ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ଦଳରେ ହୃଦ ସ୍ପନ୍ଦନ ସେତିକି ଜୋରରେ ତୀବ୍ର ହେଉଛି । ଘୋଡ଼ ବେପାର ଆଶା ଆଶଙ୍କାରେ ତିନି ଦଳର ମୁଖିଆଙ୍କୁ ରାତିରେ ନିଦ ନାହିଁ । କିଏ ବିଧାୟକଙ୍କୁ ରାଜ୍ୟ ବାହାରକୁ ନେଇ ପଳାଇଲାଣି ତ କିଏ ଘନ ଘନ ବୈଠକ କରି ତାଗିଦ କରୁଛି । ଏହାରି ମଧ୍ୟରେ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗୋ ।
ଦାଶରଥୀ ଦଳର କୌଣସି ଶୀର୍ଷ ନେତୃତ୍ୱଙ୍କର ଫୋନ୍ ଉଠାଉ ନଥିବାର କହିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି ନେତା ମାନେ ଦାଶରଥୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ସେ କାହା ଫୋନର ଜବାବ ଦେଉ ନାହାଁନ୍ତି । ତଥାପି ତାଙ୍କ ଉପରେ କଂଗ୍ରେସ ଭରସା ରଖିଛି । ସେ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେ । ଯେଉଁମାନେ କ୍ରସ ଭୋଟିଂ କରିବେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେପି ଯେଉଁ ଯୋଜନା କରୁଛି, ସେଥିରେ ସଫଳ ହେବ ନାହିଁ ବୋଲି କହିଛନ୍ତି କାଡ଼ାମ ।
ପିସିସି ସଭାପତି ଭକ୍ତ ଚରଣ ଦାସ ୮ ଜଣ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ପଳାଇଛନ୍ତି । ବିଧାୟକମାନେ ବେଙ୍ଗାଲୁରୁରେ ୱାଣ୍ଡର୍ଲା ରିସୋର୍ଟରେ ରହିଛନ୍ତି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ସମସ୍ତ ବିଧାୟକଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ । ଯେଉଁ ପାଞ୍ଚ ଜଣ ବିଧାୟକମାନେ କ୍ରସ୍ ଭୋଟିଂ କରିବାର ସମ୍ଭାବନା ନାହିଁ ସେମାନେ ଓଡ଼ିଶାରେ ଅଛନ୍ତି ।