ଓଡ଼ିଶାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ରିପୋର୍ଟରେ ସାମ୍ନାକୁ ଆସିଛି ଅନେକ ଚମକପ୍ରଦ ତଥ୍ୟ। ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ମତଦାତାଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଛି। ସେଥିସହ ଭୋଟର ତାଲିକାରେ ୮ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାମ ରହିଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ, ସର୍ବାଧିକ ୨ ଲକ୍ଷ ୭ ହଜାର ୬୨୪ ଜଣ ମତଦାତାଙ୍କ ନାମ ଗଞ୍ଜାମ ଜିଲ୍ଲାରୁ ବାଦ ପଡ଼ିଛି। ଏହାପରେ କଟକରୁ ୧ ଲକ୍ଷ ୫୫ ହଜାର ୧୬୪, ମୟୂରଭଞ୍ଜରୁ ୧ ଲକ୍ଷ ୧୧ ହଜାର ୨୬୭, ଯାଜପୁରରୁ ୧ ଲକ୍ଷ ୫ ହଜାର ୧୪ ଏବଂ ବଲାଙ୍ଗୀରରୁ ୯୯ ହଜାର ୨୫୮ ଜଣଙ୍କ ନାମ କାଟି ଦିଆଯାଇଛି। ବାଲେଶ୍ୱର, ପୁରୀ, ସୁନ୍ଦରଗଡ଼, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟକ ଭୋଟରଙ୍କ ନାମ ବାଦ ପଡ଼ିଛି।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ମାଲକାନଗିରି ଜିଲ୍ଲାରେ ପ୍ରତିଶତ ହିସାବରେ ସର୍ବାଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ଅନ୍ୟପକ୍ଷରେ, ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ୍ ସଂଖ୍ୟକ ମତଦାତାଙ୍କ ନାମ ବାଦ ପଡ଼ିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଏସ୍ଆଇଆର୍ ବେଳେ ଆଉ ଏକ ଗୁରୁତର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଭୋଟର ତାଲିକାରେ ୮ ଲକ୍ଷ ୩୨ ହଜାର ୬୨୭ ଜଣ ମୃତ ବ୍ୟକ୍ତିଙ୍କ ନାମ ରହିଥିବା ଚିହ୍ନଟ ହୋଇଛି। ସେହିପରି ୧ ଲକ୍ଷ ୯୯ ହଜାର ୨୫୧ ଜଣ ଭୋଟରଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇପାରିନଥିବା ଜଣାପଡ଼ିଛି।
ଏହି ରିପୋର୍ଟ ପରେ ଭୋଟର ତାଲିକାର ସ୍ୱଚ୍ଛତା ଓ ନିର୍ଭୁଲତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ନିର୍ବାଚନ ପୂର୍ବରୁ ଏହି ସଂଶୋଧିତ ତାଲିକା ମତଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବ ବୋଲି ଆଶା କରାଯାଉଛି।