ଦାମବାବୁ ମଦ ଦୋକାନ ବନ୍ଦ କରିବେନି ହେଲେ ଆଇଓସିଏଲକୁ ବନ୍ଦ କରିଦେବେ
Khabar Odisha:Dama-Rout-Will-close-IOCL-but-not-liquor-shop

 

ଦାମବାବୁ ରାଜ୍ୟ ସରକାରର ଜଣେ ବରିଷ୍ଠ ଆଉ ବୟସ୍କ ମନ୍ତ୍ରୀ  ।  ସବୁବେଳେ ନିଜ ବୟାନବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ଦାମ ବାବୁ ଏବେ ପୁଣି ବିବାଦକୁ ଆସିଛନ୍ତି ଇଣ୍ଡିଆନ ଓଏଲ କର୍ପୋରେସନ ଲିମିଟେଡ଼(ଆଇଓସିଏଲ) ର ପାରାଦ୍ୱୀପ କାରଖାନା ବନ୍ଦ ଧମକକୁ ନେଇ  ।  ଦାମ କହିଛନ୍ତି ଧର୍ମେନ୍ଦ୍ର ଦୁଇ ପାଦ ଆଗେଇଲେ ମୁଁ ଆଇଓସିଏଲକୁ ବନ୍ଦ କରିଦେବି  ।  ଆଇଓସିଏଲ ର ପାରାଦ୍ୱୀପ କାରଖାନା ହେଉଛି ରାଜ୍ୟରେ ସ୍ଥାପିତ ହୋଇଥିବା ଏକ ବୃହତ ପୁଜିଂ ନିବେଶ । ୩୫,୦୦୦ କୋଟି ବିନିଯୋଗରେ ନିର୍ମିତ ଏହି ତୈଳ ବିଶୋଧନାଗାର ପାଲଟିଛି ପୁର୍ବ ଭାରତର ଏକ ପ୍ରମୁଖ ତୈଳ ବିଶୋଧନାଗାର  ।   ଆହୁରି ମଧ୍ୟ ଅନକେ ଡାଉନଷ୍ଟ୍ରିମ କାରଖାନା ପାଇଁ ପୁଜିଂ ନିବେଶର ସମ୍ଭାବନା ବହନ କରୁଛି ଏହି ତୈଳ କାରଖାନା  ।  ହେଲେ ଦାମ ବାବୁଙ୍କ ଭଳି ଜଣେ ପୁରୁଖାନେତାଙ୍କର ଏଭଳି ଧମକ ରାଜ୍ୟବାସୀଙ୍କୁ ଚକିତ କରିଛି  ।


ଓଡିଶା ସରକାରଙ୍କ ହାତରୁ ଏବେ ପୋସ୍କୋ ଖସିଯାଇଛି । ଖାଲି ପୋସ୍କୋ ନୁହେଁ ମିତ୍ତଲ କମ୍ପାନୀ ସହ ଏକ ଷ୍ଟିଲ କାରଖାନା ପାଇଁ ଚୁକ୍ତି କରିଥିଲେ ରାଜ୍ୟ ୨୦୦୬ ମସିହାରେ । ୫୦,୦୦୦ କୋଟିର ବିନିଯୋଗରେ ହେବାକୁ ଥିଲା ଏହି କାରଖାନା । କିନ୍ତୁ ଜମି ଅଧିଗ୍ରହଣ ତଥା ଅନ୍ୟାନ୍ୟ କାରଣ ପାଇଁ ୨୦୧୩ ମସିହାରେ ଏହି ଚୁକ୍ତିରୁ ଓହରି ଯାଇଛନ୍ତି ମିତ୍ତଲ କର୍ତ୍ତୁପକ୍ଷ । କେବଳ ସେତିକି ନୁହେଁ ଷ୍ଟେରଲାଇଟ ଷ୍ଟିଲର ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପ, ଆମତେକ ମେଟାଲର ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଏପରି ଅନେକ ଶିଳ୍ପ ପ୍ରତିଷ୍ଠାର କାମ ଜମି ଅଧିଗ୍ରହଣ ପାଇଁ ଅଟକି ଅଛି । ମଧ୍ୟମ ଶିଳ୍ପର ଅଗ୍ରଗତି ମଧ୍ୟ ରାଜ୍ୟରେ ପୁରା ନିରାଶଜନକ ଅଟେ । ରାଜ୍ୟରେ ୨୦୦୦-୦୧ ରୁ ୨୦୧୪-୧୫ ମସିହା ସୁଧା ୧୫ ବର୍ଷ ଭିତରେ ମାତ୍ର ୨୧ ଗୋଟି ମଧ୍ୟମ ଶିଳ୍ପ କାରଖାନା ସ୍ଥାପନ ହୋଇପାରିଛି । ପୁଣି ସେଥିରୁ ବର୍ତମାନ ୩ଗୋଟି ଅଚଳ ହୋଇସାରିଲାଣି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାର ସଫଳତାର ଚିତ୍ର ଏପରି ଥିବା ବେଳେ ମନ୍ତ୍ରୀଙ୍କର  ବନ୍ଦ କରିବାର ଏପରି ଧମକ ନିହାତି ଭାବେ ରାଜ୍ୟପାଇଁ ଶୁଭଙ୍କର ନୁହେଁ ।

