କେନ୍ଦ୍ରାପଡ଼ା: ପ୍ରେମ ନିବେଦନ କରି ବିଫଳ ହେବା ପରେ ଦାଦାଙ୍କୁ ଶାବଳରେ ବାଡ଼େଇ ଗୁରୁତର କରିଦେଇଛି ପଡ଼ୋଶୀ ପୁତୁରା । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ନରଣପଡା ଗାଁରେ ଘଟିଛି ଏଭଳି ଘଟଣା । ଗୁରୁତର ଦାଦା ଶଶିକାନ୍ତ ଦାଶକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଆହତ ବ୍ୟକ୍ତିଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ନରଣପଡା ଗାଁର ତାଙ୍କ ପଡୋଶୀ ପୁତୁରା ନିଳାଦ୍ରି ଦାଶ ଗତ କିଛି ମାସ ଧରି ପ୍ରେମ ନିବେଦନ କରି ଆସୁଥିଲେ l ଏମିତିକି ବିଭିନ୍ନ ସମୟରେ ତାଙ୍କ ଉପରେ ଖରାପ ନଜର ରଖିବା ସହିତ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରୁଥିଲେ । ଏ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ଥିଲା । ଗତକାଲି ନିଳାଦ୍ରୀ ପ୍ରଥମେ ଗଣ୍ଡଗୋଳ କରିଥିଲା । ଏହା ପରେ ରାତି ପ୍ରାୟ ସାତଟାରୁ ଆଠଟା ମଧ୍ୟରେ ଶଶିକାନ୍ତଙ୍କ ଗାଡ଼ିକୁ ଅଟକାଇଥିଲେ । ଏହା ପରେ ଗୋଟିଏ ଶାବଳରେ ପ୍ରଥମେ ଗାଡ଼ିକୁ ବାଡ଼େଇ ଭାଙ୍ଗିଥିଲେ । ପରେ ଶଶିକାନ୍ତଙ୍କୁ ମଧ୍ୟ ଶାବଳରେ ପିଟିଥିଲା । ଖାଲି ସେତିକି ନୁହେଁ ଏହି ସମୟରେ ଅଭିଯୁକ୍ତ ନିଳାଦ୍ରୀର ବାପା ପ୍ରଦୀପ୍ତ କିଶୋର ଦାଶ ଘଟଣାସ୍ଥଳରେ ପହଞ୍ଚି ଶଶିକାନ୍ତଙ୍କୁ ଆହୁରି ମାଡ ମାରିଥିଲେ l ବାପ ପୁଅଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ତଳେ ପଡିଯାଇଥିଲେ ଶଶିକାନ୍ତ l ଘଟଣା ଘଟିବା ପରେ ଅଭିଯୁକ୍ତ ବାପ ପୁଅ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।
ସେପଟେ ଗୁରୁତର ଶଶିକାନ୍ତଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡ଼ିକାଲ ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।
ଅନ୍ୟ ପକ୍ଷରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଳମ୍ବ କରୁଥିବା ଶଶିକାନ୍ତଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଗତକାଲିଠାରୁ କେନ୍ଦ୍ରାପଡା ସଦର ଥାନା ଏତଲା ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ତେଣୁ ଦୁଇ ଅଭିଯୁକ୍ତଙ୍କ ଗିରଫ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ କେନ୍ଦ୍ରାପଡା ସଦର ଥାନା ଆଗରେ ଧାରଣାରେ ବସିଛନ୍ତି l