ନୂଆଦିଲ୍ଲୀ: ଦେଶର ଚର୍ଚ୍ଚିତ ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକ ପୁଣି ଏକ ଆନ୍ଦୋଳନର ଡାକରା ଦେଇଛନ୍ତି । ଲଦାଖ ପ୍ରସଙ୍ଗରେ କେନ୍ଦ୍ର ସରକାର ଯଦି କିଛି ନିଷ୍ପତ୍ତି ନ ନିଅନ୍ତି ତେବେ ପୁଣି ଥରେ ଅନଶନ କରିବେ । ଗୁରୁବାର ଦିନ ନୂଆଦିଲ୍ଲୀରେ ପ୍ରମୁଖ ଲଦାଖ ଗୋଷ୍ଠୀ ଏବଂ ଗୃହ ମନ୍ତ୍ରଣାଳୟର ଏକ ଉପ-କମିଟି ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା ହୋଇଛି । ଯାହାର ଅଗ୍ରଗତି ଉପରେ ସୋନମ ୱାଙ୍ଗଚୁକ ନିରାଶ ପ୍ରକାଶ କରିଛନ୍ତି । ଏହା ପରେ ସୋନମ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଗତ ବର୍ଷ ସେପ୍ଟେମ୍ବର ୨୬ରେ ଲଦାଖରେ ଘଟିଥିବା ହିଂସା ପରେ କଠୋର ଜାତୀୟ ସୁରକ୍ଷା ଆଇନ (NSA) ଅନୁଯାୟୀ ମାମଲା ରୁଜୁ ହେବା ପରେ ୱାଙ୍ଗଚୁକ୍ ଯୋଧପୁର ଜେଲରେ ଛଅ ମାସ ବିତାଇଥିଲେ। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । ସରକାର ଲଦାଖ ରାଜ୍ୟ ଗଠନ ଆନ୍ଦୋଳନର ପ୍ରମୁଖ ଚେହେରା ଥିବା ୱାଙ୍ଗଚୁକଙ୍କୁ ହିଂସା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରିଥିଲେ ।
ନିକଟରେ ନିଟ୍ ପେପରେ ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ । ଜୁନ୍ ୨୮ ତାରିଖରେ ଜନ୍ତର ମନ୍ତରରେ ଅନଶନ ଆରମ୍ଭ କରିଥିଲେ। 26 ଦିନର ଅନଶନ ପରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡାଙ୍କ ଅନୁରୋଧ କ୍ରମେ ସେ ଅନଶନ ଭଙ୍ଗ କରିଥିଲେ ।