ରାଜ୍ୟରେ ପୋସ୍କୋ ପ୍ରତିଷ୍ଠା ପାଇଁ ଢେର ଓକିଲାତିରେ ଲାଗିଥିିଲେ ଦାମ ବାବୁ ।  ଏକ ବିଦେଶୀ କମ୍ପାନୀ ପାଇଁ ପୁରା ତତ୍ପର ଥିବାବେଳେ ଏକ ରଷ୍ଟ୍ରାୟତ ଉଦ୍ୟୋଗକୁ ବନ୍ଦ କରିଦେବାର ଧମକ ଦେବା କି ପ୍ରକାରର ରାଜ୍ୟର କୁଶଳ ଚିନ୍ତା ତାହା ଏକ ଆଲୋଚନାର ବିଷୟ ।

ଦାମ ରାଉତ ନିଜେ ଅବକାରୀ ବିଭାଗର ମନ୍ତ୍ରୀ । ରାଜ୍ୟରେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଏବେ ଗାଁ ଗାଁରେ ମହିଳାମାନେ ଆନ୍ଦୋଳନ କରୁଛନ୍ତି । ବୁଦ୍ଧିଜିବି ମହଲ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବି ସଙ୍ଗଠନ ସମସ୍ତେ ଲାଗିଛନ୍ତି କିପରି ରାଜ୍ୟରେ ମଦ ବିକ୍ରି ବନ୍ଦ ହେଇପାରିବ । ହେଲେ ବିଭାଗୀୟ ମନ୍ତ୍ରୀଙ୍କର ବିଧାନସଭାରେ ସ୍ପଷ୍ଟ ଉତ୍ତର ଓଡିଶାରେ ମଦ ବିକ୍ରି ବନ୍ଦ ଅାଦୌ ସମ୍ଭବ ନୁହେଁ । ସରକାରୀ ତଥ୍ୟ କହୁଛି ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ମଦ ବିକ୍ରୀ ବଢିଛି ୧୦ ଗୁଣ । ପୁଣି ନୁଆ ଅବକାରୀ ନୀତି ୨୦୧୭-୧୮ ଆଣିଛନ୍ତି ମନ୍ତ୍ରୀ ଦାମ ରାଉତ । ଅବକାରୀ ନୀତିରେ ବିୟର ଉପ୍ତାଦନକୁ ମିଳିଛି ପ୍ରାଧାନ୍ୟ । ରାଜ୍ୟର ୬ ବଡ ସହରରେ ଥିବା ୩ ତାରକା ହୋଟେଲ ଓ ଅନ୍ୟାନ୍ୟ ବଡ ହୋଟେଲମାନେ ଚାହିଁଲେ ନିଜେ ଉପ୍ତାଦନ କରିପାରିବେ କମ ଆଲକୋହଲ ଯୁକ୍ତ ବିୟର । ଗୋଟିଏ ପଟେ ରାଜ୍ୟରେ ମଦ ବିକ୍ରିକୁ ବନ୍ଦ ପାଇଁ ଆନ୍ଦୋଳନ ପରେ ଆନ୍ଦୋଳନ ଚାଲିଥିବା ବେଳେ ଏପଟେ କିନ୍ତୁ ମଦ ଉପ୍ତାଦନ ପାଇଁ ମିଳୁଛି ଅନୁମତି । ରାଜ୍ୟରେ ୨୦୦୧-୦୨ ରେ ୧୭୯୮ ମଦ ଦୋକାନ ଥିଲା ।୨୦୧୬-୧୭ ରେ ଏହାର ସଂଖ୍ୟା ଆସି ପହଚିଂଲାଣି ୩୯୨୨ ରେ । ୨୦୧୨-୧୩ ଆର୍ଥିକ ବର୍ଷରେ ୪୦୪.