ଇଶ୍ୱରଙ୍କ କଳାର ଯାଦୁଗରିରେ ସ୍ଥାନ ପାଇଲେ ବାବା ସାହେବ ଆମ୍ୱେଦକର
Khabar Odisha: Iswar-raos-new-craft-on-Ambedkar

ଭୁବନେଶ୍ୱର, ଏପ୍ରିଲ୧୪(ଖବର ଓଡ଼ିଶା ସ୍ପେଶାଲ): ବୋତଲ ମଣିଷ ଇଶ୍ୱର ରାଓ। ଯେତେ ଅଦରକାରୀ ବୋତଲଟିଏ ହୋଇଥାଉ ନା କାହିଁକି ଇଶ୍ୱରଙ୍କ ହାତ ସ୍ପର୍ଶରେ ତାହା ପାଲଟେ କଳା। ବିଭିନ୍ନ ପର୍ବ ପର୍ବାଣୀ ଆସିଲେ ଇଶ୍ୱର ପହଞ୍ଚିଥାନ୍ତି ଖବର ଓଡ଼ିଶା ଟିମ୍‌ ପାଖରେ ନିଜର କଳାକୁ ଧରି । ଆଉ ପ୍ରତିଥର ସେ ଆମକୁ ଆଶ୍ଚର୍ଯ୍ୟ କରିଦିଅନ୍ତି।
 
ଆଜି ପାଳିତ ହେଉଛି ଭାରତର ସୁପୁତ୍ର ତଥା ସମ୍ୱିଧାନ ନିର୍ମାଣର ଅନ୍ୟତମ ପୁରୋଧା ବାବାସାହେବ ଭିମରାଓ ଆମ୍ୱେଦକରଙ୍କ ପୂଣ୍ୟ ଜନ୍ମତିଥି। ଏହି ଅବସରରେ ନୂତନତା ଭିତରେ ଭିନ୍ନତାର ଆଶା ନେଇ ଇଶ୍ୱର ପ୍ରଥମ କରି ଅଳିଆଗଦାରୁ ସାଉଁଟିଥିବା ଏକ ପ୍ଲାଷ୍ଟିକ ବୋତଲରେ ଆମ୍ୱେଦକରଙ୍କ ସୁନ୍ଦର ଫଟୋଟିଏକୁ ଜୀବନ୍ତ କରି ତୋଳିଛନ୍ତି। ଦଳିତ ମାନଙ୍କର ନେତା ଭାବେ ପରିଚିତ ଆମ୍ୱେଦଙ୍କରଙ୍କୁ ଏହା ତାଙ୍କର ଭକ୍ତିପୂତ ଅଘ୍ୟ ବୋଲି ଇଶ୍ୱର ପ୍ରକାଶ କରିଛନ୍ତି।
 
ଇଶ୍ୱରଙ୍କୁ ଏବେ ୩୫ ବର୍ଷ ହୋଇଥିବା ବେଳେ ସେ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଜଟଣୀବାସିନ୍ଦା। କେତେବେଳେ ପେନସିଲ୍‌ର ଛୋଟିଆ ମୁନଟି ତାଙ୍କ ପାଇଁ କଳାର ଉତ୍ସ ପାଲଟେ ତ କେତେବେଳେ କଇଁଆ ମଞ୍ଜି । ସବୁବେଳେ କିଛି ଅଲଗା କରିବାର ଲକ୍ଷ୍ୟରେ ଥାଆନ୍ତି ଇଶ୍ୱର । ତେବେ ତାଙ୍କର ସବୁଠାରୁ ନିଆରା କଳା ପାଲଟିଥାଏ ଅବ୍ୟବହୃତ ତଥା ରାସ୍ତାକଡ଼ରେ ପଡ଼ିଥିବା ମଦ ବୋତଲ ତଥା ଅନ୍ୟାନ୍ୟ ବୋତଲ। ଆମ୍ୱେଦଙ୍କରଙ୍କ ଜୟନ୍ତୀ ଉପଲକ୍ଷେ ଇଶ୍ୱର କରିଥିବା କଳାକୃତିଟି ଦେଖି ଆପଣ ବି ଏହା ଏକ ଚମତ୍କାର ପ୍ରୟାସ ବୋଲି କହିବେ। ବୋତଲଟିକୁ ଟିକିଏ ବି ହାନି ନପହଞ୍ଚାଇ ଇଶ୍ୱର ତାମଧ୍ୟରେ ନିଜ କଳାକୁ ଅତି ନିଖୁଣତାର ସହ ଜୀବନ୍ତ କରିଛନ୍ତି। ଏହାକୁ କରିବା ପାଇଁ ଇଶ୍ୱରଙ୍କୁ ୩ ଦିନ ସମୟ ଲାଗିଥିଲା।
 
