Home >
ଅଟକର ୧୬୩ ଦିନ ପରେ ଏବେ ନିଜ ଘରେ ନଜରବନ୍ଦ ରହିବେ ଉମର ଅବଦୁଲ୍ଲା
Khabar Odisha:national-odisha-omar-abdullah-to-be-shifted-in-his-residence-soon
ଶ୍ରୀନଗର, ଜାନୁଆରୀ୧୫(ଖବର ଓଡ଼ିଶା):

ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ଏବେ ଶ୍ରୀନଗରର ଗୁପକାର ରୋଡ୍ ସ୍ଥିତ ତାଙ୍କ ଘରକୁ ସ୍ଥାନାନ୍ତର କରାଯିବ। ଉମରଙ୍କୁ ଏ ପର୍ଯ୍ୟନ୍ତ ହରି ନିବାସରେ ସତର୍କତାମୂଳକ ନଜରବନ୍ଦ କରି ରଖାଯାଇଥିଲା। ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଉମର ଅବଦୁଲ୍ଲା, ପୂର୍ବତନ ମୁଖ୍ୟମନ୍ତ୍ରୀ  ମେହବୁବା ମୁଫତିଙ୍କ ସମେତ ସମସ୍ତ ନେତାଙ୍କୁ ସତର୍କତାମୂଳକ ନଜରବନ୍ଦ କରି ରଖାଯାଇଥିଲା।

ପ୍ରାରମ୍ଭିକ ସମୟରେ ମେହବୁବା ମୁଫତି ଓ ଉମର ଅବଦୁଲ୍ଲାଙ୍କୁ ଏକ ଗେଷ୍ଟ ହାଉସରେ ସ୍ଥାନାନ୍ତର କରାଯାଇଥିଲା। ଦୁଇ ନେତା ପୂର୍ବେ ହରି ନିବାସରେ ରହୁଥିଲେ, ମାତ୍ର ମୁଫତିଙ୍କୁ ଚସମେ ସାହି ଗେଷ୍ଟ ହାଉସକୁ ସ୍ଥାନାନ୍ତର କରାଯାଇଥିଲା। କିଛି ସମୟ ପରେ ଥଣ୍ଡାର ପ୍ରକୋପ ବଢ଼ିବା ପରେ ଏକ ସରକାରୀ ଗେଷ୍ଟ ହାଉସରେ ତାକୁ ନଜରବନ୍ଦ କରାଯାଇଥିଲା। ଏବେ ଉମରଙ୍କୁ ନିଜ ଘରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ମେହବୁବା ମୁଫତି  ଶ୍ରୀନଗରର ଲାଲଚୌକ ନିକଟରେ ନିର୍ମିତ ଏକ ଗେଷ୍ଟ ହାଉସରେ ରହୁଛନ୍ତି। ଏହା ବ୍ୟତୀତ ଫାରୁକ ଅବଦୁଲ୍ଲାଙ୍କୁ ପବ୍ଲିକ ସେଫଟି ଆକ୍ଟ ଆଧାରରେ ଅଟକ ରଖାଯାଇଥିଲା। 

ଉମରଙ୍କୁ ଅଟକ ରଖାଯିବାର ୧୬୩ ଦିନ ପରେ ଏବେ ତାଙ୍କ ଘରକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଉମର ନିଜ ଘରେ ସ୍ପେଶାଲ ସର୍ଭିସ ଗ୍ରୁପର ଯବାନ ସୁରକ୍ଷା ବଳୟରେ ରହିବେ। ଉଲ୍ଲେଖଯୋଗ୍ୟ, ଉମର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସିଆରପିସିର ଧାରା ୧୦୭ ଆଧାରରେ ଅଟକ ରଖାଯାଇଥିଲା।

Subscribe

National International State Sports Entertainment