Home >
ଲମ୍ବା ନ୍ୟାୟିକ ପ୍ରକ୍ରିୟାର ଫାଇଦା ଉଠାଇଲେ ନିର୍ଭୟା ଦୋଷୀ, ଜାନୁଆରୀ ୨୨ରେ ଫାଶି ମୁସ୍କିଲ
Khabar Odisha:national-odisha-due-to-pending-mercy-plea-hanging-in-nirbhaya-case-convicted-may-delayed
ନୂଆଦିଲ୍ଲୀ, ଜାନୁଆରୀ୧୫(ଖବର ଓଡ଼ିଶା):

ଦିଲ୍ଲୀ ହାଇକୋର୍ଟ ନିର୍ଭୟା ମାମଲାରେ ଫାଶି ସଜା ପାଇଥିବା ଦୋଷୀଙ୍କ ମୃତ୍ୟୁ ପରଓ୍ଵାନ(ଡେଥ ଓ୍ଵାରେଣ୍ଟ) ଉପରେ ରୋକ୍ ଲଗାଇବାକୁ ଦାଖଲ ଯାଚିକାକୁ ଖାରଜ କରି ଦେଇଛନ୍ତି। ଏଥିପାଇଁ ଦୋଷୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୁଅନ୍ତୁ ବୋଲି ହାଇକୋର୍ଟ କହିଛନ୍ତି। କୋର୍ଟ ନିବେଦନ ଖାରଜ କରି କହିଛନ୍ତି ଯେ, ଫାଶିର ସଜାକୁ ବିଳମ୍ବିତ କରିବାକୁ ଜାଣି ଶୁଣି ଅଦାଲତରେ ନିବେଦନ କରାଯାଉଛି। ମାତ୍ର କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବି ଦୋଷୀଙ୍କୁ ୨୨ରେ ଫାଶି ଦେବା ମୁସ୍କିଲ ଲାଗୁଛି। ଦୋଷୀ ମୁକେଶର କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଷ୍ଟ୍ରପତିଙ୍କଠାରେ ରାଜକ୍ଷମା ନିବେଦନ କରିଛି। ଦିଲ୍ଲୀ ସରକାରଙ୍କ ଓକିଲ ଏହା ମଧ୍ୟ ତର୍କ ଦେଇଛନ୍ତି ଯେ, ଯଦି ବି ରାଷ୍ଟ୍ରପତି ରାଜକ୍ଷମା ନିବେଦନ ଖାରଜ କରି ଦିଅନ୍ତି ତେବେ ବି ଦୋଷୀଙ୍କୁ ୧୪ ଦିନର ସମୟ ମିଳିବ। ଏହିପରି ଭାବେ ଆମର ଲମ୍ବା ନ୍ୟାୟିକ ପ୍ରକ୍ରିୟାର ଫାଇଦା ଉଠାଇ ଚାଲିଛନ୍ତି ନିର୍ଭୟାର ଦୋଷୀ। 

ଦୋଷୀ ପକ୍ଷର ଓକିଲ ହାଇକୋର୍ଟରେ କହିଛନ୍ତି ଯେ, ସେମାନଙ୍କର ମହକିଲ ରାଷ୍ଟ୍ରପତିଙ୍କଠାରେ ରାଜକ୍ଷମା ନିବେଦନ କରିଛନ୍ତି। ରାଜକ୍ଷମା ଯଦି ଖାରଜ ହୋଇଯାଏ ତେବେ ବି ଫାଶି ପୂର୍ବରୁ ଦୋଷୀଙ୍କୁ ୧୪ ଦିନର ସମୟ ଦିଆଯାଏ। ଏହା ଉପରେ ସରକାରୀ ଓକିଲ ମଧ୍ୟ କୌଣସି ଆପତ୍ତି କରିନଥିଲେ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଜର ଓକିଲ ଏଏସଜି କହିଛନ୍ତି ଯେ, ରାଜକ୍ଷମା ନିବେଦନ ଖାରଜ ପରେ ନିୟମ ଅନୁସାରେ ଦୋଷୀଙ୍କୁ ୧୪ ଦିନର ସମୟ ଦିଆଯାଇଥାଏ।

ଡେଥ୍ ଓ୍ଵାରେଣ୍ଟ ବିରୋଧେ ଦୋଷୀ ମୁକେଶର ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସମୟରେ ବିଚାରପତି ମନମୋହନ ପ୍ରଶ୍ନ କରିଛନ୍ତି ଯେ, ଜେଲ୍ ଅଧିକାରୀଙ୍କ ପକ୍ଷରୁ ଦୋଷୀଙ୍କୁ ପ୍ରଥମ ନୋଟିସ୍ ଜାରି କରିବାରେ ଏତେ ବିଳମ୍ବ କାହିଁକି ହେଲା ? ଏହି ସମୟରେ ଜଜ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ, ଏହା ସ୍ପଷ୍ଟ ଯେ କେମିତି ଦୋଷୀଙ୍କ ପକ୍ଷରୁ ନ୍ୟାୟିକ ବ୍ୟବସ୍ଥାର ଦୁରୁପଯୋଗ କରାଯାଉଛି। ଏମିତିରେ ହିଁ  ଲୋକଙ୍କ ନ୍ୟାୟିକ ବ୍ୟବସ୍ଥା ଉପରୁ ଭରସା ହରାଇବେ।

ଏବେ ରାଷ୍ଟ୍ରପତିଙ୍କ ନାମରେ ମୁକେଶ ନିଜର ରାଜକ୍ଷମା ନିବେଦନ ପାଇଁ  ଜେଲ୍ ପ୍ରଶାସନକୁ ପତ୍ର ଦେଇଛି। ଜେଲ୍ ପ୍ରଶାସନ ବୁଧବାର ସକାଳେ ରାଜକ୍ଷମା ନିବେଦନ ଦିଲ୍ଲୀ ସରକାରର ଗୃହ ମନ୍ତ୍ରଣାଳୟକୁ ପଠାଇବେ। ଏଠାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଇ ଏହି ଯାଚିକା ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିବ। ଏହା ଉପରେ ନିଷ୍ପତ୍ତି କେବେ ନିଆଯିବ, ଏହାର ଉତ୍ତର କେବଳ ରାଷ୍ଟ୍ରପତିଙ୍କ ପାଖରୁ  ହିଁ ମିଳି ପାରିବ। ଜେଲ୍ ଅଧିକାରୀଙ୍କ କହିବା କଥା ରାଷ୍ଟ୍ରପତିଙ୍କ ପାଖରେ ମର୍ସି ପିଟିସନ ଦାଖଲ କରିବା ପାଇଁ ଦୋଷୀଙ୍କ ପାଖରେ ଜାନୁଆରୀ ୨୧ ପର୍ଯ୍ୟନ୍ତ ସମୟ ରହିଛି।

Subscribe

National International State Sports Entertainment