କଟକ: ଯେଉଁଠି ୧୦୦ ମାର୍କ ହେଉଛି ସର୍ବାଧିକ, ସେଠାରେ ଜଣେ ଛାତ୍ର ପାଇଲେ ୧୦୨ ମାର୍କ। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଜ୍ୟର +୨ ପରୀକ୍ଷା ଫଳ ପ୍ରକାଶ ପରେ। କଟକର ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କ ମାର୍କସିଟରେ ଇଂରାଜୀ ବିଷୟରେ ୧୦୦ରୁ ୧୦୨ ନମ୍ବର ଦର୍ଶାଯାଇଛି। ମାର୍କସିଟ୍ ଅନୁସାରେ, ଛାତ୍ର ଜଣକ ଥିଓରିରେ ୮୦ରୁ ୮୨ ଏବଂ ଇଣ୍ଟର୍ନାଲ ଆସେସମେଣ୍ଟରେ ପୂର୍ଣ୍ଣ ୨୦ ନମ୍ବର ପାଇଥିଲେ। ଫଳରେ ମୋଟ ନମ୍ବର ୧୦୨ ହୋଇଯାଇଥିଲା।
ଘଟଣାଟି ସାମ୍ନାକୁ ଆସିବା ପରେ CHSE ଅର୍ଥାତ୍ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଡୁଆରେ ପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଛାତ୍ରଙ୍କୁ ଗଣିତ ବିଷୟରେ ଦିଆଯାଇଥିବା ଗ୍ରେସ୍ ମାର୍କ ଭୁଲବଶତଃ ଇଂରାଜୀ ମାର୍କରେ ଯୋଡ଼ି ହୋଇଯାଇଥିଲା। ଏହା ଏକ ସଫ୍ଟୱେର ତ୍ରୁଟି ଯୋଗୁଁ ଘଟିଥିବା କୁହାଯାଉଛି।
ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚିରଞ୍ଜୀବୀ ମହାପାତ୍ର କହିଛନ୍ତି, ଗ୍ରେସ୍ ମାର୍କ ଯୋଡ଼ିବା ବେଳେ ଏକ ଟେକ୍ନିକାଲ ତ୍ରୁଟି ହୋଇଥିବାରୁ ଏଭଳି ଘଟିଛି। ଏନେଇ CHSEକୁ ଅବଗତ କରାଯାଇଛି।
ସେପଟେ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ଏହା କେବଳ ଏକମାତ୍ର ଘଟଣା ଏବଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏଭଳି ତ୍ରୁଟି ଅନ୍ୟ କାହାର କ୍ଷେତ୍ରରେ ହୋଇନାହିଁ। ଆସନ୍ତା ସାତ ଦିନ ମଧ୍ୟରେ ତ୍ରୁଟି ସଂଶୋଧନ କରାଯିବ ଏବଂ ଚୂଡ଼ାନ୍ତ ସାର୍ଟିଫିକେଟରେ ସଠିକ୍ ନମ୍ବର ଉଲ୍ଲେଖ ରହିବ।
ତେବେ ୧୦୦ରୁ ୧୦୨ ମାର୍କ ପାଇଥିବା ଏହି ଘଟଣା ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ସହ ପରୀକ୍ଷା ଫଳ ପ୍ରକାଶ ବ୍ୟବସ୍ଥାର ସଠିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।