ରାୟଗଡ଼ା: ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଭିଡହିଂସା ମାମଲାରେ ଆଜି ଅଭିଯୁକ୍ତମାନଙ୍କ ଟେଷ୍ଟ୍ ଆଇଡେଣ୍ଟିଫିକେସନ୍ ବା ଟିଆଇ ପରେଡ୍ ହୋଇଛି । ବିଷମକଟକ ଉପକାରାଗରରେ ପୀଡ଼ିତା ଛାତ୍ରୀଙ୍କ ଉପସ୍ଥିତିରେ ପ୍ରାୟ ୨୩ ଜଣ ଅଭିଯୁକ୍ତ ଟିଆଇ ପରେଡରେ ଉପସ୍ଥିତ ରହିଛନ୍ତି ।
ବିଷମକଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତଙ୍କ ଉପସ୍ଥିତିରେ ପରେଡ୍ ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିଲା । ପୀଡ଼ିତା ଘଟଣା ସଂକ୍ରାନ୍ତରେ ବୟାନ ଦେଇଥିବାବେଳେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁକିଛି କହିଛନ୍ତି । ଟିଆଇ ପରେଡ୍ ସମୟରେ ଯେଉଁମାନେ ଭିଡ଼ହିଂସାରେ ସାମିଲ ଥିଲେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପୀଡିତା ଚିହ୍ନଟ କରିଥିବା ସୂଚନା ମିଳିଛି । ସୁରକ୍ଷା ପାଇଁ ଟିଆଇ ପ୍ୟାରେଡ ବେଳେ ବିଷମକଟକ ଏସ୍ଡିପିଓ ସନ୍ତୋଷିନୀ ଓରାମ, ଆଇଆଇସି ଉପସ୍ଥିତ ରହିଥିଲେ। ରାୟଗଡା ଏସପି ରାଜ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇ ଯେ ଏହି ମାମଲାରେ କଲ୍ୟାଣସିଂହପୁର ପୋଲିସ ପର୍ଯ୍ୟାୟକ୍ରମେ ୨୩ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କୁ ପ୍ରଥମେ କୋର୍ଟ ଚାଲାଣ କରି ରାୟଗଡା ଉପକାରାଗାରକୁ ପଠାଯାଇଥିଲା । କିନ୍ତୁ ଏହି ଘଟଣାରେ ଟିଆଇ ପରେଡ୍ ପାଇଁ ଅଭିଯୁକ୍ତମାନଙ୍କୁ କିଛିଦିନ ତଳେ ବିଷମକଟକ ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ, ଗତ ୧୬ ତାରିଖ ସଂନ୍ଧ୍ୟାରେ ପିଲାଚୋର ଅଭିଯୋଗରେ ବାହାର ରାଜ୍ୟର ଜଣେ ଯୁବତୀ ଓ ଯୁବକଙ୍କୁ ଅସଦାଚରଣ କରାଯାଇଥିଲା । ପିଲା ଚୋର ସନ୍ଦେହରେ ପୀଡ଼ିତାଙ୍କ ବିବସ୍ତ୍ର କରି ମାଡ ମାରିଥିଲେ କିଛି ଲୋକେ । ତେବେ ଏହି ଘଟଣାକୁ ପୋଲିସ ଅତି ଗମ୍ଭିରତାର ସହ ନେଇ ପାଖାପାଖି ୨୩ ଜଣଙ୍କୁ ଗିରଫ୍ କରିଥିଲା ।