ନବରଙ୍ଗପୁର ସହରରେ ଅଳ୍ପକେ ଟଳିଯାଇଛି ଏକ ବଡ଼ ଅଘଟଣ। ରାସ୍ତା ମଝିରେ ହଠାତ୍ ଏକ ସ୍କୁଟିରେ ନିଆଁ ଲାଗିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ତେବେ ସ୍କୁଟି ଚାଳକ ଅଳ୍ପକେ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଏହି ଘଟଣା ନବରଙ୍ଗପୁର ସହରର ଏକ ରିସର୍ଟ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, ପୂଜାରୀଗୁଡ଼ା ଗାଁ ବିଦ୍ୟାଳୟର ଶିକ୍ଷକ ସନ୍ଦୀପ ପଣ୍ଡା ପ୍ରତିଦିନ ଭଳି ସକାଳେ ସ୍କୁଟି ଯୋଗେ ସ୍କୁଲକୁ ଯାଉଥିଲେ। ରିସର୍ଟ ନିକଟରେ ପହଞ୍ଚିବା ପରେ ହଠାତ୍ ସ୍କୁଟିଟି ବନ୍ଦ ହୋଇଯାଇଥିଲା। ସେ ଗାଡ଼ିର ତ୍ରୁଟି ଯାଞ୍ଚ କରୁଥିବା ବେଳେ ପଛପଟୁ ଧୂଆଁ ବାହାରୁଥିବା ଦେଖିଥିଲେ।
କିଛି ମୁହୂର୍ତ୍ତ ମଧ୍ୟରେ ଧୂଆଁ ନିଆଁରେ ପରିଣତ ହୋଇ ସମ୍ପୂର୍ଣ୍ଣ ସ୍କୁଟିକୁ କବଳିତ କରିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସ୍କୁଟିଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା।
ସମୟରେ ଶିକ୍ଷକ ସ୍କୁଟିରୁ ଦୂରକୁ ସରିଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଘଟଣା ପରେ ସ୍କୁଟିରେ କେଉଁ କାରଣରୁ ନିଆଁ ଲାଗିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି।