ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସିଟ୍ ସଂରକ୍ଷଣ ଉପରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ଆବେଦନକାରୀ ଥରେ ସଂରକ୍ଷଣ ବର୍ଗର ଲାଭ ଉଠାଇ ସାରିବା ପରେ ଆଉ ଥରେ ସାଧାରଣ ବର୍ଗ ସୁବିଧା ଉପଭୋଗ କରିପାରିବେ ନାହିଁ ବୋଲି ମାନ୍ୟବର ସର୍ବୋଚ୍ଚ ଅଦାଲତ ଏକ ଶୁଶାଣିରେ ସ୍ପଷ୍ଟ କରିଛନ୍ତି ।
ଦେଶରେ ପଛୁଆ ଏବଂ ଅନୁସୂଚିତ ବର୍ଗ ପାଇଁ ଉଦ୍ଦିଷ୍ଟ ସିଟ୍ କିମ୍ବା ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ମିଳୁଥିବା ସୁବିଧାକୁ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଯେଉଁ ପରୀକ୍ଷାର୍ଥୀ ପ୍ରାରମ୍ଭିକ ପରୀକ୍ଷା ବା ପ୍ରିଲିମନାରୀରେ ସଂରକ୍ଷଣ ବର୍ଗରେ ଯେଉଁ ସୁବିଧା ଉପଭୋଗ କରୁଛନ୍ତି ତାଙ୍କ ପାଇଁ ଆଗାମୀ ପର୍ଯ୍ୟାୟ ପରୀକ୍ଷାରେ ସେହି ନିୟମ ଲାଗୁ ହେବ । ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ବା ଫାଇନାଲରେ ପରୀକ୍ଷା ସାଧାରଣ ବର୍ଗ ବା ଜେନେରାଲ୍ ସିଟ୍ ପାଇଁ ଦାବି କରିପାରିବେ ନାହିଁ ।
ସୁପ୍ରିମକୋର୍ଟ ବିଚାରପତି ଜେକେ ମାହେଶ୍ୱରୀ ଏବଂ ବିଚାରପତି ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଆବେଦନକୁ ଗ୍ରହଣ କରି କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟଙ୍କ ଜଣେ ଆଶାୟୀଙ୍କୁ ଅଣସଂରକ୍ଷିତ ବା ଜେନେରାଲ୍ ସିଟରେ ନିଯୁକ୍ତି ଦେବାକୁ ରାୟ ଦେଇଥିଲେ । ଅନ୍ତିମ ପରୀକ୍ଷାରେ ଜେନେରାଲ୍ ବର୍ଗ ଠାରୁ ଅଧିକ ଭଲ ନମ୍ବର ରଖିଥିବାରୁ କୋର୍ଟ ଏହି ରାୟ ଦେଇଥିଲେ ।
ଭାରତୀୟ ବନ ସେବା (ଆଇଏଫ୍ଏସ୍) ପରୀକ୍ଷାରେ ସଂରକ୍ଷଣ ବର୍ଗର ଆଶାୟୀ ଜି. କିରଣଙ୍କ ରାଙ୍କ ମେରିଟ୍ ଲିଷ୍ଟରେ ୧୯ ଏବଂ ଏଣ୍ଟନୀରେ ୩୭ ଥିଲା । କିନ୍ତୁ କ୍ୟାଡର୍ ଆବେଦନ ବେଳେ କେବଳ ସାଧାରଣ ବର୍ଗ ବା ଅଣସଂରକ୍ଷିତ ବର୍ଗରେ ଗୋଟିଏ ସିଟ୍ ଖାଲିଥିଲା । ମାତ୍ର ଅନୁସୂଚିତ ଜାତି ବର୍ଗ ବା ସଂରକ୍ଷିତ ବର୍ଗରେ କୌଣସି ସିଟ୍ ଖାଲି ନ ଥିଲା । ତେଣୁ ଜି. କିରଣ ଅଣସଂରକ୍ଷିତ ବର୍ଗରେ ନିଯୁକ୍ତି ଦେବାକୁ ଦାବି କରିଥିଲେ ।
ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ଖାରଜ କରି କହିଛନ୍ତି ଯେ ଯଦି ଜଣେ ପ୍ରାର୍ଥୀ ଚୟନ ପ୍ରକ୍ରିୟାର ଯେକୌଣସି ପର୍ଯ୍ୟାୟରେ ସଂରକ୍ଷଣ ଛାଡ଼ ପାଇଛନ୍ତି, ତେବେ ସେ ଅଣସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ଆସନ ପାଇଁ ଯୋଗ୍ୟ ହୋଇପାରିବେ ନାହିଁ। ଖଣ୍ଡପୀଠ କହିଥିଲେ ଯେ ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ସଂରକ୍ଷଣର ସୁଯୋଗ ପାଇସାରିବା ପରେ, ତାଙ୍କୁ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ଖାଲି ପଦବୀ/ସିଟରେ ନିଯୁକ୍ତି ଦିଆଯାଇପାରିବ ନାହିଁ । ଏହା ସହିତ, ସୁପ୍ରିମକୋର୍ଟ କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତିକୁ ବାତିଲ କରିଦେଇଛନ୍ତି ।