୨୦ ଲକ୍ଷ ଲିଟର ଦେଶୀ ମଦ, ୭୫୬.୧୩ ଲକ୍ଷ ଲିଟର ବିଦେଶୀ ମଦ, ୯୩.୨୦ ଲକ୍ଷ ଲିଟର ବିଅର ଓ ୪୨୨.୨୨ ଲକ୍ଷ ବାହାର ଭାଟି ମଦ କାରବାର ହୋଇଥିଲା । ୨୦୧୩-୧୪ ଆର୍ଥିକ ବର୍ଷରେ ୪୪୭.୫୨ ଲକ୍ଷ ଲିଟର ଦେଶୀ ମଦ, ୮୦୨.୮୧ ଲକ୍ଷ ଲିଟର ବିଦେଶୀ ମଦ, ୯୫.୯୬ଲକ୍ଷ ଲିଟର ବିଅର ଓ ୪୮୦.୮୯ ଲକ୍ଷ ଲିଟର ବାହାର ଭାଟି ମଦ କାରବାର ହୋଇଥିଲା । ସେହିଭଳି ୨୦୧୪-୧୫ ଆର୍ଥିକ ବର୍ଷରେ ପୁଣି ବଢି ୪୫୧.୩୧ ଲକ୍ଷ ଲିଟର ଦେଶୀ ମଦ, ୭୮୯.୭୪ ଲକ୍ଷ ଲିଟର ବିଦେଶୀ ମଦ, ୯୨.୨୩ ଲକ୍ଷ ଲିଟର ବିଅର ଓ ୫୪୨.୫୮ ଲକ୍ଷ ଲିଟର ବାହାର ଭାଟି ମଦ କାରବାର ହୋଇଥିଲା ।  ୧୯୯୫-୯୬ ଆର୍ଥିକ ବର୍ଷରେ ୫୩.୭୪ଲକ୍ଷ ଲିଟର ଦେଶୀ ଓ ୮୯.୧୧ଲକ୍ଷ ଲିଟର ବିଦେଶୀ ମଦ କାରବାର ହୋଇଥିଲା । ରାଜ୍ୟରେ ଦେଶୀ ମଦର ପ୍ରଚଳନ ଓ ବିଦେଶୀ ମଦ ଦୋକାନ ଖୋଲିବା ଦ୍ୱାରା ଅବକାରୀ ବିଭାଗକୁ ଭଲ ରାଜସ୍ୱ ମିଳୁଛି ସତ, କିନ୍ତୁ ଏହା ଦ୍ୱାରା ଶହ ଶହ ପରିବାର ଉଜୁଡ଼ି ଯାଉଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥା ଅାହୁରି ଦୟନୀୟ । ଅତ୍ୟଧିକ ଦେଶୀ ମଦ ଭାଟି ଓ ମଦ ଦୋକାନ ଏବଂ ବିଦେଶୀ ମଦ ଦୋକାନ ଖୋଲିବା ଦ୍ୱାରା ରାଜ୍ୟ ସରକାରଙ୍କୁ ଅଧିକ ରାଜସ୍ୱ ମିଳୁଛି । କିନ୍ତୁ ରାଜ୍ୟରେ ମଦ ଜନିତ ହିଂସା ବି ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଦାମବାବୁ ଆଇଓସିଏଲ ବନ୍ଦ କଥା ମନରୁ କାଢି ଯଦି ମଦ ଦୋକାନ ବନ୍ଦ କଥା ମନରେ ପୁରାନ୍ତେ ତାହେଲେ ନିଶ୍ଚୟ ରାଜ୍ୟର ମଙ୍ଗଳ ହୁଅନ୍ତା ।

ଅନିଲ ବିଶ୍ୱାଳ

 

  • Tags:

Subscribe

National International State Sports Entertainment