପାଲି, ଅଇଁଠାପାଲି, ବରୋଇପାଲି, ଲକ୍ଷ୍ମୀ ଟକିଜ୍ ଛକ, ଗୋଲ ବଜାର ଛକ, ଶକ୍ତୀ ଛକ, କଚେରୀ ଛକରେ ଆନ୍ଦୋଳନ କରିଥିଲେ । ଦୋକାନ ବଜାର, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାତାୟତ ସେବା ବନ୍ଦ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିଲା ।
  • Tags:

Subscribe

National International State Sports Entertainment