ସୁନ୍ଦରଗଡ଼: ଓଡ଼ିଶାରେ ଦୁର୍ନୀତି ବିରୋଧୀ ଅଭିଯାନ ମଧ୍ୟରେ ବଡ଼ କାର୍ଯ୍ୟାନୁଷ୍ଠାନ। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ତହସିଲଦାର-କମ୍-ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ୫ ଲକ୍ଷ ଟଙ୍କା ନଗଦ ସହ ଭିଜିଲାନ୍ସ ଧରିଛି।
ଭିଜିଲାନ୍ସକୁ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ଏକ ସ୍ୱତନ୍ତ୍ର ଟିମ୍ ଲାଠିକଟା କାର୍ଯ୍ୟାଳୟରୁ ରାଉରକେଲା ଅଭିମୁଖେ ଯାଉଥିବା ତହସିଲଦାରଙ୍କ କାର୍କୁ ରାସ୍ତାରେ ଅଟକାଇଥିଲା। ତଲାସି ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା।
ନଗଦ ଟଙ୍କାର ଉତ୍ସ ଓ କେଉଁ ଉଦ୍ଦେଶ୍ୟରେ ଏହା ନିଆଯାଉଥିଲା, ସେନେଇ ଭିଜିଲାନ୍ସ ଅଧିକାରୀମାନେ ତହସିଲଦାରଙ୍କୁ ପଚରାଉଚରା କରୁଛନ୍ତି। ସେହିସହିତ ତାଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।
ଏହି ମାମଲାରେ ତହସିଲଦାରଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଘର ଓ ଅନ୍ୟାନ୍ୟ ସ୍ଥାନରୁ ଦସ୍ତାବିଜ, ଆର୍ଥିକ ରେକର୍ଡ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଛି। ଭିଜିଲାନ୍ସର କହିବା ଅନୁସାରେ, ତଦନ୍ତ ପରେ ୫ ଲକ୍ଷ ଟଙ୍କାର ପ୍ରକୃତ ଉତ୍ସ ଓ ଚଢ଼ାଉରୁ ମିଳିଥିବା ତଥ୍ୟ ସମ୍ପର୍କରେ ଅଧିକ ସୂଚନା ପ୍ରକାଶ କରାଯିବ।