ଇଶ୍ୱରଙ୍କ ଶାରିରିକ ଗଠନକୁ ଦେଖିଲେ ହଠାତ୍‌ ସେ ଏତେ ବଡ଼ ପ୍ରତିଭାର ଅଧିକାରୀ ହୋଇଥିବେ କେହିବି ବିଶ୍ୱାସ କରି ପାରିବେ ନାହିଁ। ମାତ୍ର ତାଙ୍କ ପାଖରେ ରହିଛି କଳାର ଏକ ମ୍ୟୁଜିୟମ। ଯାହା କିଛି ବି ସେ ନୂଆ ପ୍ରୟାସ କରନ୍ତି ତାକୁ ସାଇତି ରଖିଥାନ୍ତି ତାଙ୍କ ମ୍ୟୁଜିୟମ ମଧ୍ୟରେ। ବୋତଲ କଳା ହେଉ ବା ମାଟି, କଇଁଆ ମଞ୍ଜି, ସାବୁନ୍‌ରେ କଳାକୃତ୍ତି ସମସ୍ତ କଳା ମିଶାଇ ପାଖାପାଖି ୫୦୦ଟି ବୋତଲ କଳା, ୨୦୦ରୁ ଅଧିକ ସାବୁନ୍‌, କଇଁଆ ମଞ୍ଜି, ଚାଉଳ କଳା ଆଦିକୁ ସେ ସାଇତି ରଖିଛନ୍ତି । ଅନେକ କଳା ମଧ୍ୟରୁ ୨୦୦୩ରେ ବୋତଲ ଭିତରେ ଶିବ ମନ୍ଦିର ତୋଳିବା ଇଶ୍ୱରଙ୍କୁ ଅନେକ ଖୁସି ଦେଇଥିଲା ।
 
ତେବେ କଳାର ପଛ ପାଶ୍ୱରେ ରହିଛି ଇଶ୍ୱରଙ୍କ ସଂଘର୍ଷର କାହାଣୀ। ସେ ସର୍ବଦା ନିଜର ନିଆରା ପଣିଆକୁ ତଥା କଳାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବାକୁ ଚାହୁଁଥିଲେ ବି ତାଙ୍କ ପାଇଁ ଅର୍ଥ ବାଧକ ସାଜିଛି । ସେ ମିରାକେଲ୍‌ ଓ୍ୱାଲ୍‌ର୍ଡ ରେକର୍ଡ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ, ଏକ୍ସିସ୍‌ ପରି ଅନେକ ରେକର୍ଡର ଅଧିକାରୀ ହୋଇଥିଲେ ହେଁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁନଥିବା ସେ ଅତି ଦୁଃଖର ସହ ପ୍ରକାଶ କରନ୍ତି।
 
ଏସବୁ ସତ୍ତ୍ୱେ ପିଲାମାନଙ୍କୁ ଏପରି କଳା ନିର୍ମାଣ କୌଶଳ ଶିଖାଇବା ପାଇଁ ପ୍ରୟାସ କରୁଛନ୍ତି ଇଶ୍ୱର । ସେ ପ୍ରତିବର୍ଷ ସମର କ୍ୟାମ୍ପ ଆୟୋଜନ ଏବଂ ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ସୋସିଆଲ ଫାଉଣ୍ଡେସନ୍‌ ଟ୍ରଷ୍ଟରେ ନିଜର ଯୋଗଦାନ କରି ଆସୁଛନ୍ତି । କଳା ହିଁ ଜୀବନ ଏବଂ ଏହାକୁ ଲୋକପ୍ରୀୟ କରିବା ତାଙ୍କର ଏକାନ୍ତ ଲକ୍ଷ୍ୟ ବୋଲି ଇଶ୍ୱର କୁହନ୍ତି।

Leave a Reply

Your email address will not be published. Required fields are marked *



Subscribe



National International State Sports Entertainment

Comments