ଲଗାଣ ବର୍ଷା ସମ୍ବଲପୁରରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ଘଟିଛି ଏକ ଦୁଃଖଦ ଘଟଣା। ସହରର ରେଳ ଷ୍ଟେସନ ପଛପଟ ଅଞ୍ଚଳରେ ପାଣିର ସ୍ରୋତ ବଢ଼ିଯିବାରୁ ଏକ ନାଳରେ ଦୁଇ ଯୁବକ ଭାସିଯାଇଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନେକ ଚେଷ୍ଟା ପରେ ଜଣେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଅନ୍ୟ ଜଣେ ଯୁବକ ଏବେ ବି ନିଖୋଜ ରହିଛନ୍ତି। ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।
ତେବେ ନାଳରେ ପ୍ରବଳ ଜଳସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଲଗାଣ ବର୍ଷା ଯୋଗୁଁ ସହରର ଅନେକ ନିମ୍ନାଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ରାସ୍ତାଘାଟରେ ପାଣି ଜମିଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ ବ୍ୟାହତ ହୋଇଛି।
ଦକ୍ଷିଣ ଝାଡ଼ଖଣ୍ଡ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ସମ୍ବଲପୁରରେ ଗତ ରାତିରୁ ପ୍ରବଳ ବର୍ଷା ହେବା ଫଳରେ ସହରର ଅନେକ ସ୍ଥାନ ଜଳବନ୍ଦୀ ହୋଇପଡ଼ିଛି।
ଏହି ପରିସ୍ଥିତିକୁ ଦେଖି ପ୍ରଶାସନ ସହରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବିଶେଷକରି ଜଳମଗ୍ନ ରାସ୍ତା, ନାଳ ଏବଂ ପ୍ରବଳ ସ୍ରୋତ ଥିବା ସ୍ଥାନଠାରୁ ଦୂରେ ରହିବାକୁ ଅନୁରୋଧ କରାଯାଇଛି। ବର୍ଷାର ଏହି ପ୍ରକୋପ ମଧ୍ୟରେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି।