ଭୁବନେଶ୍ୱର: ଆସନ୍ତା ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାଜ୍ୟ ଅତିଥି ଭବନରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ସ୍ନାନଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କିପରି ନିର୍ଦ୍ଧାରିତ ସମୟରେ ଓ ଶୃଙ୍ଖଳାର ସହିତ ସମ୍ପନ୍ନ ହେବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଭକ୍ତଙ୍କ ପାଇଁ ସୁବିଧା, ଜନସମାଗମ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଆଇନ ମନ୍ତ୍ରୀ କହିଥିଲେ ଯେ, ରଥଯାତ୍ରାର ସଫଳ ଆୟୋଜନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ, ସେବାୟତ ଏବଂ ଦଇତାପତି ନିଯୋଗଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ। ସମସ୍ତଙ୍କ ସହଯୋଗ ରହିଲେ ଭକ୍ତମାନେ ନିରାପଦ ଓ ସୁବିଧାଜନକ ଭାବେ ମହାପ୍ରଭୁଙ୍କ ରଥଯାତ୍ରାର ଦର୍ଶନ କରିପାରିବେ।
ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ ରଥ ନିର୍ମାଣ ଓ ପର୍ବପର୍ବାଣୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ରଥ ନିର୍ମାଣ ପାଇଁ କାଠ, ରସି, କପଡ଼ା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଉପଲବ୍ଧ ଥିବା ଏବଂ ସମସ୍ତ ପ୍ରସ୍ତୁତି ଠିକ୍ ଭାବେ ଚାଲିଥିବା ସେ କହିଥିଲେ।
ଏହାଛଡ଼ା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ୍ ବ୍ୟବସ୍ଥା କରିବା ଏବଂ ପୁଲିସ ଓ ସେବାୟତମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରିବା ନେଇ ଆଲୋଚନା ହୋଇଥିଲା।
ବୈଠକରେ ଆଇନ ବିଭାଗର ପ୍ରମୁଖ ସଚିବ ଡଃ ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂହ, ଦଇତାପତି ନିଯୋଗ ସଭାପତି ଗଣେଶ ଦାସ ମହାପାତ୍ର ଓ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।