ଚେନ୍ନାଇ: ତାମିଲନାଡୁ ରାଜନୀତିରୁ ଆସିଲା ଦୁଃଖଦ ଖବର। ଡିଏମକେ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କୁ ୨୦୨୬ ବିଧାନସଭା ନିର୍ବାଚନରେ ପରାସ୍ତ କରି ଚର୍ଚ୍ଚାକୁ ଆସିଥିବା TVK ବିଧାୟକ ଭିଏସ୍ ବାବୁଙ୍କ ପରଲୋକ ହୋଇଛି। ଗୁରୁବାର (ନଭେମ୍ବର ୧୯) ଚେନ୍ନାଇର MGM ହେଲ୍ଥକେୟାର ହସ୍ପିଟାଲରେ ଅପରାହ୍ନ ୨ଟା ୨୪ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।
ଦୀର୍ଘଦିନ ଧରି ଥିଲେ ଅସୁସ୍ଥ
ହସ୍ପିଟାଲ ପକ୍ଷରୁ ଜାରି ବିବୃତି ଅନୁସାରେ, ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେବା ପରେ ସେ ସେପ୍ଟେମ୍ବର ୯ରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଡାକ୍ତରୀ ଟିମ୍ର ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଶେଷରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ସୂଚନା ଦେଇଛି।
ଷ୍ଟାଲିନ୍ଙ୍କୁ ହରାଇ ହୋଇଥିଲେ ଚର୍ଚ୍ଚିତ
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଲାଥୁର ଆସନରୁ ବିଜୟ ହାସଲ କରିଥିଲେ ଭିଏସ୍ ବାବୁ। ଏହି ଆସନରୁ ଲଗାତାର ୨୦୧୧ରୁ ବିଧାୟକ ରହିଆସିଥିବା ଏମ୍କେ ଷ୍ଟାଲିନ୍ଙ୍କୁ ସେ ପରାସ୍ତ କରିଥିଲେ।
ବାବୁ ୮୨,୯୯୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଷ୍ଟାଲିନ୍ଙ୍କୁ ମିଳିଥିଲା ୭୪,୨୦୨ ଖଣ୍ଡ ଭୋଟ୍। ଅର୍ଥାତ୍ ୮,୭୯୫ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ। ଏହି ଫଳାଫଳ ତାମିଲନାଡୁ ରାଜନୀତିରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା।
DMKରୁ AIADMK, ପରେ TVK
ଭିଏସ୍ ବାବୁଙ୍କ ରାଜନୈତିକ ଯାତ୍ରା ମଧ୍ୟ ବେଶ୍ ରୋଚକ ଥିଲା। ସେ ପୂର୍ବରୁ DMKରେ ଥିଲେ ଏବଂ ୨୦୦୬ ନିର୍ବାଚନରେ ପୁରସାୱାଲକମ୍ ଆସନରୁ ବିଜୟୀ ହୋଇଥିଲେ। ଉତ୍ତର ଚେନ୍ନାଇରେ ଦଳୀୟ ସଂଗଠନ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।
୨୦୧୬ରେ ସେ AIADMKରେ ଯୋଗ ଦେଇଥିଲେ। ପରେ ୨୦୨୬ ଫେବୃଆରୀ ୭ରେ ଅଭିନେତା ବିଜୟଙ୍କ ଦଳ TVKରେ ସାମିଲ ହୋଇଥିଲେ। ଦଳ ତାଙ୍କୁ କୋଲାଥୁରରୁ ପ୍ରାର୍ଥୀ କରିଥିଲା ଏବଂ ସେ ଷ୍ଟାଲିନ୍ଙ୍କୁ ପରାସ୍ତ କରି ବିଧାୟକ ହୋଇଥିଲେ।
ଷ୍ଟାଲିନ୍ଙ୍କ ଗଡ଼ ଭାବେ ପରିଚିତ କୋଲାଥୁରରେ ବିଜୟ ହାସଲ କରିବା ପରେ ବାବୁ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କ ଦେହାନ୍ତରେ ତାମିଲନାଡୁ ରାଜନୀତିରେ ଏକ ଚର୍ଚ୍ଚିତ ଅଧ୍ୟାୟର ଅବସାନ ଘଟିଛି।